



ବଲାଙ୍ଗିର, ୧ ନଭେମ୍ବର (ହି.ସ.)- ସହରକୁ ଲାଗି ସଦାଇପାଲି ପଂଚାୟତ ଅନ୍ତର୍ଗତ ପଥରଚେପା ଗ୍ରାମ । ପ୍ରାୟତଃ ଆଦିବାସୀ, ଦଳିତ ଓ ନିମ୍ନ ଆୟ ବର୍ଗର ଲୋକେ ଏଠି ବାସ କରନ୍ତି । ବଲାଙ୍ଗିର ସହରର ଅତି ନିକଟରେ ଥିଲେ ମଧ୍ୟ ଲୋକେ ସର୍ବନିମ୍ନ ମୌଳିକ ସୁବିଧାରୁ ସବୁବେଳେ ବଂଚିତ । ବାରମ୍ବାର ସଦର ବ୍ଲକ ପ୍ରଶାସନକୁ ସମସ୍ୟା ବାବଦରେ ଅବଗତ କଲେ ମଧ୍ୟ ଦୁର୍ନିତିରେ ଥିବା ବ୍ଲକ ପ୍ରଶାସନ ଲୋକଙ୍କ ମୌଳିକ ସମସ୍ୟା ପ୍ରତି ସବୁବେଳେ ଅଣଦେଖା କରି ଚାଲିଛି । ଏହାକୁ ନେଇ ଆଜି କଂଗ୍ରେସ ନେତା ରାମ ମିଶ୍ର, ଶ୍ରୀଧର ବାରିକ, ଫକିର ମୋହନ ଥାଟିଙ୍କ ନେତୃତ୍ୱରେ ବଲାଙ୍ଗିର ପାଟଣାଗଡ ମୁଖ୍ୟ ରାସ୍ତା ପଥରଚେପା ଗାଁ ଠାରେ ପଥରଚେପା ଗ୍ରାମବାସୀ ତଥା ଆଖପାଖ ଅଂଚଳର ଲୋକେ ମିଶି ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ । ଆନ୍ଦୋଳନ ସ୍ଥଳରେ ସ୍ଥାନୀୟ ନେତୃତ୍ଵ ଏ ଅଂଚଳର ବାରମ୍ବାର ବିଜୁଳି ବିଭ୍ରାଟ ନିମ୍ନ ମାନର ବିଜୁଳିବତି ସହ ସମଗ୍ରୀ, ରାସ୍ତା ମରାମତିକୁ ନେଇ ଅବହେଳା, ଇନ୍ଦିରା ଆବାସ ପ୍ରଦାନରେ ଚଂଚକତାକୁ ନେଇ ବ୍ଲକ ପ୍ରଶାସନ ବିରୁଦ୍ଧରେ ଗର୍ଜିଥିଲେ । ସେମାନେ କହିଥିଲେ, ଯେତେ ସବୁ ବିଜୁଳି ସମଗ୍ରୀ ହେଉ କି ଷ୍ଟ୍ରିଟ ଲାଇଟ ହେଉ ଲଗାଇବାର ଦୁଇ ତିନି ଦିନ ମଧ୍ୟରେ ସମ୍ପୁର୍ଣ୍ଣ ଖରାପ ହୋଇଯାଉଛି କାରଣ ଏହି ସମଗ୍ରୀ ଯୋଗାଣରେ ବ୍ଲକ ପ୍ରଶାସନ ସମ୍ପୁର୍ଣ୍ଣ ଭାବେ ଅନୁଦାନ ହଡପ କରି ନିମ୍ନମାନର ସମଗ୍ରୀ ବ୍ୟବହାର କରୁଛନ୍ତି । ଯେହେତୁ ଏହି ରାସ୍ତା ଏକ ବୁଲାଣିଆ ରାସ୍ତା ଏଠାରେ ବିଜୁଳିବତି ନ ଜଳିବାରୁ ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କର ଧନ ଜୀବନ କ୍ଷତି ହେଉଛି । ତେଣୁ ଏହାକୁ ନେଇ ଆଜି ସ୍ଥାନୀୟ ଲୋକେ ଆନ୍ଦୋଳନ କରିବା ଦ୍ୱାରା ଘଣ୍ଟା ଘଣ୍ଟା ଧରି ବଲାଙ୍ଗିରରୁ ପାଟଣାଗଡ ପଟରୁ ଆସୁଥିବା ଶହ ଶହ ଯାନବାହନ ଅଟକି ଯିବା ଦ୍ଵାରା ଜିଲ୍ଲା ପ୍ରଶାସନ ତରଫରୁ ତହସିଲଦାର ଶ୍ରୀ ପଣ୍ଡା ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଏଥିରେ ଆନ୍ଦୋଳନକାରୀମାନେ ସନ୍ତୁଷ୍ଟ ନ ହେବାରୁ ତହସିଲଦାର ଶ୍ରୀ ପଣ୍ଡା ଫୋନ ଯୋଗେ ଉପଜିଲ୍ଲାପାଳ ଆଲୋକ ପଟେଲଙ୍କ ସହ ସମସ୍ୟାକୁ ନେଇ ଆଲୋଚନା କରାଇଥିଲେ । ଏଥିରେ ଉପଜିଲ୍ଲାପାଳ ଯାହା କିଛି ବି ସମସ୍ୟା ଅଛି ସେ ସବୁକୁ ନେଇ ପଥରଚେପା ଗ୍ରାମବାସୀ ଓ ସ୍ଥାନୀୟ ନେତୃତ୍ଵଙ୍କ ସହ ଆଲୋଚନା କରିବେ ଏବଂ ସମସ୍ୟା ଯେପରି ୧୦ ଦିନ ଭିତରେ ସମାଧାନ ହୋଇପାରିବ ସେ ଦିଗରେ ନିଶ୍ଚିତ ପଦକ୍ଷେପ ନେବେ ଏବଂ ଦୁର୍ନିତିରେ ବ୍ଲକ ପ୍ରଶାସନ ତରଫରୁ ଯେ କେହି ବି ସଂପୃକ୍ତ ଥିବ ନିଶ୍ଚିତ ଭାବରେ ତାଙ୍କ ବିରୁଦ୍ଧରେ ପଦକ୍ଷେପ ନେବ ବୋଲି କହିଥିଲେ । ପରେ ଆନ୍ଦୋଳନକାରୀଙ୍କ ତରଫରୁ ଆନ୍ଦୋଳନକୁ ସ୍ଥଗିତ କରାଯାଇ ଯଦି ୧୫ ଦିନ ଭିତରେ ସମସ୍ୟାର ସମାଧାନ ନ ହୁଏ ତେବେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା ।
ଆଜିର ଏହି ଅନ୍ଦୋଳନକୁ ଅନ୍ୟମାନଙ୍କ ମଧ୍ୟରେ ରୁଦ୍ର ନନ୍ଦ, ଧନୁ ରାଉତ, ବିଜ୍ଞାନ ନନ୍ଦ, ସୁବଳ ନନ୍ଦ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, କଂଗ୍ରେସ ନେତା ରାମ ମିଶ୍ର, ଫକିର ମୋହନ ଥାଟି, ନରେନ୍ଦ୍ର ବେହେରା, ସଂକିର୍ତ୍ତନ ମେହେର, ଜୁଲୁ ପଟ୍ଟନାୟକ, ତ୍ରିନାଥ ରାଉତଙ୍କ ସମେତ ୫୦୦ ରୁ ଉର୍ଦ୍ଧ୍ଵ ଗ୍ରାମବାସୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ