
ମାଲକାନଗିରି, ୧ ନଭେମ୍ବର (ହି.ସ.) - ଆଦିବାସୀ ଇଲାକାକୁ ଶିକ୍ଷିତ କରିବାକୁ ଆସି ନିଜ ଜୀବନ ସଜାଡିବାକୁ ଭୁଲି ଗଲେ । ପିଲାଙ୍କ ପାଠପଢା ପାଇଁ ବିବାହ କଲେନି । ନିଜ ପିଲା ଭଳି ମଣିଷ କରି ଅନେକଙ୍କ ଭବିଷ୍ୟତ ଗଢିଥିଲେ । ତାଙ୍କ ଚାକିରି ଜୀବନର ଶେଷ ଦିନରେ ଶୋଭାଯାତ୍ରା ଓ ସହର ବୁଲାଇ ନାଚଗୀତରେ ବିଦାୟ ଉତ୍ସବ ମନାଇଛନ୍ତି ସମସ୍ତେ ।ଶୋଭାଯାତ୍ରା, ବାଜା ବାଣ, ନାଚ ଗୀତ । କୌଣସି ବିବାହ ଉତ୍ସବ ପାଇଁ ନୁହେଁ, ବରଂ ଜଣେ ଶିକ୍ଷକଙ୍କ ବିଦାୟ ଉତ୍ସବକୁ ଏମିତି ନିଆରା ଢଙ୍ଗରେ ପାଳନ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଏମିତି ଜଣେ ଶିକ୍ଷକ ଯିଏ ନିଜ ଜୀବନ ଶିକ୍ଷା ପାଇଁ ଉତ୍ସର୍ଗୀକୃତ କରିଦେଇଛନ୍ତି। ନା ବିବାହ କରିଛନ୍ତି ନା ପରିବାର ମୋହରେ ପଡ଼ିଛନ୍ତି । କେବଳ ଗୋଟିଏ ମାତ୍ର ଲକ୍ଷ୍ୟ ନେଇ ସେ ଆଗକୁ ବଢ଼ିଛନ୍ତି, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାଙ୍କୁ ମଣିଷ କରିବା । ସେମିତି ଜଣେ ମହାନ ଗୁରୁ ହେଉଛନ୍ତି ମାଥିଲି ବ୍ଲକ ପାଙ୍ଗାମ ଏସ୍?ଏସ୍?ଡି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପ କୁମାର ରାୟ । ତାଙ୍କ ଚାକିରିର ଶେଷ ଦିନରେ ନିଆରା ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି ପୁରାତନ, ନୂତନ ଛାତ୍ରଛାତ୍ରୀ, ସହକର୍ମୀ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ