

ପୁରୀ, ୧୪ ନଭେମ୍ବର (ହି.ସ.)- ଆସନ୍ତା ଦିନଗୁଡିକରେ ପର୍ଯ୍ୟଟନ ଋତୁରେ ପୁରୀକୁ ବହୁସଂଖ୍ୟକ ଭକ୍ତ ଓ ପର୍ଯ୍ୟଟକ ଆସିବେ | ଗମନା ଗମନକୁ ଦୃଷ୍ଟିରେ ରଖି ଏସପି ପ୍ରତୀକ ସିଂହ ବିଭିନ୍ନ ଅଧିକାରୀମାନଙ୍କ ସହ ଶୁକ୍ରବାର ଦିନ ପୁରୀ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକରେ ସମୀକ୍ଷା କରିଥିଲେ। ଏଥିରେ ଅତିରିକ୍ତ ଏସପି ସଚିନ ପଟେଲ, ଡି.ଏସ୍.ପି. ଟ୍ରାଫିକ୍ ରାଜକୁମାର ପରିଡା, ଆଇ.ଆଇ.ସି. ଟାଉନ୍ ଗୋକୁଲ ରଞ୍ଜନ ଦାଶ, ଆଇ.ଆଇ.ସି. ସି ବିଚ ମାନସ ଚକ୍ର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଚୈତନ୍ୟ ଛକ, ମୋଚି ସାହି, ଜହ୍ନିମୁଣ୍ଡିଆ ଛକ, ଭୋଗ ଜାଗା ଏବଂ ମାଟି ମଣ୍ଡପ ସାହିକୁ ପରିଦର୍ଶନ କରିଥିଲେ ସେଠାକାର ଅବସ୍ଥା, ଯାତାୟାତ ପରିବହନ ସ୍ଥିତି, ଗଳିପଥ ସଂକୁଚନ, ଅସୁବିଧା ସ୍ଥାନ ଏବଂ ସାଧାରଣ ଲୋକଙ୍କ ଆବଶ୍ୟକତାକୁ ମୂଲ୍ୟାୟନ କରିଥିଲେ। ଯାତାୟାତ ବ୍ୟବସ୍ଥାର ବିସ୍ତୃତ ଆଲୋଚନା ସହ ଡି.ଏସ୍.ପି. ଟ୍ରାଫିକ ଏହି ରାସ୍ତା ଚଉଡ଼ା, ଭିଡ଼, ପାର୍କିଂ ସମସ୍ୟା, ବାଇକ୍ ର ଅନଧିକୃତ ରଖିବା ଉପରେ ନଜର ରଖିବାକୁ ନିର୍ଦେଶ ଦେଇଥିଲେ।
ଚୈତନ୍ୟ ଛକ ଓ ଭୋଗ ଜାଗାରେ ବେଳେବେଳେ ହେଉଥିବା ଜାମକୁ କିପରି ନିୟନ୍ତ୍ରଣ କରାଯିବ ସେଥିପାଇଁ ସ୍ଥାନୀୟ ମାନଚିତ୍ର ସହିତ ବିଶେଷ ଆଲୋଚନା ହେଲା। ସ୍ଥାନୀୟ ବାସିନ୍ଦା ଓ ମୋଚି ସାହି, ଜହ୍ନିମୁଣ୍ଡିଆ ଓ ମାଟିମଣ୍ଡପ ସାହିର ଅନେକ ସେବାୟତ, ବୃଦ୍ଧ, ବ୍ୟବସାୟୀ ଓ ସାଧାରଣ ବାସିନ୍ଦାଙ୍କ ସହ ଏସପି ସିଧାସଳଖ କଥା ହୋଇଥିଲେ।
ସେମାନଙ୍କ ଯାତାୟାତ ଏବଂ ସୁରକ୍ଷା ସମସ୍ୟା ସମ୍ବନ୍ଧୀୟ ଆବଦନକୁ ତାଲିକାଭୁକ୍ତ କରାଗଲା। ତ୍ରୁଟି ଥିବା ସ୍ଥାନର ସିସିଟିଭି ଆବଶ୍ୟକତା, ଗଳିପଥର ଅବରୋଧ ଅସୁବିଧାକୁ ଯାଞ୍ଚ କରାଗଲା। ଆଗାମୀ ପର୍ଯ୍ୟଟକ ଋତୁ ଓ ଉତ୍ସବ ଅବସରରେ ଭିଡ଼ ବେଶୀ ହେବା ଅନୁମାନ କରି ସି ବିଚ ଅଞ୍ଚଳରେ ମାଟିମଣ୍ଡପ ସାହି ଗଳିପଥରେ ପୋଲିସ ଡିଉଟି ସହ ନିରୀକ୍ଷଣ କରିବାକୁ ପ୍ରସ୍ତାବ ଦିଆଗଲା। ଏହାସହ ରାତ୍ରି ସମୟରେ ପି ସି ଆର ମାଧ୍ୟମରେ ପେଟ୍ରୋଲିଙ୍ଗ କରାଯିବ।
ଏସପି ପ୍ରତୀକ ସିଂହ କହିଛନ୍ତି ଯେ, ପୁରୀ ସହର ସମଗ୍ର ଦେଶର ଆସ୍ଥାର କେନ୍ଦ୍ର। ସାଧାରଣ ଲୋକଙ୍କ ସୁବିଧା, ଭକ୍ତଙ୍କ ସୁରକ୍ଷା ଓ ଯାତାୟାତ ବ୍ୟବସ୍ଥା ଆମର ପ୍ରଥମ ପ୍ରାଥମିକତା। ଆଜି ପରିଦର୍ଶିତ ସମସ୍ତ ସ୍ଥାନରେ ଶୀଘ୍ର ଜରୁରୀ ପଦକ୍ଷେପ ନିଆଯିବ। ପୁରୀ ପୋଲିସ୍ ସର୍ବଦା ଲୋକଙ୍କ ପାଖରେ, ସେବାରେ, ସୁରକ୍ଷାରେ ନିୟୋଜିତ ରହିବ। ଲୋକଙ୍କ ଆପଦକାଳୀନ ସହଯୋଗ ପାଇଁ ହେଲ୍ପଲାଇନ୍ ନମ୍ବର ୧୧୨ରେ ଯୋଗାଯୋଗ କରିବା ପାଇଁ ସୂଚିତ କରାଗଲା । ସହରର ସମସ୍ତ ସାହି, ଛକ, ପର୍ଯ୍ୟଟକ, ଏକତ୍ରିତ ସ୍ଥାନ ଓ ଧାର୍ମିକ ସ୍ଥାନଗୁଡ଼ିକର ସୁବିଧା, ସୁରକ୍ଷା ଓ ଯାତାୟାତକୁ ଉନ୍ନତ କରାଯିବ।
ହିନ୍ଦୁସ୍ଥାନ ସମାଚାର / ବିଜୟ