ପୁରୀ, ୧୯ ଜୁଲାଇ (ହି.ସ.)- ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଂଚଳରେ ଆଜି ସକାଳେ ଜଣେ ୧୬ ବର୍ଷିୟା ନାବାଳିକାକୁ ୩ ଜଣ ଦୁର୍ବୃତ ରାସ୍ତାରୁ ଉଠାଇ ନେଇ ନଦୀପଠାରେ କିରୋସିନି ଢାଳି ଜୀବନ୍ତ ଜାଳିଦେବାକୁ ଉଦ୍ୟମ କରିଥିଲେ । ଝିଅଟି ଜଳନ୍ତା ଅବସ୍ଥାରେ ଜୀବନ ବଂଚାଇବାକୁ ଦୌଡୁଥିବା ବେଳେ କିଛି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ । ପ୍ରଥମେ ତାଙ୍କୁ ପିପିଲି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଏମ୍ସର ବର୍ଣ୍ଣ ୟୁନିଟ୍ ରେ ଭର୍ତି କରାଯାଇଛି । ମେଡିକାଲ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପୀଡ଼ିତାଙ୍କ ଶରୀରର ୭୦ ଭାଗ ପୋଡି ଯାଇଛି । ଖବର ପାଇ ଘଟଣାସ୍ଥଳରେ ବଳଙ୍ଗା ପୋଲିସ, ପୁରୀ ଏସପି ପିନାକ ମିଶ୍ର ଏବଂ ସାଇଂଟିଫିକ୍ ଟିମ୍ ପହଂଚି ଛାନଭିନ୍ ଆରମ୍ଭ କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳ ଚଂଚଳ ରାଣା ଦୁଃଖ ପ୍ରକାଶ କରିବା ସହ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ସେ କହିଛନ୍ତି ଯେ, ପୀଡ଼ିତାଙ୍କୁ ଆଇନଗତ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।
ଅନ୍ୟପକ୍ଷରେ ଏସପି ଶ୍ରୀ ମିଶ୍ର କହିଛନ୍ତି ଯେ, ଘଟଣା ସମ୍ପର୍କରେ ପୋଲିସ ଅନୁସନ୍ଧାନ ଜାରି ରଖିଛି । ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଚିହ୍ନଟ ଓ ଗିରଫ କରାଯିବ ।
ସୂଚନାଥାଉକି, ନାବାଳିକା ଜଣକ ଆଜି ସକାଳୁ ତାଙ୍କ ସାଙ୍ଗ ଘରକୁ ବହି ଦେବାକୁ ଆସିଥିଲେ । ସେଠାରୁ ସେ ଫେରିବା ବେଳେ ବାଟରେ ତାଙ୍କୁ ଉଠାଇନେଇଥିଲେ ସମ୍ପୃକ୍ତ ୩ ଜଣ ଦୁର୍ବୃତ । ସେମାନେ ମୁହଁରେ କପଡ଼ା ବାନ୍ଧି ଭାର୍ଗବୀ ନଦୀ ପଠାକୁ ତାଙ୍କୁ ନେଇଯାଇଥିଲେ । କିରୋସିନି ଢ଼ାଳି ନିଆଁ ଲଗାଇ ଜାଳିଦେବାକୁ ଉଦ୍ୟମ କରିଥିଲେ । ଅଘଟଣ ବେଳେ ସେଠାରେ ପହଂଚି ଥିଲେ କିଛି ସ୍ଥାନୀୟ ଲୋକ । ତେବେ ଲୋକଙ୍କୁ ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ ।
ହିନ୍ଦୁସ୍ଥାନ ସମାଚାର/ବିଜୟ/ପ୍ରଦୀପ୍ତ
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ