
ଜୟପୁର, ୧ ନଭେମ୍ବର (ହି.ସ.)- ପବିତ୍ର ମାସ ‘କାର୍ତ୍ତିକ’ରେ ଭଗବାନ ବିଷ୍ଣୁଙ୍କ ସହିତ ମାତା
ତୁଳସୀଙ୍କୁ ପୂଜା କରିବା ଶୁଭ ବୋଲି ସାଧାରଣରେ ବିଶ୍ୱାସ ରହିଛି । ପ୍ରତିଦିନ ମା’ବୃନ୍ଦାବତୀଙ୍କ ତୁଳସୀ ଚଉରା ପୂଜା କଲେ ଘରେ ସୁଖ ଶାନ୍ତି ବଜାୟ ରହିଥାଏ । ଓଡ଼ିଆ ପରମ୍ପରାରେ କାର୍ତ୍ତିକ ମାସରେ ହବି?ଷ୍ୟାଳିମାନେ ଚଉରା ମୂଳେ ମୁରୁଜରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଆଙ୍କିବା ସହ ଆକାଶଦୀପ ଜାଳି ରାଈଦାମୋଦର ପୂଜା କରିଥା’ନ୍ତି । ତେବେ ଓଡ଼ିଆ ପରମ୍ପରାରେ ପ୍ରତି ହୋମଯଜ୍ଞରେ ମୁରୁଜ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥିବା ବେଳେ ତୁଳସୀ ପୂଜା ସହିତ ଯୋଡ଼ି ହୋଇଯାଇଛି ଚଉରା ମୂଳେ ମୁରୁଜ ଆଙ୍କିବା । କାର୍ତ୍ତିକ ମାସରେ ଚଉରା ମୂଳେ ଶୁଦ୍ଧତା ପୂର୍ବକ ଓଡ଼ିଆଣୀଙ୍କ ହାତର କଳାକୃତି ବା ହସ୍ତକଳାର ନିଦର୍ଶନ ଦେଖିବାକୁ ମିଳୁଛି । ତେବେ ଏହି ମୁରୁଜ ପରମ୍ପରା ବଦଳିନି ସତ, କିନ୍ତୁ ସମୟ ସହିତ ବଦଳିଛି ଏହାକୁ ପ୍ରସ୍ତୁତ କରିବା ଓ ବ୍ୟବହାର କରିବାର ପଦ୍ଧତି । ଚତୁର୍ଦ୍ଧାମୂର୍ତ୍ତି, ଶଙ୍ଖ, ଚକ୍ର, ଗଦା, ପଦ୍ମ, ଶୁଆଶାରୀ, କପୋତକପୋତୀ, ବଗବଗୁଲି, ଜୟବିଜୟ, ଅଁଳାଗଛ, ସ୍ୱର୍ଗଶିଡ଼ି ଓ ଆକାଶଦୀପ ଭଳି ଚିତ୍ର ଆଙ୍କିବା ପାଇଁ ଆଉ ଘଣ୍ଟା ଘଣ୍ଟା ବସିବାକୁ ପଡ଼ୁନି । ବଜାରରେ ରେଡିମେଡ୍ ମୁରୁଜ, ଛାଞ୍ଚ ଓ ଷ୍ଟିକର ଯୋଗୁ ଏବେ ଖୁବ୍କମ୍ ସମୟରେ ଏ ସବୁ ପ୍ରସ୍ତୁତ କରାଯାଇପାରୁଛି । ତେଣୁ
ବଜାରରେ କାର୍ତ୍ତିକ ମାସରେ ଏହାର ଚାହିଦା ଢେର ପୂର୍ବରୁ ଅରୁଆ ଚାଉଳ ଗୁଣ୍ଡକୁ ମୁରୁଜ ଭାବେ ବ୍ୟବହାର କରାଯାଉଥିଲା । ଅଧିକ ଆକର୍ଷଣୀୟ କରିବା ପାଇଁ ମୁରୁଜରେ ବିଭିନ୍ନ ରଙ୍ଗ ମିଶାଯାଉଥିଲା । ଗଛର ପତ୍ର, ଫୁଲ ପାଖୁଡ଼ା ଆଦିକୁ ଗୁଣ୍ଡକରି ବିଭିନ୍ନ ରଙ୍ଗ ପ୍ରସ୍ତୁତ କରାଯାଉଥିଲା । ଧଳା ରଙ୍ଗ ପାଇଁ ଚାଉଳ ଗୁଣ୍ଡ, ହଳଦିଆ ପାଇଁ ହଳଦୀ ଗୁଣ୍ଡ, ସବୁଜ ରଙ୍ଗ ପାଇଁ ଗଛର ପତ୍ର, ନାଲି ରଙ୍ଗ ପାଇଁ ହଳଦୀଗୁଣ୍ଡ ସହ ଚୁନପଥର ଗୁଣ୍ଡର ମିଶ୍ରଣ, ମାଟିଆ ରଙ୍ଗ ପାଇଁ ଗଛର ଶୁଖିଲା ବକଳ ଓ କଳା ରଙ୍ଗ ପାଇଁ ନଡ଼ିଆ ଶଢ଼େଇ, ଘଷି କିମ୍ବା କାଠ ଅଙ୍ଗାରରୁ ପ୍ରସ୍ତୁତ ଅଙ୍ଗାର ବ୍ୟବହାର କରାଯାଉଥିଲା । ହେଲେ ସମୟ ବଦଳିଛି । ବ୍ୟସ୍ତବହୁଳ ଜୀବନ ଭିତରେ ମୁରୁଜ ପ୍ରସ୍ତୁତ ପାଇଁ ଆଉ ସମୟ ନାହିଁ । ଏବେ ଅରୁଆ ଚାଉଳ ଗୁଣ୍ଡ ଛଡ଼ା ଏକପ୍ରକାର ପଥରର ଗୁଣ୍ଡକୁ ବ୍ୟବହାର କରାଯାଉଛି ଓ ବିଭିନ୍ନ ରଙ୍ଗର ଅବିର ମିଶାଇ ରଙ୍ଗୀନ ମୁରୁଜ ପ୍ରସ୍ତୁତ କରାଯାଉଛି । ମୁରୁଜ ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ରଙ୍ଗ ମଧ୍ୟରେ ହଳଦୀ, ନାଲି, କଳା, ଧଳା ଓ ସବୁଜ ରଙ୍ଗର ପଞ୍ଚ ମୁରୁଜ ଅଧିକ ବିକ୍ରି ହେଉଛି । ବିଭିନ୍ନ ଦେବଦେବୀଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ମୁରୁଜ ବ୍ୟବହାର କରାଯାଏ । ଲକ୍ଷ୍ମୀପାଦ, କାମଧେନୁ ଗାଈ, ପଦ୍ମ, ବିଭିନ୍ନ ପ୍ରକାର ଫୁଲ, ଡାଳୀ, ମୁରୁଜ ଡିଜାଇନ୍, ଦୀପ ଭଳି ଅନେକ ପ୍ରକାର ଛାଞ୍ଚ ରହୁଛି । କାର୍ତ୍ତିକ ମାସରେ ଜଗନ୍ନାଥ ଓ ମୁରୁଜ ଚିତ୍ର ଅଙ୍କାଯାଉଥିବାରୁ ଗ୍ରାହକ ଏହାକୁ ଅଧିକ ନେଉଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି