

ମାଲକାନଗିରି, ୧ ନଭେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ର ସମସ୍ତ ୧୮ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ଆଜି ମିଳିତ ହୋଇ ଚିତ୍ରକୋଣ୍ଡା ବିଧାୟକଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଏକ ଦାବୀପତ୍ର ଚିତ୍ରକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତା କୁମାରୀଙ୍କୁ ପ୍ରଦାନ କରିଛନ୍ତି।
ପ୍ରକାଶ ଥାଉକି, ରାଜ୍ୟ ସରକାରଙ୍କ ବିକଶିତ ଗ୍ରାମ ବିକଶିତ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମର ବିକାଶ ଦିଗରେ ବିଭିନ୍ନ ଉନ୍ନୟନମୂଳକ କାମ ହେଉଛି ଏବଂ ଗ୍ରାମର କେଉଁ କେଉଁ କାମ ହେବ ଗ୍ରାମସଭା, ପଲ୍ଲିସଭାରେ ସ୍ୱୀକୃତି ପାଇ ସରକାରଙ୍କ ଅନୁମୋଦନ ପାଇଁ ଯାଉଛି ଏବଂ ସେଥିରୁ ୪୦ ପ୍ରତିଶତ ଉନ୍ନୟନମୂଳକ କାର୍ଯ୍ୟର ତାଲିକା ବିଧାୟକ ନିଜ ଇଚ୍ଛା ମୁତାବକ ଦେବାର ପ୍ରାବଧାନ ଅଛି କିନ୍ତୁ କାମ ଗୁଡିକ ଅନୁମୋଦନ ହୋଇ ଆସିଲାପରେ ବିଧାୟକ ସମସ୍ତ କାମର ଠିକାଦାରୀ କଂଗ୍ରେସ କର୍ମୀ କରିବେ ବୋଲି ବ୍ଲକ ପ୍ରଶାସନକୁ ଚାପ ପକାଉଛନ୍ତି। ଫଳରେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ଉନ୍ନୟନ କାମରେ କୌଣସି ଭୂମିକା ରହୁନାହିଁ। ସେହିଭଳି କିଛି ବିଜେପି କର୍ମୀ ମଧ୍ୟ ବ୍ଲକ ର ଉନ୍ନୟନ କାମକୁ ଆମ ସରକାର ଆସିଛି ଆମ ବିଜେପି ଲୋକ କରିବେ କହି ଗ୍ରାମବାସୀ ଓ ବ୍ଲକ କର୍ମଚାରୀଙ୍କୁ ଧମକ ଦେଉଥିବା ଜନ ପ୍ରତିନିଧି ଅଭିଯୋଗ କରିଛନ୍ତି। ତେଣୁ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲଙ୍କ ନେତୃତ୍ଵରେ ସମିତି ସଭ୍ୟ ରାଜକମଲ ପୁରୋହିତ, ସମିତି ସଭ୍ୟା ଦୁତିକା ପାଙ୍ଗି, ସରପଞ୍ଚ କମୁଳୁ ହନ୍ତାଳ ଙ୍କ ସହ ବ୍ଲକର ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ଏକଜୁଟ ହୋଇ ବିଧାୟକ କେଉଁ ଅଧିକାରରେ ସମସ୍ତ କାମକୁ କଂଗ୍ରେସ କର୍ମୀଙ୍କ ଭିତରେ ବାଣ୍ଟିବାକୁ ଦାବି କରୁଛନ୍ତି ବୋଲି ବିଡିଓଙ୍କୁ ପ୍ରଶ୍ନ କରିଥିଲେ ଏବଂ ଆସିଥିବା ସମସ୍ତ କାମରେ ପଞ୍ଚାୟତ ପ୍ରତିନିଧିଙ୍କ ଅଗ୍ରାଧିକାର ରହୁ ବୋଲି ଦାବୀ କରିଥିଲେ। ଯଦି ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ବ୍ଲକ ଅଚଳ କରିବେ ବୋଲି ଜନ ପ୍ରତିନିଧି କହିଥିଲେ।
ପ୍ରକାଶ ଥାଉକି, ଏଥିପୂର୍ବରୁ ବିଧାୟକଙ୍କ ଏହି କାର୍ଯ୍ୟକୁ ନେଇ ଖଇରପୁଟ ବ୍ଳକ ଅଧକ୍ଷ, ସରପଞ୍ଚ ଓ ସମିତିସଭ୍ୟ ମାନେ ବିରୋଧ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ