କେନ୍ଦୁଝରଠାରେ ଜିଲ୍ଲାସ୍ତରୀୟ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ
କେନ୍ଦୁଝର, ୧ ନଭେମ୍ବର (ହି.ସ.)- ସାଧାରଣ ଜୀବନରେ ସଚ୍ଚୋଟତା ଏବଂ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦୁଝରଠାରେ ଜିଲ୍ଲାସ୍ତରୀୟ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ
କେନ୍ଦୁଝରଠାରେ ଜିଲ୍ଲାସ୍ତରୀୟ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ


କେନ୍ଦୁଝର, ୧ ନଭେମ୍ବର (ହି.ସ.)- ସାଧାରଣ ଜୀବନରେ ସଚ୍ଚୋଟତା ଏବଂ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦୁଝରଠାରେ ଜିଲ୍ଲାସ୍ତରୀୟ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ସଚେତନତା ରାଲି ସହିତ ଦିନଟି ଆରମ୍ଭ ହୋଇଥିଲା। କେନ୍ଦୁଝର ସହରର ମୁଖ୍ୟ ରାସ୍ତା ଦେଇ ଯାଇଥିବା ଏହି ପଦଯାତ୍ରାରେ ସଚ୍ଚୋଟତା, ଦୁର୍ନୀତି ବିରୋଧୀ ଅଭ୍ୟାସ ଏବଂ ଦାୟିତ୍ୱବାନ ନାଗରିକ ହେବା ପାଇଁ ଗୁରୁତ୍ୱାରୋପ କରାଯାଇ ସ୍ଲୋଗାନ ମାନ ଦିଆଯାଇଥିଲା। ଏହି ସଚେତନତା ରାଲିକୁ ଡ଼ିଏସପି ଭିଜିଲାନ୍ସ କେନ୍ଦୁଝର ଶାଖା ସୁଧାଂଶୁ ଶେଖର ପୂଜାରୀ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ସବୁଜ ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କରିଥିଲେ।

ପରବର୍ତ୍ତୀ ସମୟରେ, ଦରବାର ହଲଠାରେ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବନଖଣ୍ଡ ଅଧିକାରୀ ଧନରାଜ ଏଚଡ଼ି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଚଳିତ ବର୍ଷର ବିଷୟବସ୍ତୁ ଭିଜିଲାନ୍ସ ସଚେତନତା ଆମ ସାମୁହିକ ଦାୟିତ୍ୱ ବାବଦରେ ଆଲୋକପାତ କରିଥିଲେ। କେବଳ ସରକାରୀ ଅଧିକାରୀ ନୁହେଁ ସାଧାରଣ ଲୋକଟିଏ ମଧ୍ୟ ନିଜ ଦୈନନ୍ଦିନ ଜୀବନରେ ନିଜ ଉପରେ ନ୍ୟସ୍ତ ଦାୟିତ୍ୱକୁ ନ ତୁଲାଇବା ଦୁର୍ନୀତି ଭାବେ ପରିଗଣିତ ତେଣୁ ଆମକୁ ମଧ୍ୟ ଦୁର୍ନୀତି ବିରୋଧୀ ଅଭ୍ୟାସ ଜାରି ରଖିବାକୁ ପଡିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ନେହାଶିଷ ସାହୁ, ଭିଜିଲାନ୍ସ ଶାଖା କେନ୍ଦୁଝରର ଉପ ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ପୂଜାରୀ, ଡେପୁଟି କଲେକ୍ଟର ମହମ୍ମଦ ଫିରୋଜ ଖାଁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ନିଜ ନିଜ ଅଭିଭାଷଣରେ ସଂସ୍ଥାଗତ ଦାୟିତ୍ୱବୋଧକୁ ସୁଦୃଢ଼ ​​କରିବା ଏବଂ ସୁଶାସନ ସୁନିଶ୍ଚିତ କରିବା ପାଇଁ ଭିଜିଲାନ୍ସର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ସାର୍ବଜନୀନ ସେବାରେ ନୈତିକ ମାନଦଣ୍ଡ ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରତିବଦ୍ଧତାକୁ ଦୋହରାଇଥିଲେ ଏବଂ ଦୁର୍ନୀତିମୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ସାମୂହିକ ପ୍ରୟାସକୁ ଆହ୍ୱାନ କରିଥିଲେ।

ଏହି ଅବସରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ଶୀର୍ଷ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା।

ଜୀବନର ସମସ୍ତ କ୍ଷେତ୍ରରେ ସଚ୍ଚୋଟତା ବଜାୟ ରଖିବା ପାଇଁ ପ୍ରତିଜ୍ଞାକୁ ଦୋହରାଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande