
ଜୟପୁର, ୧ ନଭେମ୍ବର (ହି.ସ.)- ଧର୍ମମାସ କାର୍ତ୍ତିକ । ପବିତ୍ର କାର୍ତ୍ତିକରେ ହବିଷ ପାଳନ କରିବା ବିଧି ରହିଛି । କାର୍ତ୍ତିକ ଅବସରେ ଜଗନ୍ନାଥ ମନ୍ଦିର, ବଲ୍ଲଭ ନାରାୟଣ, ରଘୁ ନାଥ ମନ୍ଦିର, ଗୀତା ଭବନ ରେ ମନ୍ଦିରରେ ସଂକିତ୍ତନ ଜାରି ରହିଛି । ବିଧବା ମହିଳା ଓ ସଧବା ଦମ୍ପତ୍ତି ମାନେ ଧର୍ମ ଅର୍ଜନ ପାଇଁ କାର୍ତ୍ତିକ ମାସରେ ସଙ୍କଳ୍ପ କରି ହବିଷ ପାଳନ କରିଥାନ୍ତି । ପ୍ରାତଃ ସ୍ନାନ କରି ତୁଳସୀ ଚଉରା ତଳେ ପଞ୍ଚ ମୁରୁଜ ପକାଇ ରାଧା ଦାମୋଦରଙ୍କ ଫଟୋ ରଖି ଧୂପଦୀପ ନୈବେଦ୍ୟରେ ପୂଜାର୍ଚ୍ଚନା କରିଥାନ୍ତି । ଦିନଯାକ ଫଳମୂଳ ସେବନ କରିବା ପରେ ସୂର୍ଯ୍ୟାସ୍ତ ପୂର୍ବରୁ ଗୋଟିଏ ଥର ହବିଷ୍ୟାଅନ୍ନ ଭୋଜନ କରିଥାନ୍ତି । ସଂନ୍ଧ୍ୟା ସମୟରେ ବୃନ୍ଦାବତୀଙ୍କ ପାଖରେ ଦୀପ ବସେଇ ଆକାଶ ଦୀପ ଜାଳିବା ପରମ୍ପରା ରହିଛି । ପାରମ୍ପରିକ ଆକାଶ ଦୀପ ପ୍ରତିଷ୍ଠାର ପ୍ରଚଳନ
ଓଡିଶାରେ ବହୁଦିନରୁ ଚଳିଆସୁଛି । ଏହିମାସରେ ଠିକ୍ ସଂନ୍ଧ୍ୟା ସମୟରେ
ଧର୍ମପ୍ରାଣା ହବିଷ୍ୟାଳୀ ମାନେ ଆକାଶଦୀପ ଜାଳିବାର ଦେଖାଯାଏ । ଦେବାଳୟ, ତୁଳସୀ ଚଉରା ତଳେ ଓ ଆକାଶ ଦୀପ ଜାଳିବା ବିଧି ରହିଛି ।
ଅତି ଉଚ୍ଚରେ ଦୀପ ଜାଳିଲେ ତିନିବର୍ଷରେ ସାତ ଜନ୍ମର ପାପ ଦୂରିଭୁତ ହୁଏ ବୋଲି ବିଶ୍ୱାସ ରହିଛି । ଏହି ଦୀପଦାନ ଦ୍ୱାରା ଅକ୍ଷୟଫଳ ମିଳେ ! ଗାଁ ଗାଁ ରେ ଏପରିକି ସହରରେ ମଧ୍ୟ କେତେକ ସ୍ଥାନରେ ଉଚ୍ଚ ବାଉଁଶ ଖୁଣ୍ଟ ଉପରେ କାର୍ତ୍ତିକ ମାସର ପ୍ରତ୍ୟହ ସନ୍ଧ୍ୟାରେ ପ୍ରଦୀପ ପ୍ରଜ୍ଜ୍ୱଳୀତ ହେଉଥିବାର ଦଖାଯାଏ । ଏହିମାସ ରେ ହରି, ହର, ବ୍ରହ୍ମା ଆଦି ସମସ୍ତ ଦେବତାଙ୍କ ସହ ଦଶଦିଗପାଳ ଏବଂ ପିତୃପୁରୁଷ ମାନଙ୍କୁ ଉପାସନା କରି ଦୀପଦାନ କରାଯାଏ । ଏହି ମାସରେ ପ୍ରାତଃସ୍ନାନ କରି ଧର୍ମକଥା ଆଲୋଚନା, ପୁରାଣ ଶାସ୍ତ୍ର ପଠନ ଓ ଶ୍ରବଣ, ସାତ୍ତ୍ୱିକ ଆହାର ଗ୍ରହଣ, ପ୍ରତି ସଞ୍ଜରେ ମଧୁସୂଦନଙ୍କ ନାମ ଂକୀର୍ତ୍ତନ ସହିତ ସଂଯମତା ରକ୍ଷାକରି ନୀତିନିୟମରେ ବ୍ରତପାଳନ କଲେ
ସମସ୍ତ ପାପ କ୍ଷୟ ହୋଇ ଅଶେଷ ପୂଣ୍ୟଫଳ ମିଳେ । ପାରମ୍ପରିକ ବିଧିବିଧାନ ଅନୁସାରେ ଏହି ମାସକୁ ପାଳନ କଲେ ଦେହାନ୍ତେ ବିଷ୍ଣୁପୁରରେ ସ୍ଥାନ ମିଳେ ବୋଲି ବିଶ୍ୱାସ କରାଯାଏ । ଶ୍ରୀମନ୍ଦିର ରେ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ 'ରାଇଦାମୋଦର' ବ୍ରତ ବା କାର୍ତ୍ତିକ ବ୍ରତ ପାଳନ ହୁଏ । କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ 'ଭିଷ୍ମ ପଞ୍ଚକ' ବା ପଞ୍ଚୁକ ବ୍ରତ ଓ ତତ୍ ସହ ଶରତ ରାସୋତ୍ସବ ମଧ୍ୟ ଅନୁଷ୍ଠିତ ହୁଏ । ଏକ ଛିଦ୍ରୁଯୁକ୍ତ ହାଣ୍ଡିରେ କିଛି ବାଲି ଓ ତା’ ଉପରେ ଏକ ପ୍ରଜ୍ୱଳିତ ଦୀପ ରଖି,
ତାର ଉପରିଭାଗକୁ ଏକ ପଲମରେ ଢାଙ୍କି, ତାହାକୁ ଏକ ସୁଉଚ୍ଚ ବାଉଁଶ ଦଣ୍ଡର ଅଗ୍ର ଭାଗରେ ବାନ୍ଧି ଦିଆଯାଏ । ଆକାଶ ଦୀପ ଉଠାଇବା ବେଳେ ଯାହାର ବାଉଁଶ ଯେତେ ଉଚ୍ଚ ହୋଇଥାଏ,ତାହାର ପୁଣ୍ୟ ସେତେ ଅଧିକ ହୁଏ ବୋଲି ବିଶ୍ୱାସ ରହିଛି ।ଏକାନ୍ତ ନିଷ୍ଠା, ଏକାଗ୍ରତା ଓ ଦୃଢ ବିଶ୍ୱାସର ସହିତ ଆକାଶଦୀପ ପ୍ରଜ୍ଜ୍ୱଳନ କରା ଯାଇଥାଏ । ଏହାକୁ ସାରା ମାସ ଜଳାଇ ରଖିବାକୁ ହୋଇଥାଏ । କୁହାଯାଏ ପିତୃପୁରୁଷଙ୍କ ଆତ୍ମାର ସଦଗତି ନିମନ୍ତେ ସେମାନଙ୍କର ଅନ୍ଧକାରମୟ ପଥକୁ ଆଲୋକିତ କରିବା ପାଇଁ ଆକାଶ ଦୀପ ପ୍ରଜ୍ଜ୍ୱଳନ କରାଯାଏ । କାର୍ତ୍ତିକ ମାସ ପ୍ରତିପଦା ଠାରୁ ପୂର୍ଣ୍ଣମୀ ଯାଏଁ ହବିଷ୍ୟାଳୀମାନେ ମନ୍ଦିର ଓ ନିଜ ଘର ଚଉଁରା ପାଖରେ ଆକାଶ ଦୀପ ଜଳାଇଥାଆନ୍ତି । ଆଉ କେତେକ ଦୀପାବଳି ଠାରୁ ୧୫ଦିନ ପର୍ଯ୍ୟନ୍ତ ଜାଳିଥାଆନ୍ତି । କେତେକ ଅଁଳା
ନବମୀଠାରୁ ନବଦିନ ପର୍ଯ୍ୟନ୍ତ ଜାଳିଥାଆନ୍ତି । ଆଉ କେତେକ ପଞ୍ଚୁକ ପାଞ୍ଚଦିନ ଆକାଶ ଦୀପ ଜାଳିଥାଆନ୍ତି । ଆକାଶ ଦୀପ ଜଳିବା ଦିନ ହବିଷାନ୍ନ ଗ୍ରହଣ କରିବା ସହିତ ପୁରାଣ ପାଠ ଓ ଶ୍ରବଣ, ଗୀତା ପାଠ ବା ଶ୍ରବଣ, ଶିବ ପୁରାଣ , କାତ୍ତିକ ପୁରାଣ ପାଠ ବା ଶ୍ରବଣ କରିବା ମାସ ସାରା ଜାରି ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି