ଦୁଇ ଦିନିଆ ହସ୍ତତନ୍ତ ଓ ହସ୍ତଶିଳ୍ପ ସମ୍ମିଳନୀ ଉଦଯାପିତ
ଭୁବନେଶ୍ୱର ୦୧ ନଭେମ୍ବର (ହି.ସ.) - ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ତଥା ବୁଣାକାର ଓ ହସ୍ତଶିଳ୍ପୀଙ୍କ କଲ୍ୟାଣ ଆମର ପ୍ରାଥମିକତା । ସେମାନଙ୍କୁ ଉନ୍ନତ ଉପକରଣ ପ୍ରଦାନ ଦ୍ୱାରା ସେମାନଙ୍କ ସମୟ, ଶକ୍ତି ଓ ଶ୍ରମ ହ୍ରାସ ହେବା ସହ ଉନ୍ନତମାନର ସାମଗ୍ରୀ ପ୍ରସ୍ତୁତ ହୋଇପାରିବ ବୋଲି ଭାରତ ସରକାରଙ
ଦୁଇ ଦିନିଆ ହସ୍ତତନ୍ତ ଓ ହସ୍ତଶିଳ୍ପ ସମ୍ମିଳନୀ ଉଦଯାପିତ


ଭୁବନେଶ୍ୱର ୦୧ ନଭେମ୍ବର (ହି.ସ.) - ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ତଥା ବୁଣାକାର ଓ ହସ୍ତଶିଳ୍ପୀଙ୍କ କଲ୍ୟାଣ ଆମର ପ୍ରାଥମିକତା । ସେମାନଙ୍କୁ ଉନ୍ନତ ଉପକରଣ ପ୍ରଦାନ ଦ୍ୱାରା ସେମାନଙ୍କ ସମୟ, ଶକ୍ତି ଓ ଶ୍ରମ ହ୍ରାସ ହେବା ସହ ଉନ୍ନତମାନର ସାମଗ୍ରୀ ପ୍ରସ୍ତୁତ ହୋଇପାରିବ ବୋଲି ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରାଳୟର ସଚିବ ଶ୍ରୀମତୀ ନୀଲମ ଶମ୍ମି ରାଓ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଦୁଇ ଦିନିଆ ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି । ଏହି କ୍ଷେତ୍ରର ବିକାଶ ପାଇଁ ମିଳିତ ପ୍ରୟାସ, କ୍ଲଷ୍ଟର-ଆଧାରିତ ଅଭିବୃଦ୍ଧି, ଉନ୍ନତ ଡିଜାଇନ୍‌, ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ, ଡିଜିଟାଲ୍ ମାର୍କେଟିଂକୁ ସେ ଗୁରୁତ୍ୱାରୋପ କରିଥିଲେ । କାରିଗର ଏବଂ ସରକାରଙ୍କ ମଧ୍ୟରେ ଥିବା ବ୍ୟବଧାନକୁ କମ କରିବା ପାଇଁ ମାର୍ଗଦର୍ଶନ କରିଥିଲେ ।

ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରମ୍ପରିକ କୌଶଳ ସହ ନବସୃଜନର ମିଶ୍ରଣ କରି ସମୟ ଉପଯୋଗୀ ସାମଗ୍ରୀ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କରିଥିଲେ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ କେବଳ ଗ୍ରାମୀଣ ଭାରତର ଆର୍ôଥକ ମେରୁଦଣ୍ଡ ନୁହେଁ ବରଂ ଦେଶର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟର ଜୀବନ୍ତ ପରିଚୟ । କାରିଗର ଓ ବୁଣାକାରଙ୍କ ସମ୍ମାନ ଏବଂ କଲ୍ୟାଣର ଆହ୍ୱାନ ଦେଇ ସେ ଭିତିଭୂମି ବିକାଶ, କଞ୍ଚାମାଲ ଯୋଗାଣ ଶୃଙ୍ଖଳର ସୁଦୃଢୀକରଣ, ନୂତନ ଗୋଦାମ ନିର୍ମାଣ, ପ୍ରଶିକ୍ଷଣ, ସଂରକ୍ଷଣ ଏବଂ ବଜାର ସଂଯୋଗ ଉପରେ ଆଲୋକପାତ କରିଥିଲେ ।

ଶ୍ରୀମତୀ ଏମ୍‌. ବୀଣା, ଉନ୍ନୟନ ଆୟୁକ୍ତ (ହସ୍ତତନ୍ତ) ଏବଂ ଅମୃତା ରାଜ, ଉନ୍ନୟନ ଆୟୁକ୍ତ (ହସ୍ତଶିଳ୍ପ) ଭାରତୀୟ ସାମଗ୍ରୀର ବିଶ୍ୱସ୍ତରୀୟ ବ୍ରାଣ୍ଡିଂକୁ ଅଧିକ ଧ୍ୟାନ ଦେବାକୁ କହିଥିଲେ । ହସ୍ତତନ୍ତ ଏବଂ ହସ୍ତଶିଳ୍ପ ପ୍ରତି ଯୁବ ପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ଡିଜାଇନ୍ ଉପରେ ଗୁରୁତ୍ୱାରୋପ କରିଥିଲେ । ବିକ୍ରୟ ବୃଦ୍ଧି ପାଇଁ ବାର୍ଷିକ ପ୍ରଦର୍ଶନୀ କ୍ୟାଲେଣ୍ଡର୍ ପ୍ରସ୍ତୁତି ଏବଂ ରପ୍ତାନି କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଅଧିକ ପ୍ରୋତ୍ସାହନ ଦେବାକୁ ପରାମର୍ଶ ଦେଇଥିଲେ ।

ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର କହିଥିଲେ, ବୁଣାକାର ଏବଂ କାରିଗରଙ୍କ ମଙ୍ଗଳ ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ । ରାଜ୍ୟର ପ୍ରତିବଦ୍ଧତା ଅନ୍ୟମାନଙ୍କ ପାଇଁ ଉଦାହରଣଯୋଗ୍ୟ । ଏହାର ଅଧିକ ବିକାଶ ପାଇଁ ଦକ୍ଷତା ବିକାଶ, କ୍ଲଷ୍ଟର ସମର୍ଥନ, ନୂଆ ଡିଜାଇନ୍‌, ନବସୃଜନ, ଡିଜିଟାଲ୍ ସଶକ୍ତିକରଣ ଆଦି ବିଭିନ୍ନ ଦିଗ ଉପରେ ସେ ଆଲୋଚନା କରିଥିଲେ ।

ଭାରତର ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ଏହି ସମ୍ମିଳନୀ ଜ୍ଞାନର ଆଦାନପ୍ରଦାନ ଦିଗରେ ଏକ ପ୍ରଭାବଶାଳୀ ମଞ୍ଚ ଭାବରେ କାର୍ଯ୍ୟ କରିଥିଲା । ନୂତନ ଯୋଜନା ପ୍ରଣୟନ ଦିଗରେ ଏହା ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା । ଭାରତର ସମୃଦ୍ଧ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ପରମ୍ପରାକୁ ପ୍ରୋତ୍ସାହିତ ଏବଂ ସଂରକ୍ଷଣ କରିବାରେ ଓଡ଼ିଶାର ନେତୃତ୍ୱକୁ ସ୍ୱୀକାର କରି ଏହି ସମ୍ମିଳନୀର ସଫଳ ଆୟୋଜନକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande