
ଭୁବନେଶ୍ୱର ୦୧ ନଭେମ୍ବର (ହି.ସ.) - ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ଓ ସେଂଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ଠାରେ ପାଞ୍ଚ ଦିବସୀୟ ଆବାସିକ ବ୍ୟବହାରିକ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।
ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ଶ୍ରୀମତୀ ନିୟତୀ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ବର୍ତ୍ତମାନ ପରିପ୍ରେକ୍ଷୀରେ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷ ହେବାକୁ ପ୍ରେରିତ କରିଥିଲେ ।
ଏହି ଉଦଯାପନୀ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଜିତେନ୍ଦ୍ର ନାୟକ, ବିଶ୍ୱ ଦକ୍ଷତା କେନ୍ଦ୍ର ର ସିଓଓ ପିନାକୀ ପଟ୍ଟନାୟକ, ଅଧ୍ୟକ୍ଷ ଟି ଥାମ୍ବୀରାଜା ଓ ଉପନିର୍ଦେଶକ ସୁଶ୍ରୀ ସସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଧନ୍ଦାମୂଳକ କ୍ଷେତ୍ରରେ ଭବିଷ୍ୟତ ଗଠନ ନିମନ୍ତେ ପ୍ରୋତ୍ସାହିତ କରିଥିଲେ । ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରଶିକ୍ଷଣ ଅନୁଭୂତି ବର୍ଣ୍ଣନା କରିଥିଲେ ଓ ପରିଶେଷରେ ସେମାନଙ୍କୁ ସାର୍ଟିଫିକେଟ ବଂଟନ କରାଯାଇଥିଲା।ସେହିପରି ସେଂଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଂଠର (ସିଟିଟିସି) ଠାରେ ଉଦଯାପନୀ ଉତ୍ସବରେ ଉପନିର୍ଦେଶକ ମଧୁସୂଦନ ମଲ୍ଲିକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ବଣ୍ଟନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା