



ସମ୍ବଲପୁର/ନୂଆପଡା, ୦୧ ନଭେମ୍ବର (ହି.ସ.) - ବିଜେଡିର କୃତକର୍ମ ଯୋଗୁଁ ନୂଆପଡାବାସୀଙ୍କ ଠାରୁ ଲୋକପ୍ରିୟତା ଦିନକୁ ଦିନ ହ୍ରାସ ପାଉଛି । ନବୀନ ପଟ୍ଟନାୟକ ନୁଆପଡାରେ ପହଂଚିବା ପୂର୍ବରୁ ବିଜେଡି ନେତା ଓ କର୍ମୀଙ୍କ ହତାଶା ମନୋଭାବ ଏହି କର୍ମକାଣ୍ଡରୁ ପ୍ରକାଶ ପାଇଛି । ନୂଆପଡା ଉପନିର୍ବାଚନ ଦାୟିତ୍ୱରେ ଥିବା ତଥାକଥିତ କ୍ରୀତଦାସ ତଥା ପୂର୍ବତନ ବିଧାୟକ ବବି ଦାସ ଏବଂ ତାଙ୍କ ସହଚରମାନେ ଲୋକଙ୍କୁ ବଳପୂର୍ବକ ସଭାକୁ ନେବା ପାଇଁ ଭୟ ଓ ହିଂସାର ଆଶ୍ରୟ ନେଉଛନ୍ତି । ଗତ ୩୦ ତାରିଖ ଶୁକ୍ରବାର କୋମନା ବ୍ଲକ ଅନ୍ତର୍ଗତ ପାଇକପଡା ବାସିନ୍ଦା ଜିତୁ ଆଡବାଙ୍ଗଙ୍କୁ ଡାକି ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳି ମାଡ ମାରିବା ଓ ଜୀବନରୁ ମାରି ଦେବାକୁ ଧମକ ଦେବା ଅତ୍ୟନ୍ତ ଲଜ୍ଜାଜନକ । ଏଥିରେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, ସ୍ଥାନୀୟ ନେତା ତଥା ବିଜେଡି ଆଶାୟୀ ପ୍ରାର୍ଥୀ ମନୋଜ ମିଶ୍ର ଖୋଲାଖୋଲି ସହଯୋଗ କରିଥିବା ଜିତୁ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ବିଜେଡି ଏତେ ତଳ ସ୍ତରକୁ ଖସି ଯାଇଛି ଯେ, ଏବେ ସେମାନେ ନିଜ ଦଳୀୟ କର୍ମୀମାନଙ୍କୁ ମଧ୍ୟ ଭୟଭୀତ କରୁଛନ୍ତି । ଏଭଳି ହିଂସା ଏକ ଡୁବି ଯାଉଥିବା ଜାହାଜ ଭିତରେ ଜନ୍ମିଥିବା ଆତଙ୍କ ଓ ହତାଶାକୁ ପ୍ରକାଶ କରୁଛି । ବିଜେଡି ନେତାଙ୍କ ଏଭଳି ହିଂସାତ୍ମକ ଆଚରଣକୁ ନୂଆପଡାବାସୀ ଆଦୌ କ୍ଷମା ଦେବେ ନାହିଁ ଏବଂ ଆଗାମୀ ଉପନିର୍ବାଚନରେ ଉଚିତ ଜବାବ ଦେବେ ବୋଲି ବିଜେପି ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ନୂଆପଡାର ବରିଷ୍ଠ ନେତା ଖାମସିଂହ ମାଝୀ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଆଜି ନୂଆପଡାସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ନିଜେ ସବୁବେଳେ ଅହିଂସାର ଦ୍ୱାହି ଦେଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ନୀରବ ରହିବା ତାଙ୍କ ଦୋମୁହାଁ ନୀତିକୁ ସ୍ପଷ୍ଟ କରିଛି । ଅନ୍ୟ ପଟେ ବିଜେଡିର ସ୍ଥାନୀୟ ନେତୃତ୍ୱ ଅଭାବ ଥିବାରୁ ବାହାରରୁ ଆସିଥିବା କ୍ରିତଦାସମାନେ ଭୋଟଦାତାଙ୍କୁ ଭୟଭୀତ କରୁଛନ୍ତି ଓ ଜୋର ଜବରଦସ୍ତ ଭୋଟ ହାତେଇବାକୁ ଅପଚେଷ୍ଟା କରୁଛନ୍ତି । ନୂଆପଡାରେ ନିଜ ନିୟନ୍ତ୍ରଣ ରଖିବା ପାଇଁ ବବି ଦାସ ଏକ ବାହାର ପ୍ରାର୍ଥୀକୁ ଆଗରେ ଆଣି ହିଂସାର ଆଶ୍ରୟ ନେଇ ନିଜ ଆଧିପତ୍ୟ ରଖିବାର ଅପଚେଷ୍ଟା କରିଛନ୍ତି । ନୂଆପଡାବାସୀ କାହାର କ୍ରୀତଦାସ ନୁହନ୍ତି ବୋଲି ସେ ଭୁଲି ଯିବା ଉଚିତ ନୁହେଁ । ଅନ୍ୟପଟେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସ ନେତା ଶ୍ରୀ ଭକ୍ତଚରଣ ଦାସ ଉଭୟେ ଏସ୍?ସି ଶ୍ରେଣୀ ବର୍ଗର ହୋଇଥିଲେ ମଧ୍ୟ, ଏସ୍ସି ଯୁବକଙ୍କ ଉପରେ ହୋଇଥିବା ହିଂସା ପ୍ରସଙ୍ଗରେ ଅଦ୍ୟାବଧି ନିରବ ରହିଛନ୍ତି । ଏହା ଉଭୟ ଦଳର କପଟତା ଓ ନୈତିକ ଦେବାଳିଆ ପଣିଆକୁ ଉଜାଗର କରାଇଛି । ଉଭୟ ଦଳ ପାଇଁ ନ୍ୟାୟ ଠାରୁ ମିଥ୍ୟା ପ୍ରତିଶ୍ରୁତିକୁ ଅଧିକ ଗୁରୁତ୍ୱ ଦେଉଥିବାରୁ ଶ୍ରୀ ମାଝୀ କ୍ଷୋଭ ପ୍ରକାଶ କରିଛନ୍ତି ।
ଏହି ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଠାରେ ଅଭିଯୋଗ କରାଯିବ ସହିତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯିବ ବୋଲି ମଧ୍ୟ ଶ୍ରୀ ମାଝୀ କହିଛନ୍ତି । ଏହି ଅବସରରେ ରାଜ୍ୟ ପ୍ରବକ୍ତା ତଥା କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ