
କନ୍ଧମାଳ, ୦୧ ନଭେମ୍ବର(ହି.ସ.) – ରାଜ୍ୟ ଓ କେନ୍ଦ୍ର ସରକାର ଦୁର୍ନିତିର ମୂଳ ଉତ୍ପାଟନ ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ଅଧିକ ଜନସଚେତନତା ପାଇଁ ଦୁର୍ନିତି ନିବାରଣ ସପ୍ତାହ ଦେଶବ୍ୟାପୀ ପାଳନ ହେଉଛି। ଏହି ପରିପ୍ରେକ୍ଷୀରେ ଏ ବର୍ଷର ବିଷୟ “ଦୁର୍ନୀତି ନିବାରଣ ଆମ ସାମୁହିକ ଦାୟିତ୍ୱ”କୁ ନେଇ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ଭୁବନେଶ୍ୱରଙ୍କ ମିଳିତ ସହଯୋଗରେ ଅକ୍ଟୋବର ୨୮ ତାରିଖ ଠାରୁ ନଭେମ୍ବର ୦୨ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପି ପାଳନ ହେବାକୁ ଥିବା ଦୁର୍ନିତି ନିବାରଣ ସପ୍ତାହ-୨୦୨୫ ଟିକାବାଲି ପଂଚାୟତ ଗୃହ ଠାରୁ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରପଂଚ କୁନ୍ଦୁରୁ ମାଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରକଳ୍ପ ସଂଯୋଜକ ବିଶ୍ୱରଞ୍ଜନ କର ସ୍ୱାଗତ ଜଣାଇବା ସହ କାର୍ଯ୍ୟକ୍ରମର ଲକ୍ଷ ଓ ଉଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ଏଥିସହ ଏହି ଦିବସର ଇତିହାସ ବର୍ଣ୍ଣନା କରି କିପରି ଦେଶରେ ୧୯୯୯ ମସିହା ଅକ୍ଟୋବର ମାସ ୩୧ ତାରିଖ ଠାରୁ ପାଳନ କରାଯାଉଛି ଏବଂ ଏହା ଏକ ପୂଣ୍ୟତିଥି ଯାହା ଲୌହମାନବ ଭାବେ ପରିଚିତ ସର୍ଦାର ବଲ୍ଲଭ ଭାଇ ପଟେଲ୍ଙ୍କ ଜନ୍ମଦିନ ବୋଲି କହିଥିଲେ। ଆହୁରି ମଧ୍ୟ ଦୁର୍ନିତି ନିବାରଣ କାର୍ଯ୍ୟାଳୟର ଗୁରୁଦାୟିତ୍ୱ ଯେ, ସର୍ବସାଧାରଣ ଅବଗତି ନିମନ୍ତେ ସୂଚନା ଏବଂ ସୂଚନା ପ୍ରଦାନକାରୀଙ୍କୁ ସୁରକ୍ଷା ଦେବବୋଲି ମଧ୍ୟ ଉପସ୍ଥାପନା କରିଥିଲେ। ତତ୍ସହିତ ଦୁର୍ନିତି ବିରୋଧରେ ଲଢ଼େଇ ହେଉଛି ସାମୁହିକ ଲଢ଼େଇ ଯାହା ଜଣେ ଚାହିଁଲେ କେବେ ସମ୍ଭବ ନୁହେଁ, ତେଣୁ ସମସ୍ତେ ହାତକୁ ହାତ ମିଶାଇ ଲାଂଚ କାରବାର ଯଥା ଲାଂଚ ନେଉଥିବା କିମ୍ବା ଲାଂଚ ଦେଉଥିବା ସ୍ଥାନରେ ଚୁପ୍ ନରହି ସ୍ୱର ଉଠାଇବାକୁ ଆହ୍ୱାନ ଦେଇଥିଲେ ଓ ତୃଣମୂଳ ସ୍ତରରୁ ଦୁର୍ନିତିକୁ ରୋକିବାରେ ସଫଳ ହୋଇପାରିବା ବୋଲି କହିଥିଲେ। କାର୍ଯ୍ୟକ୍ରମର ଶେଷରେ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ନେଇ ଏକ ସାଧୁତାର ଶପଥ ପାଠ କରାଯାଇଥିଲା। ସେହିପରି ଖଜୁରୀପଡ଼ା ଠାରେ ୩୦ ତାରିଖରେ ସ୍ଥାନୀୟ ସରପଂଚଙ୍କ ସଭାପତିତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଥିରେ ପ୍ରକଳ୍ପ ପରାମର୍ଶଦାତ୍ରୀ ସ୍ନେହଲତା ନାୟକ ଉପସ୍ଥିତ ରହି ସଚେତନତା ବାର୍ତା ଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନାରେ କିନ୍ନର ବିଷ୍ଣୁପ୍ରିୟା ପ୍ରଧାନ, ଅଞ୍ଜନା ବେହେରା, ସୀତା ରଣା ଓ ସୁବାସିନି ବେହେରା ପ୍ରମୁଖ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ