
ଭୁବନେଶ୍ୱର ୦୧ ନଭେମ୍ବର (ହି.ସ.) - “କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା”(କାମ୍ପା), ରାଜ୍ୟ କର୍ତୃପକ୍ଷଙ୍କ ୨୩ତମ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ଶନିବାର ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପିସିସିଏଫ୍ ସୁରେଶ ପନ୍ଥ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମଙ୍କ ସମେତ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ଏବଂ କମିଟିର ସଦସ୍ୟ ଥିବା ଅନ୍ୟ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଥିଲେ । ବୈଠକରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ “କାମ୍ପା”, ଓଡ଼ିଶା ଶ୍ରୀ ଜି.ରାଜେଶ କାର୍ଯ୍ୟସୂଚୀ ଉପସ୍ଥାପନ କରିବା ସହ ଗତ ଫେବୃୟାରୀ ୨୦୨୫ରେ ଅନୁଷ୍ଠିତ ୨୨ତମ ରାଜ୍ୟସ୍ତରୀୟ ପରିଚାଳନା କମିଟିର ନିଷ୍ପତିର କାର୍ଯ୍ୟକାରିତା ସଂପର୍କିତ ତଥ୍ୟ ରଖିଥିଲେ ।
ବୈଠକରେ କାମ୍ପା ତରଫରୁ ବାର୍ଷିକ କାର୍ଯ୍ୟ ଯୋଜନା(ଏପିଓ)-୨୦୨୫-୨୬ କାର୍ଯ୍ୟକାରିତା ସଂପର୍କିତ ଆଲୋଚନା କରାଯାଇଥିଲା । ବୈଠକରୁ ଜଣାଯାଇଛି ଯେ, ଗତ ୨୨ତମ ପରିଚାଳନା କମିଟିରେ ରାଜ୍ୟ ତରଫରୁ ବିଭିନ୍ନ ବନୀକରଣ କାର୍ଯ୍ୟକ୍ରମ ପାଇଁ ୧୦୭୮.୧୦ କୋଟି ଟଙ୍କା ସୁପାରିଶ କରାଯାଇ ଜାତୀୟ କର୍ତୃପକ୍ଷ, କାମ୍ପାଙ୍କୁ ମଂଜୁର ପାଇଁ ପଠାଯାଇଥିଲା । ସେଥିରୁ ଜାତୀୟ କର୍ତୃପକ୍ଷ ୯୬୩.୨୧ କୋଟି ଟଙ୍କା ମଂଜୁର କରିଥିଲେ ଏବଂ ‘ବାର୍ଷିକ କାର୍ଯ୍ୟ ଯୋଜନା’ରେ ଗତ ୩୦ ସେପ୍େଟମ୍ବର ସୁଦ୍ଧା ୫୧୯.୬୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପିସିସିଏଫ(ବନ୍ୟ ପ୍ରାଣୀ) ଏବଂ ମୁଖ୍ୟ ବନ୍ୟ ପ୍ରାଣୀ ୱାଡେନ, ଓଡ଼ିଶା କେତେକ ଅତ୍ୟାବଶ୍ୟକ ସ୍ଥାନ ନିର୍ଦ୍ଧିଷ୍ଟତା ଭିତ୍ତିରେ ୯୨ଟି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏଥିପାଇଁ ୬୧.୨୦ କୋଟି ଟଙ୍କା ବ୍ୟୟ ଅଟକଳରେ ରହିଛି ଏବଂ ଏହା ୨୦୨୫-୨୬ ବାର୍ଷିକ କାର୍ଯ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ହେବ । ଏସବୁ ଅନୁଗୋଳ,ଢେଙ୍କାନାଳ,ଦେବଗଡ, ବରଗଡ,ହୀରାକୁଦ ବନ୍ୟପ୍ରାଣୀ ଅଂଚଳ, ସମ୍ବଲପୁର, ରେଢ଼ାଖୋଲ, ବାମରା, କେନ୍ଦୁଝର ଆଦିରେ କାର୍ଯ୍ୟକାରୀ ହେବ ।
ବାର୍ଷିକ କାର୍ଯ୍ୟ ଯୋଜନା ୨୦୨୫-୨୬ ରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଅନ୍ତର୍ଭୁକ୍ତ ନୂଆ ବୃକ୍ଷ ରୋପଣ, ପୁରୁଣା ରୋପିତ ବୃକ୍ଷ ଚାରାର ରକ୍ଷଣାବେକ୍ଷଣ, ପଥପାର୍ଶ୍ୱ ବୃକ୍ଷରୋପଣ, ବନ୍ୟଜନ୍ତୁ ସୁରକ୍ଷା ପାଇଁ ସୌର ଶକ୍ତି ବ୍ୟବହାରରେ ସୋଲାର ଫେନ୍ସିଂ, ବନ୍ୟଜନ୍ତୁମାନେ ରହୁଥିବା ବାସସ୍ଥାନ ଏବଂ ଜଙ୍ଗଲ ରାସ୍ତାଗୁଡ଼ିକର ରକ୍ଷଣାବେକ୍ଷଣ ଓ ଉନ୍ନତିକରଣ ସହ, ମଞ୍ଜି ସଂଗ୍ରହ ସହ ବୃକ୍ଷ ଚାରା ସୃଷ୍ଟି ପାଇଁ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ ରହିଛି । ବୈଠକରେ “କାମ୍ପା” ପାଣ୍ଠି ବିନିଯୋଗରେ ବିଭିନ୍ନ ବର୍ଷରେ ଲଗା ଯାଇଥିବା ଗଛଗୁଡିକର ସ୍ଥିତି କିପରି ରହିଛି ସେ ସଂପର୍କିତ ଜିଓ ଟ୍ୟାଗିଂ ଓ ଡ୍ରୋନ୍ ଟେକ୍ନୋଲୋଜି ବ୍ୟବସ୍ଥାରେ କରାଯାଇଥିବା ସର୍ବେକ୍ଷଣ ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା