


ସମ୍ବଲପୁର/ନୂଆପଡ଼ା, ୧ ନଭେମ୍ବର (ହି.ସ.)- ନୂଆପଡ଼ା ବିଧାନସଭା ଉପନିର୍ବାଚନ ତାରିଖ ଯେତିକି ପାଖେଇ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ବିଜେପି ସରକାରଙ୍କ କାର୍ଯ୍ୟଶୈଳୀରେ ଆକର୍ଷିତ ହୋଇ ପ୍ରତ୍ୟେକ ଦିନ ଶହ ଶହ ଲୋକ ବିଜେପିରେ ସାମିଲ ହେଉଛନ୍ତି । ଆଜି ନୂଆପଡ଼ା ବେଲଟୁକୁରି ବିଜେଡି ପଞ୍ଚାୟତ ସଭାପତି ବଳରାମ ଚନ୍ଦେକର ତାଙ୍କର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ନୂଆପଡ଼ା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ପୁର୍ବତନ ବିଧାୟିକା କୁସୁମ ଟେଟେ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାଏକ ଉପସ୍ଥିତ ରହି ବିଜେପି ଉତ୍ତରୀୟ ଓ ଟୋପି ପିନ୍ଧାଇ ସମସ୍ତଙ୍କୁ ସ୍ଵାଗତ କରିଥିଲେ । ବିଜେପିର ଦୁର୍ନୀତି ଭ୍ରଷ୍ଟାଚାର ମୁକ୍ତ ସୁଶାସନ ଓ ଡବଲ ଇଞ୍ଜିନ ସରକାରର ଡବଲ ଗତିର ବିକାଶକୁ ନେଇ ସାଧାରଣ ଲୋକଙ୍କ ପାଖକୁ ଯାଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ସମର୍ଥନ କରିବା ପାଇଁ ଅନୁରୋଧ କରନ୍ତୁ ବୋଲି ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା କର୍ମୀଙ୍କୁ ଶ୍ରୀ ତୋମାର ଆହ୍ଵାନ ଦେଇଥିଲେ ।
ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ପେନାଲିଷ୍ଟ୍ ମନସ ରଞ୍ଜନ ବକ୍ସି, ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ଧର୍ମପତ୍ନୀ ସୁମନ ଢୋଲକିଆ, ବରିଷ୍ଠ ବିଜେପି ନେତା ନିରଞ୍ଜନ ପାଣିଗ୍ରାହୀ, ଦେବ ଦର୍ଶନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ