
ମାଲକାନଗିରି,୧ ନଭେମ୍ବର (ହି.ସ.)ଖଇରପୁଟ ବ୍ଲକ ଅର୍ନ୍ତଗତ କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ସମସ୍ତ ଅତିଥି, କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ଏ ଅନୁଷ୍ଠାନର ପୁର୍ବତନ ଛାତ୍ର ତଥା ଅଞ୍ଚଳର ଗର୍ବ ଗୌରବ ଡକ୍ଟରେଟ ଉପାଧି ରେ ଭୂଷିତ ଜ୍ୟୋତି ରଞ୍ଜନ ଗୁଡିଆଙ୍କୁ ଆଜି ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିର୍ମଳ କୁମାର ଦାସ ସଭାପତିତ୍ୱ କରିଥିଲା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଦିଦାୟୀ ଉନ୍ନୟନ ନିଗମର ସ୍ୱତନ୍ତ୍ର ଅଧିକାରୀ କିରାନୀ ନାୟକ, ବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ଦିବାକର ସୁନା, ଆଦର୍ଶ ଶିକ୍ଷକ ଉମା ଶଙ୍କର ଦାସ, ସମାଜସେବୀ ବାଳକୃଷ୍ଣ ପ୍ରଧାନ , ଭଗବାନ ସାହୁ , ଶିକ୍ଷୟତ୍ରି ଶସ୍ମିତା ମହାପାତ୍ର, ଅଞଳି ହନ୍ତାଳ, ଶିକ୍ଷକ ଉମାକାନ୍ତ ଦାସ, ବିକାଶ ବଡଗୋଛିଆ, ହରିବନ୍ଧୁ ଶାନ୍ତା ଓ ୱ।ର୍ଡେନ ସ°ଧ୍ୟାରାଣୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଫୁଲତୋଳା ଓ ଉତ୍ତରିୟ ଦେଇ ସ୍ୱାଗତ କରିଥିଲେ । ପ୍ରକାଶ ଥାଉକି ଡଃ ଜ୍ୟୋତି ରଞ୍ଜନ ଗୁଡିଆ ଜଣେ ଆଦିମ ଜନଜାତି ବର୍ଗର ଦିଦାୟୀ ସମ୍ପ୍ରଦାୟର ଆଦିବାସୀ ବ୍ୟକ୍ତି ଅଟନ୍ତି, ଅତି ଗରିବ ଶ୍ରେଣୀର ହୋଇ ମଧ୍ୟ ପାଠ ପଢାରେ ବିଶେଷ ଆଗ୍ରହ ଥିବାରୁ ବର୍ତ୍ତମାନ ସେ ଭୁବନେଶ୍ୱର ସ୍ଥିତ କିସ୍ ବିଶ୍ଵବିଦ୍ୟାଳୟ ରେ ରାଜନିତି ବିଜ୍ଞାନର ଦର୍ଶନ ଶାସ୍ତ୍ରରେ ଏମ୍ ଫିଲ୍ମ ଓ ପିଏଚଡ଼ି ସ୍ନାତକ ହାସଲ କରି ଡକ୍ଟରେଟ ଉପାଧିରେ ବିଭୂଷିତ ହୋଇଛନ୍ତି । ଏହି ଉପାଧୀ ପାଇବା ପରେ ସେ ପ୍ରଥମ କରି ନିଜର ଅଧ୍ୟୟନ ରତ ପୁରାତନ ବିଦ୍ୟାଳୟ କୁ ଆସିଥିବା ଏକ ସ୍ୱତନ୍ତ୍ର ଅନୁଭୂତି ବୋଲି କହିବା ସହ ବିଦ୍ୟାଳୟରେ ଅଧ୍ୟୟନ ସମୟରେ ଘଟିଥିବା ଟିକିନିଖି ଇତି ବୃତ୍ତାନ୍ତ କହିଥିଲେ ଓ ଏହାପରେ ପିଲାମାନେ ଜିଜ୍ଞାସା ବସତଃ ବିଭିନ୍ନ ବିଷୟରେ ପ୍ରଶ୍ନ କରିଥିଲେ ଯାହାର ସମିଚିତ ଉତ୍ତର ଡଃ ଗୁଡିଆ ଦେଇଥିଲେ!ଏହି ସମୟରେ ସେ ବହୁବାର ଛଳଛଳ ଆଖିରେ ଭାବ ବିହ୍ୱଳିତ ହେବା ଦେଖିବାକୁ ମିଳିଥିଲା । ନିଜର ପ୍ରତିକ୍ରିୟା ରେ ଡଃ ଜ୍ୟୋତି କହିଛନ୍ତି ଯେ ତାଙ୍କ ବାପା ମାଁ ଆପ୍ରାଣ ଉଦ୍ୟମ ଓ ସମସ୍ତ ଶିକ୍ଷକ ମାନଙ୍କ ନିଃସ୍ୱାର୍ଥପର ପ୍ରଚେଷ୍ଟା ଯୋଗୁଁ, ସେ ଏହି ସ୍ତରରେ ପହଁଚି ପାରିଛନ୍ତି ଓ ଆଗକୁ ସେ ତାଙ୍କ ନିଜ ଦିଦାୟୀ ସମ୍ପ୍ରଦାୟର ଯୂବକ ଯୃବତୀ ମାନଙ୍କ ପାଠପଢ଼ା ରେ ଉନ୍ନତି ସହ ତାଙ୍କ ବିଦାୟୀ ସମାଜ ଆଜିର ସମାଜର ମୁଖ୍ୟସ୍ରୋତରେ ସାମିଲ୍ ପାଇଁ ଅଧିକ ପ୍ରଚେଷ୍ଟା ଜାରି ରଖିବେ ବୋଲି କହିଥିଲେ । ଆଜିର କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲା ବେଳେ ଶିକ୍ଷକ ସୁଧାକର ନାୟକ ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ