
କୋରେଇ, ୦୧ ନଭେମ୍ବର (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ଛୋଟରାୟପୁର ସ୍ଥିତ ଏକ୍ସେଲ୍ସିଅର +୨ ବିଜ୍ଞାନ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଛାତ୍ରଙ୍କର ସନ୍ଦେଜ ଜନକ ଭାବେ ମୃତ୍ୟୁ ହୋଇଛି। ଛାତ୍ରଙ୍କ ମୃତଦେହ ବିଦ୍ୟାଳୟର ପାଇଖାନା ଘରୁ ଜବତ ହୋଇଥିବା ବେଳେ ଛାତ୍ର ଜଣକ ହେଉଛନ୍ତି ଯାଜପୁରରୋଡ଼ ଥାନା କେନ୍ଦୁଢିପି ଗ୍ରାମର ବିଜୟ କୁମାର ପାଳଙ୍କ ପୁଅ ଆଶିଷ କୁମାର ପାଳ। ତେବେ ଏନେଇ ପରିବାର ଲୋକଙ୍କ ପକ୍ଷରୁ ପାଣିକୋଇଲି ଥାନାରେ ହତ୍ୟା ଅଭିଯୋଗ ହୋଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି। ପରିବାର ଲୋକଙ୍କ ଅଭିଯୋଗ ମୁତାବକ, କଲେଜ କର୍ତୁପକ୍ଷ ଆଶିଷଙ୍କ ମୃତ୍ୟୁ ପାଇଁ ଦାୟୀ ହୋଇଥିବା ବେଳେ ତାଙ୍କୁ ମାତ୍ରାଧିକ ପାଠପଢାର ଚାପ ଦେଇ ମାରି ଦେଇଛନ୍ତି। ଏବେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପଟେ କଲେଜ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଗତକାଲି ଅପରାହ୍ଣରୁ ଆଶିଷ କ୍ଲାସକୁ ଆସିନଥିଲେ। ବିଦ୍ୟାଳୟ କର୍ତୁପକ୍ଷଙ୍କର ଏନେଇ ସନ୍ଦେହ ଉପୁଜିବାରୁୁ ରାତିରେ ଖୋଜାଖୋଜି କରିଥିଲେ। ପରେ ତାଙ୍କ ହଷ୍ଟେଲ୍ରେ ଖୋଜାଖୋଜି କରିବା ପରେ ହଷ୍ଟେଲ୍ ବାଥ୍ରୁମ୍ରେ କବାଟ ଭିତରୁ ବନ୍ଦ କରି ଆଶିଷ ରହିଥିବାର ସେ ଜାଣିବାକୁ ପାଇଥିଲେ। ପରେ କବାଟ ଭାଙ୍ଗିବା ପରେ ଆଶିଷ ଏକ ଗାମୁଛାରେ ବାଥ୍ରୁମ୍ ଭିତରେ ଝୁଲୁଥିବାର ଦେଖିବାକୁ ପାଇଥିଲେ। ପରେ ତାଙ୍କୁ ଉଦ୍ଧାର କରି ଯାଜପୁରରୋଡ଼ ମେଡିକାଲ୍କୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକଙ୍କୁ ଖବର ଦେବାପରେ ସେମାନେ ମେଡିକାଲରେ ପହଁଚିଥିôଲ। ପରେ ଆଶିଷଙ୍କ ସମ୍ପର୍କୀୟ ମାନେ କଲେଜରେ ପରିସରରେ ପହଁଚି ହୋ ହଲ୍ଲା କରିଥିଲେ। କଲେଜରେ ଭଙ୍ଗାରୁଜା କରିବା ସହିତ ନ୍ୟାୟ ଦାବିରେ ୬ ଘଂଟା କାଳ କଲେଜ ଆଗରେ ବିକ୍ଷୋଭ କରିଥିଲେ। ଖବର ପାଇ ପାଣିକୋଇଲି ଥାନାଧିକାରୀ ରଂଜିତ ମହାନ୍ତି, ଏସ୍ଡିପିଓ ଲକ୍ଷ୍ମୀଧର ସ୍ୱାଇଁଙ୍କ ସମେତ ବହୁ ପୁଲିସ କର୍ମୀ କଲେଜରେ ପହଁଚି ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିଥିଲେ। ପରେ ପରିସ୍ଥିତି ଶାନ୍ତ ହୋଇ ଅବସ୍ଥା ସ୍ୱାଭାବିକ ହୋଇଥିଲା। ଏନେଇ ପାଣିକୋଇଲି ପୁଲିସ ୩୫୫/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହିତ ମୃତ ଆଶିଷଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ