

ପୁରୀ, ୧ ନଭେମ୍ବର (ହି.ସ.)- ଧର୍ମମାସ ମହାକାର୍ତ୍ତିକ । ଏକମାସ ଧରି ଅଧିକାଂଶ ଘରେ ଆମିଷ ରନ୍ଧାଯାଇନାହିଁ । ଅପେକ୍ଷା ଛାଡଖାଇ । ଏଥର ପଞ୍ଚୁକ ଚାରିଦିନ । ଗୁରୁବାର ଛାଡଖାଇ ପଡିଥିବାରୁ ଆମିଷ ଆଗ୍ରହୀ ବ୍ଯକ୍ତି ମାନେ ଚିନ୍ତାରେ ପଡିଛନ୍ତି । ପ୍ରକୃତ ଛାଡଖାଇ ଆମିଷ ବିନା ମାଡ ଖାଇଗଲା ବୋଲି କଥାବାର୍ତ୍ତ ହେଉଛନ୍ତି । ଚିଲିକା, ସମୁଦ୍ର ଓ ବିଭିନ୍ନ ନଦୀ ପୁରୀ ଚାରିପଟେ ଥିବାରୁ ପୁରୀ ବାସିନ୍ଦା ଆମିଷ ପ୍ରିୟ । ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ଭୋଜିରେ ଆମିଷ ନହେଲେ ଅତିଥି ମାନଙ୍କ ସଂଖ୍ଯା କମି ଯିବାର ନଜିର ରହିଛି । ମାର୍ଗଶୀର ମାସ ଗୁରୁବାର ଓଲାଗି ପାଳି ହୋଇଥିବାରୁ ଗୃହିଣୀ ମାନେ ଆଗରୁ ସତର୍କ କଲେଣି ଆମିଷ ନ ଆଣିବାକୁ । ଆମିଷ ଦର ମଧ୍ୟ ଗୁରୁବାର ପରେ ଶୁକ୍ରବାର ବଢିଯିବାର ଆଶଙ୍କା ରହିଛି । ପୁରୀ ସହର ସମେତ ଆଖପାଖ ଅଞ୍ଚଳବାସୀ ମାନେ ପୁରୀ ମାଛ ବଜାରରୁ ଆମିଷ କିଣିବେ । ରେଡକ୍ରସ ରୋଡ ମାଛ ବଜାର, ମାର୍କେଟ ଛକ ମାଛ ବଜାର, ମଙ୍ଗଳାଘାଟ ଓ ବାଲିଘାଟ ମାଛ ମାର୍କେଟ ଏବଂ ଷ୍ଟେସନ ମାଛ ବଜାରରେ ମାଛ ଗୋଦାମ ବ୍ଯବସାୟିଙ୍କ ସୂଚନା ଅନୁଯାଇ ୫ଶହ କୁଇଣ୍ଟାଲରୁ ଉର୍ଦ୍ଧ୍ବ ମାଛ, ମାଂସ ଓ ଚିକେନ ବିକ୍ରି ହେବ । ଏଥର ଛାଡଖାଇ ଗୁରୁବାର ପଡୁଥିବାରୁ ଅନେକ ସାଙ୍ଗମେଳ ଶୁକ୍ରବାରକୁ ମାଛ ରୋଷେଇ ପାଇଁ ପ୍ରସ୍ତୁତି ଚାଲିଛି । ବିଭିନ୍ନ ହୋଟେଲ କେତେ ମାଛ ମାଂସ ଓ ଚିକେନ ଆଣିବେ ତା'ର ଯୋଜନା ଚାଲିଛି । କିଛି ହୋଟେଲ ଅନଲାଇନ ସୁବିଧା ବ୍ଯବସ୍ଥା କରିଛନ୍ତି । ଶନିବାର ମାଛ ବଜାର ଦର ତାଲିକା ମଧ୍ୟରେ ଭାକୁର ମାଛ କିଲୋ ପ୍ରତି ୧୬୦ ରୁ ୨୦୦ ଟଙ୍କା ରହିଛି । ମିଟିକାଳ ମାଛ କିଲୋ ୧୮୦ ରୁ ୨୨୦ ଟଙ୍କା ରହିଛି । ଆନ୍ଧ୍ର ଓ ଦେଶୀ ରୋହି ମାଛ କିଲୋ ୧୪୦ ରୁ ୧୮୦ ଟଙ୍କା ରହିଛି । ସେହିପରି ଖଇଙ୍ଗା ମାଛ କିଲୋ ୪୦୦ ରୁ ୫୦୦ ଟଙ୍କା ରହିଛି । ଛୋଟ ଓ ବଡ ଚିଙ୍ଗୁଡି ୩୦୦ ରୁ ୬୦୦ ଟଙ୍କା ରହିଛି । କଟା ଚିକେନ କିଲୋ ୨୨୦ ରୁ ୨୬୦ ରହିଛି । ମଟନ କିଲୋ ୮୦୦ ରୁ ୧୦୦୦ ଟଙ୍କା ରହିଛି । ଛାଡଖାଇ ଦିନ ଏହି ଦର ବଢ଼ିବାର ଆଶଙ୍କା ରହିଛି । ଶୁକ୍ରବାର ସକାଳୁ ବିଭିନ୍ନ ଆମିଷ ଦୋକାନରେ ଗହଳି ଲାଗିରହିବ । ବିଶେଷକରି ମଟନ କାଉଣ୍ଟରରେ ଖାଉଟି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବେ ବୋଲି ଆଶଙ୍କା କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ