ଅବିଭକ୍ତ କୋରାପୁଟ ଜିଲାରେ ହଜି ଗଲାଣି ପାରମ୍ପାରିକ ଧାନ ବିହନ
ଜୟପୁର, ୧୦ ଜୁନ୍ (ହି.ସ.)- ଅବିଭକ୍ତ କୋରାପୁଟ ଜିଲାରେ ଖରିଫ ଧାନ ଚାଷରେ ଆଉ ଦେଖିବାକୁ ମିଳୁନି ପାରମ୍ପାରିକ ଧାନ ବିହନ । ଚାଷ କାର୍ଯ୍ୟରେ କୃଷି ବୈଜ୍ଞାନିକ ମାନଙ୍କ ପରାମର୍ଶ ଏବଂ ଉନ୍ନତମାନର ବିହନ ପ୍ରୟୋଗ କରି ଧାନ ଚାଷ କରିବାରେ ବ୍ୟସ୍ତ ରହୁଛନ୍ତି ଚାଷୀ । ଫଳରେ ପୁରାତନ ପ୍ରଣାଳୀରେ ଧାନ ଚାଷ ହେଉ
ଅବିଭକ୍ତ କୋରାପୁଟ ଜିଲାରେ ହଜି ଗଲାଣି ପାରମ୍ପରିକ ଧାନ ବିହନ


ଜୟପୁର, ୧୦ ଜୁନ୍ (ହି.ସ.)- ଅବିଭକ୍ତ କୋରାପୁଟ ଜିଲାରେ ଖରିଫ ଧାନ ଚାଷରେ ଆଉ ଦେଖିବାକୁ ମିଳୁନି ପାରମ୍ପାରିକ ଧାନ ବିହନ । ଚାଷ କାର୍ଯ୍ୟରେ କୃଷି ବୈଜ୍ଞାନିକ ମାନଙ୍କ ପରାମର୍ଶ ଏବଂ ଉନ୍ନତମାନର ବିହନ ପ୍ରୟୋଗ କରି ଧାନ ଚାଷ କରିବାରେ ବ୍ୟସ୍ତ ରହୁଛନ୍ତି ଚାଷୀ । ଫଳରେ ପୁରାତନ ପ୍ରଣାଳୀରେ ଧାନ ଚାଷ ହେଉନଥିବାରୁ ଦେଶୀ ଧାନ ଚାଉଳର ନିଆରା ସ୍ୱାଦ ଲୋକମାନଙ୍କୁ ଆଉ ମିଳିପାରୁନାହିଁ । ଦିନ ଥିଲା ପାରମ୍ପାରିକ ଭାବେ ବିହନକୁ ସାଇତି ରଖୁଥିଲେ ଚାଷୀ । ବର୍ଷ ପରେ ବର୍ଷ ସେହି ବିହନକୁ ଧାନ ଚାଷରେ ଲଗାଉଥିଲେ । ସେହି ଧାନରୁ ଉତ୍ପନ୍ନ ହେଉଥିବା ଚାଉଳର ବାସ୍ନା ଓ ସ୍ୱାଦ ଥିଲା ସ୍ୱତନ୍ତ୍ର। ବର୍ତ୍ତମାନ ଚାଷୀମାନେ ଅଧିକ ଅମଳକ୍ଷମ ଧାନ ଚାଷକୁ ଆପଣାଇ ନେଇଛନ୍ତି । ଚାଷରେ ଲାଭବାନ ହେବା ପାଇଁ ଅଧିକ ଉତ୍ପାଦନ ଆଶାରେ ପୁରୁଣା ପାରମ୍ପାରିକ ଧାନ ବିହନକୁ ଚାଷୀମାନେ ଭୁଲିଗଲେଣି । ଫଳରେ ଯେତେ ଖୋଜିଲେ ବି ଏହି ଧାନ ବିହନ ଆଉ ମିଳିବା ସମ୍ଭବପର ହେଉନାହିଁ । ପାରମ୍ପାରିକ ଭାବେ ଯେଉଁ ବିହନକୁ ନେଇ ଧାନ ଚାଷ କରାଯାଉଥିଲା ସେହି ବିହନ ଗୁଡ଼ିକର ନାମ ଥିଲା ସୀତା ଭୋଗ, ରାବେଣା, ହଳଦିଗୁଣ୍ଡି, ଠେଙ୍ଗା ବଉଳା, ସେବତୀ ଫୋଡ଼ା, ରଙ୍ଗଶୀଉଳି, ବୋଇତଳ ପଖିଆ, ଆଠ ଗଡ଼ିଆ, ତେର ନମ୍ବର, ସୁଭଦ୍ରା, ତେଣ୍ଡା ମାଗୁର,୧୨୪୨, ୧୦୧୪,୧୦୧୮, ୧୦୩୦, କଳାଜିରା, ନାଲି ସରୁ ଚୁନା, କଳିଙ୍ଗ, ସୁଜାତା, ବର୍ଷା, କଳାଶ୍ରୀ ଭଳି ଅନେକ କିସମର ଧାନବିହନ ଅନ୍ତର୍ଭୁକ୍ତ ଥିଲା । ୨୫/୩୦ ବର୍ଷ ପୂର୍ବରୁ ଚାଷୀମାନେ ଏସବୁ ପ୍ରଜାତିର ଧାନ ବିହନକୁ ନେଇ ବହୁଳ ଭାବେ ଚାଷ କାର୍ଯ୍ୟରେ ବ୍ୟବହାର କରୁଥିଲେ । ଏସବୁ ବିହନ ମାନଙ୍କ ମଧ୍ୟରେ ଅନେକ ବିହନ ଖାଲୁଆ ଜମିରେ ଅର୍ଥାତ୍ ଦୁଇ ତିନି ଫୁଟ୍ ପାଣି ରହୁଥିବା କ୍ଷେତରେ ମଧ୍ୟ ଚାଷ କରାଯାଇ ଧାନ ଅମଳ ହୋଇପାରୁଥିଲା । ବିଶେଷ କରି ସେତେବେଳର ଚାଷୀମାନେ ଖାଲୁଆ ଜମିରେ ରାବେଣା ଓ ତେଣ୍ଡାମାଗୁର ଧାନ ବିହନରେ ଚାଷ କରି ଭଲ ଅମଳ ପାଉଥିଲେ । ଏହି ଧାନରୁ ପ୍ରସ୍ତୁତ ହୋଇଥିବା ଚାଉଳ ମଧୁମେହ ରୋଗ ପାଇଁ ବେଶ ଉପକାରୀ ଥିଲା ବୋଲି କୁହାଯାଉଥିଲା । ସେଥିପାଇଁ ସ୍ୱାମୀନାଥନ୍ କମିଟି ପକ୍ଷରୁ ମଧ୍ୟ ତତ୍‌କାଳୀନ ସମୟରେ ଏହି ପାରମ୍ପରିକ ଧାନ ବିହନ ଚାଷ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିଲା । ଧାନ ଅମଳ ପରେ ଚାଷୀମାନେ ଏହାକୁ ସଫା କରି ଓଳିଆ ଭିତରେ ସାଇତି ରଖୁଥିଲେ । ଏହି ପାରମ୍ପାରିକ ଧାନବିହନ ଚାଷରେ କୌଣସି କୀଟନାଶକ ଔଷଧ କିମ୍ବା ରାସାୟନିକ ସାର ବ୍ୟବହାର କରାଯାଉନଥିଲା । ସେତେବେଳେ ଚାଷ ହେବା ପୂର୍ବରୁ କ୍ଷେତରେ ଧଣ୍ଡିଚା ମଞ୍ଜି ବୁଣାଯାଇ ଏହାର ଗଛ ବଡ଼ହେବା ପରେ ତାହାକୁ ପଚାଇ ମାଟିରେ ମିଶାଯାଉଥିବାରୁ ମାଟିର ଉର୍ବର ଶକ୍ତି ବୃଦ୍ଧି ପାଉଥିଲା ବେଳେ ଗୋବର ଖତ ମଧ୍ୟ ବହୁଳ ଭାବରେ ବ୍ୟବହାର କରାଯାଉଥିଲା । ଏଭଳି ଧାନରେ ପ୍ରସ୍ତୁତି ଚାଉଳକୁ ଖାଇ ଲୋକମାନେ ସୁସ୍ଥ, ସବଳ ଓ ନିରୋଗ ରହୁଥିଲେ, ହେଲେ ବର୍ତ୍ତମାନ ଚାଷୀମାନେ ଅଧିକ ଅମଳକ୍ଷମ ଧାନ ଚାଷ ପାଇଁ ଏସବୁ ପାରମ୍ପାରିକ ବିହନ ଛାଡ଼ି ହାଇବ୍ରିଡ ଜାତୀୟ ଧାନବିହନ ସ୍ୱର୍ଣ୍ଣ, ପୂଜା, କଳାଚମ୍ପା, ପାରିଜାତ, ଶାରଳା, ସ୍ୱର୍ଣ୍ଣ ସବ-୧, ସିଆର ୧୦୧୮, ଏନପିୟୁ ୭୦୨୯ ଆଦି ବିଭିନ୍ନ କିସମର ଧାନ ବିହନକୁ ଚାଷ କାର୍ଯ୍ୟ ପାଇଁ ଆପଣେଇଛନ୍ତି । ଏଭଳି ଧାନ ଚାଷରେ ପର୍ଯ୍ୟ।ପ୍ତ ପରିମାଣରେ ରାସାୟନିକ ସାର ଓ କୀଟନାଶକ ଔଷଧ ପ୍ରୟୋଗ କରାଯାଉଥିବାରୁ ଏହା ଶରୀର ପାଇଁ କ୍ଷତିକାରକ ହୋଇ ବିଭିନ୍ନ ରୋଗ ସୃଷ୍ଟି କରୁଛି । ପୁରୁଣା ଧାନରୁ ହେଉଥିବା ଚାଉଳର ଭାତରେ ଯେଉଁ ସ୍ୱାଦ ରହିଥିଲା ତାହା ମଧ୍ୟ ଏହି ଚାଉଳରୁ ମିଳିପାରୁନାହିଁ । ପୁରୁଣା ଧାନ କିସମର ରୋଗ ପୋକ, ବର୍ଷା ଓ ମରୁଡ଼ି ସହଣୀୟ କ୍ଷମତା ରହିଥିଲା ଯେ କି ୧୫ ଦିନ ପର୍ଯ୍ୟନ୍ତ ଧାନ ଗଛ ପାଣିରେ ବୁଡ଼ି ରହୁଥିଲେ ବି ତାହାର ବିଶେଷ କ୍ଷତି ହେଉନଥିଲା । ବର୍ତ୍ତମାନର ବିହନରେ ହେଉଥିବା ଧାନ ଗଛଗୁଡ଼ିକ ୩/୪ ଦିନ ପାଣିରେ ବୁଡ଼ିରେ ରହିଲେ ଗଛର ବହୁ କ୍ଷତି ହୋଇଥାଏ । ପାରମ୍ପାରିକ ବିହନରେ ଏକର ପିଛା ୭/୮ କ୍ୱିଣ୍ଟାଲ ଧାନ ଅମଳ ହେଉଥିବା ବେଳେ ବର୍ତ୍ତମାନର ବିହନରେ ଏକର ପିଛା ୨୦ ରୁ ୨୫କ୍ୱିଣ୍ଟାଲ ଧାନ ଅମଳ ହେଉଛି । ତେଣୁ ଚାଷୀମାନେ ଅଧିକ ଅମଳକ୍ଷମ ଧାନ ବିହନ ଉପରେ ଗୁରୁତ୍ୱ ଦେଇ ବେଶ ଲାଭବାନ୍ ହେଉଥିଲା ବେଳେ ଏହି ଧାନ ଚାଉଳରୁ ପ୍ରସ୍ତୁତ ଭାତ ଶରୀର ପାଇଁ ହିତସାଧନ ହୋଇପାରୁନାହିଁ ବୋଲି କୃଷି ବୈଜ୍ଞାନିକ ମାନେ ମତ ଦେଇଥାନ୍ତି । ଅପରପକ୍ଷରେ କଟକ ବିଦ୍ୟାଧରପୁର କୃଷି ଧାନ ଗବେଷଣା କେନ୍ଦ୍ରରେ ଅନେକ ପ୍ରକାର ପୁରୁଣା ପାରମ୍ପାରିକ କିସମର ବିହନ ସଂରକ୍ଷିତ ରଖାଯାଇଛି । ସେହି ସବୁ ବିହନକୁ ପରୀକ୍ଷା ନିରୀକ୍ଷା କରାଯାଇ ନୂତନ କିସମର ପ୍ରତିରୋଧକ୍ଷମ ଜିନ୍ ପ୍ରୟୋଗ କରାଯାଇ ନୂଆ ବିହନ ସୃଷ୍ଟି କରାଯାଉଥିବା ଜଣାଯାଇଛି । କୃଷି ବିଭାଗ ପକ୍ଷରୁ ସଚେତନତା ଯୋଗୁଁ ଚାଷୀମାନେ ଏଭଳି ବିହନକୁ ନେଇ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ଜଣାଯାଇଛି । ପାରମ୍ପରିକ ଧାନକୁ ମଧ୍ୟ ବଞ୍ଚେଇ ରଖିବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande