
ପୁରୀ, ୯ ଡିସେମ୍ବର (ହି.ସ.)- ପୁରୀ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଗତ ୩ ତାରିଖରେ ଅନୁଷ୍ଠିତ ହୋଇଥିଲା ଟାଉନ ହଲ ଠାରେ।ଉତ୍ସବରେ ନିମାପଡା ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଶତକଡ଼ା ଶହେ ଭାଗ ଦୃଷ୍ଟି ବାଧିତ ରାଜନୀତି ବିଜ୍ଞାନର ଅଧ୍ୟାପକ ବସନ୍ତ କୁମାର ସେଠୀଙ୍କୁ ସମ୍ବର୍ଦ୍ଧିତ ପାଇଁ ସ୍ଥିର ହୋଇଥିଲା। ତେବେ କୌଣସି କାରଣବଶତଃ ବସନ୍ତ ସେଦିନ ଅନୁପସ୍ଥିତ ଥିବାରୁ ଆଜି ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ବସନ୍ତଙ୍କୁ ତାଙ୍କର ଦୃଢ଼ ଇଛା ଶକ୍ତି, ନିଷ୍ଠା ଓ ସଂଘର୍ଷ କରି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ସେଥିପାଇଁ ପ୍ରଶଂସା କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ନିଜ ପ୍ରତିକ୍ରିୟାରେ ନିମାପଡା ବ୍ଲକ କୁଆଁସ ଗ୍ରମରେ ଜନ୍ମି ଥିବା ବସନ୍ତ ବାପା ମାଆଙ୍କ ଆଶୀର୍ବାଦ, ପ୍ରେରଣା ଓ ଅନ୍ୟ ଗୁରୁଜନଙ୍କ ସହଯୋଗରେ ଏ ପର୍ଯ୍ୟନ୍ତ ଆସି ପାରିଛନ୍ତି ବୋଲି କହିଥିଲେ। ସେ ପିଲା ବେଳେ ଭୁବନେଶ୍ୱର ଭୀମଭୋଇ ଦୃଷ୍ଟି ହୀନ ବିଦ୍ୟାଳୟରେ ଅଧ୍ୟୟନ ପରେ ସେଠାରୁ ପାଶ କରି ବିଜେବି କଲେଜରେ ଯୁକ୍ତ ଦୁଇ ଏବଂ ଗ୍ରାଜୁଏସନ ଓ ଉତ୍କଳ ୟୁନିଭରସିଟରେ ପିଜି ପରେ ନିମାପଡା କଲେଜରେ ଅଧ୍ୟାପକ ଭାବେ ବର୍ତ୍ତମାନ ଅବସ୍ଥାପିତ ହୋଇଛନ୍ତି। ମହାବିଦ୍ୟାଳୟରେ ସମସ୍ତଙ୍କ ସହଯୋଗ, ଭଲପାଇବା ଓ ସମ୍ମାନ ତାଙ୍କୁ ଉଦବୁଦ୍ଧ କରିଛି ବୋଲି ସେ କହିବା ସହ ତାଙ୍କୁ ସହଯୋଗ ଦେଇଥିବା ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇ ଥିଲେ।
ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନମିତା ଚାନ୍ଦ, ଅତିରିକ୍ତ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ବିଜୟ