
ଖୋର୍ଦ୍ଧା, 1 ନଭେମ୍ବର (ହି.ସ.)ଉପସ୍ଥିତ ବୁଦ୍ଧି ଖଟାଇ ବସର ଡ୍ରାଇଭର ନିଜେ ମୃତ୍ୟୁ ବରଣ କରିବା ପୁର୍ବରୁ ୫୦ରୁ ଉର୍ଦ୍ଧ ଜୀବନ ବଞ୍ଚାଇ ଦେଇଛନ୍ତି।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବସଷ୍ଟାଣ୍ଡରେ ।ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାଗରଗୁଆଁ ପଞ୍ଚାୟତ ଗୋଡ଼ିଆଳି ଗାଁର ଶରତ ମାର୍ଥା (୫୫)ଅନ୍ୟ ଦିନ ଭଳି ଆଜି ମଧ୍ୟ ଭୁବନେଶ୍ବର ବରମୁଣ୍ଡାରୁ ‘ବିଶାଖା’ ନାମକ ଯାତ୍ରୀବାହୀ ବସ୍ ନେଇ ବାହାରି ଥିଲେ। ଅପରାହ୍ନ ପ୍ରାୟ ୩ଟାରେ ସେ ଗଂଜାମ ଜିଲ୍ଲା ଭଂଜନଗର ସୋରଡ଼ା ଅଭିମୁଖେ ବାହାରିଥିଲେ। ବୋଲଗଡ଼ ପହଞ୍ଚିବା ପୂର୍ବରୁ ତାଙ୍କର ଛାତି ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏହା ପରେ ମଧ୍ୟ ସେ ଉପସ୍ଥିତ ବୁଦ୍ଧି ଖଟାଇ ବସ୍କୁ ବୋଲଗଡ଼ ବସ୍ଷ୍ଟାଣ୍ଡରେ ପହଞ୍ଚାଇ ଥିଲେ। କିନ୍ତୁ ସେତେବେଳକୁ ତାଙ୍କର ଅବସ୍ଥା ଗୁରୁତର ହୋଇସାରିଥିଲା। ତେବେ ଅଧିକ ଅସୁସ୍ଥ ହୋଇଯିବା ପରେ ବସ୍ର ହେଲପର ସ୍ଥାନୀୟ ଲୋକଙ୍କର ସହାୟତରେ ଶରତଙ୍କୁ ଏକ ଅଟୋରେ ନେଇ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଅଭାବନୀୟ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଶୁଣାଯାଉଛି, ଶରତ ନିଜେ ଯନ୍ତ୍ରଣାରେ ଛଟପଟ ହୋଇ ମଧ୍ୟ ଅଧୈର୍ଯ୍ୟ ନହୋଇ ବସ୍ର ଭାରସାମ୍ୟ ହରାଇ ନଥିଲେ। ସେ ସିନା ଆଉ ନାହାନ୍ତି, ହେଲେ ସେ ବସ୍ର ଯାତ୍ରୀଙ୍କ ଜୀବନକୁ ରକ୍ଷା କରିଛନ୍ତି।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶରତଙ୍କର ମୃତ୍ୟୁ ପରେ ସ୍ତ୍ରୀ ଏବଂ ଦୁଇ ପିଲା ବେସାହାର ହୋଇଯାଇଛନ୍ତି। ତାଙ୍କ ପରିବାର କେମିତି ଚଳିବେ ସେଥିପାଇଁ ସରକାରୀ ସହାୟତା ଯୋଗାଇ ଦିଆଯିବାକୁ ସାଧାରଣରେ ଦାବି ହେଉଛି l
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ