ନାବାଳିକାକୁ ରାସ୍ତାରୁ ଉଠାଇନେଲେ, ଜୀବନ୍ତ ଜାଳି ମାରିଦେବାକୁ ଉଦ୍ୟମ : ଘଟଣାସ୍ଥଳରେ ପହଂଚିଲେ କେନ୍ଦ୍ରାଚଂଳ ଆଇଜି, ପୁରୀ ଏସପି
ପୁରୀ, ୧୯ ଜୁଲାଇ (ହି.ସ.)- ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଂଚଳରେ ଆଜି ସକାଳେ ଜଣେ ୧୬ ବର୍ଷିୟା ନାବାଳିକାକୁ ୩ ଜଣ ଦୁର୍ବୃତ ରାସ୍ତାରୁ ଉଠାଇ ନେଇ ନଦୀପଠାରେ କିରୋସିନି ଢାଳି ଜୀବନ୍ତ ଜାଳିଦେବାକୁ ଉଦ୍ୟମ କରିଥିଲେ । ଝିଅଟି ଜଳନ୍ତା ଅବସ୍ଥାରେ ଜୀବନ ବଂଚାଇବାକୁ ଦୌଡୁଥିବା ବେଳେ କିଛି ସ୍ଥାନୀୟ ଲୋକ ତାଙ
ନାବାଳିକାକୁ ରାସ୍ତାରୁ ଉଠାଇନେଲେ, ଜୀବନ୍ତ ଜାଳି ମାରିଦେବାକୁ ଉଦ୍ୟମ : ଘଟଣାସ୍ଥଳରେ ପହଂଚିଲେ କେନ୍ଦ୍ରାଚଂଳ ଆଇଜି, ପୁରୀ ଏସପି


ପୁରୀ, ୧୯ ଜୁଲାଇ (ହି.ସ.)- ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଂଚଳରେ ଆଜି ସକାଳେ ଜଣେ ୧୬ ବର୍ଷିୟା ନାବାଳିକାକୁ ୩ ଜଣ ଦୁର୍ବୃତ ରାସ୍ତାରୁ ଉଠାଇ ନେଇ ନଦୀପଠାରେ କିରୋସିନି ଢାଳି ଜୀବନ୍ତ ଜାଳିଦେବାକୁ ଉଦ୍ୟମ କରିଥିଲେ । ଝିଅଟି ଜଳନ୍ତା ଅବସ୍ଥାରେ ଜୀବନ ବଂଚାଇବାକୁ ଦୌଡୁଥିବା ବେଳେ କିଛି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ । ପ୍ରଥମେ ତାଙ୍କୁ ପିପିଲି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଏମ୍ସର ବର୍ଣ୍ଣ ୟୁନିଟ୍ ରେ ଭର୍ତି କରାଯାଇଛି । ମେଡିକାଲ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପୀଡ଼ିତାଙ୍କ ଶରୀରର ୭୦ ଭାଗ ପୋଡି ଯାଇଛି । ଖବର ପାଇ ଘଟଣାସ୍ଥଳରେ ବଳଙ୍ଗା ଥାନା ଅଧିକାରୀ, ପୁରୀ ଏସପି ପିନାକ ମିଶ୍ର ଏବଂ ସାଇଂଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ ପହଂଚି ଛାନଭିନ୍ କରିଛନ୍ତି । ପରେ କେନ୍ଦ୍ରାଚଂଳ ଆଇଜି ପ୍ରବୀଣ କୁମାର ଓ ନିମାପଡ଼ା ଏସଡିପିଓ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘଟଣାସ୍ଥଳରୁ ଦୁଇଟି ଅଧା କିରୋସିନି ବୋତଲ, ନାବାଳିକାର ପୋଡ଼ା କପଡ଼ାକୁ ଜବତ କରିଛି ସାଇଂଟିଫିକ୍ ଟିମ୍‌ । ଏହା ବ୍ୟତୀତ ଚୁଡ଼ି, ଚପଲ, ତାବିଜ ସହିତ ଏକ ଦିଆସିଲି ଉଦ୍ଧାର ହୋଇଛି । ଏ ସଂକ୍ରାନ୍ତରେ ପୀଡ଼ିତାଙ୍କ ମାଆ ବଳଙ୍ଗା ଥାନାରେ ଏତଲା କରିଛନ୍ତି ।

ଅନ୍ୟପକ୍ଷରେ ଜିଲ୍ଲାପାଳ ଚଂଚଳ ରାଣା ଏନେଇ ଦୁଃଖ ପ୍ରକାଶ କରିବା ସହ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ସେ କହିଛନ୍ତି ଯେ, ପୀଡ଼ିତାଙ୍କୁ ଆଇନଗତ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

ସେହିପରି ଏସପି ଶ୍ରୀ ମିଶ୍ର କହିଛନ୍ତି ଯେ, ଘଟଣା ସମ୍ପର୍କରେ ପୋଲିସ ଅନୁସନ୍ଧାନ ଜାରି ରଖିଛି । ଖୁବ୍ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଚିହ୍ନଟ ଓ ଗିରଫ କରାଯିବ ।

ସୂଚନାଥାଉକି, ନାବାଳିକା ଜଣକ ଆଜି ସକାଳୁ ତାଙ୍କ ସାଙ୍ଗ ଘରକୁ ବହି ଦେବାକୁ ଆସିଥିଲେ । ସେଠାରୁ ସେ ଫେରିବା ବେଳେ ବାଟରେ ତାଙ୍କୁ ଜୋରଜବରଦସ୍ତ ଉଠାଇନେଇଥିଲେ ସମ୍ପୃକ୍ତ ୩ ଜଣ ଦୁର୍ବୃତ । ସେମାନେ ମୁହଁରେ କପଡ଼ା ବାନ୍ଧି ଭାର୍ଗବୀ ନଦୀ ପଠାକୁ ତାଙ୍କୁ ନେଇଯାଇଥିଲେ । କିରୋସିନି ଢ଼ାଳି ନିଆଁ ଲଗାଇ ଜାଳିଦେବାକୁ ଉଦ୍ୟମ କରିଥିଲେ । ଝିଅଟି ଜୀବନ ବଂଚାଇବାକୁ ଦୌଡୁଥିବା ବେଳେ କିଛି ସ୍ଥାନୀୟ ଲୋକ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ତେବେ ଲୋକଙ୍କୁ ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande