କେନ୍ଦୁଝର, ୧୯ ଜୁଲାଇ (ହି.ସ.)- କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଏବଂ ଫୁଟବଲ ଆସୋସିଏସନ ଅଫ ଓଡିଶା, ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ସହାୟତାରେ କେନ୍ଦୁଝର ଷ୍ଟାଡିୟମ ପଡିଆ ଠାରେ ଆଜି ୬୪ତମ ସାହାଣୀ କପ ସିନିଅର ଆନ୍ତଃ ଜିଲ୍ଲା ପୁରୁଷ ଫୁଟବଲ ଟୁର୍ନାମେଣ୍ଟର ଚତୁର୍ଥ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି l ଲିଗ କମ ନକ ଆଉଟ ପଦ୍ଧତିରେ ଅନୁଷ୍ଠିତ ଆଜିର ପ୍ରଥମ ଖେଳରେ ସୁନ୍ଦରଗଡ଼ ଜିଲ୍ଲା ସୁବର୍ଣ୍ଣପୁର ବିପକ୍ଷରେ ୨-୦ ଗୋଲରେ ଏକ ସହଜସାଧ୍ୟ ବିଜୟ ଲାଭ କରି ପୁରା ପଏଣ୍ଟ ହାସଲ କରିଛି l ପ୍ରଥମ ଖେଳ ଆରମ୍ଭ ହେବା ପରେ ଉଭୟ ଦଳ ପଡିଆ ସହ ଅଭ୍ୟସ୍ତ ହେବା ପୂର୍ବରୁ ସୁନ୍ଦରଗଡ଼ର ରାଇଟ ଉଇଙ୍ଗର ଜମିର ଓରାମ ପ୍ରଥମlର୍ଦ୍ଧର ଦ୍ୱିତୀୟ ମିନିଟରେ ଦଳ ପକ୍ଷରୁ ଗୋଲର ଶୁଭାରମ୍ଭ କରିବା ସହ ଦଳକୁ ଅଗ୍ରଣୀ କରାଇଥିଲେ l ଏହାପରେ ପୁନଶ୍ଚ ୧୮ତମ ମିନିଟରେ ସୁନ୍ଦରଗଡ଼ର ଷ୍ଟ୍ରାଇକର ମହେଶ ପ୍ରଧାନ ଦଳ ପକ୍ଷରୁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ l ପ୍ରଥମlର୍ଦ୍ଧର ଖେଳରେ ସୁନ୍ଦରଗଡ଼ ୨-୦ ଗୋଲରେ ଅଗ୍ରଣୀ ରହିବା ସତ୍ୱେ ଦ୍ୱିତୀୟlର୍ଦ୍ଧରେ ସୁବର୍ଣ୍ଣପୁର ପରସ୍ପର ମଧ୍ୟରେ ବୁଝାମଣା ରକ୍ଷା କରି କେତୋଟି ଉଲ୍ଲେଖନୀୟ ଆକ୍ରମଣ କରିଥିଲେ ମାତ୍ର ଶେଷ ସ୍ପର୍ଶ ଦେବାରେ ସଫଳ ହୋଇ ପାରିନଥିଲେ l
ଖେଳ ଆରମ୍ଭ ହେବା ପୂର୍ବରୁ ଆଜିର ଅତିଥି କେନ୍ଦୁଝର ପୌରପାଳିକାର ନଗରପାଳ ଶ୍ରୀମତୀ ନିକୁ ସାହୁ, ତେଲକୋଇ ବିଧାୟକ ଡ. ଫକୀର ମୋହନ ନାଏକ ଏବଂ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ସହ ଖେଳାଳି ମାନଙ୍କୁ ପରିଚିତ କରାଇ ଦିଆଯାଇଥିଲା l ଏହି ଟୁର୍ନାମେଣ୍ଟର ସଂଯୋଜକ ଗଣେଶ୍ୱର ମହାନ୍ତ, ଜିଲ୍ଲା କ୍ରୀଡା ସଂସ୍ଥା ଉପ ସଭାପତି ସୁରେଶ ଚନ୍ଦ୍ର ପଟ୍ଟନାୟକ,ସାଧାରଣ ସମ୍ପାଦକ ଡ. ଜନାର୍ଦ୍ଦନ ଦାଶ, ଯୁଗ୍ମ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ, ରବୀନ୍ଦ୍ର ପାଢ଼ୀ, କୋଷାଧକ୍ଷ ସରୋଜ ରଣା, କାଉନସିଲ ସଦସ୍ୟ , ରାଜକୁମାର ମିଶ୍ର,ସୁରେଶ ରଣା, ଗିରୀଶ ଚନ୍ଦ୍ର ହୋତା,ବୀରେନ୍ଦ୍ର ମହାନ୍ତ ଏବଂ ଦିଲ୍ଲୀପ କୁମାର ପଣ୍ଡା ପ୍ରମୁଖ ମଞ୍ଚାସିନ ହୋଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଆଜିର ପ୍ରଥମ ଖେଳରେ ଆଶୀର୍ବାଦ କାନୁନଗୋ ରେଫରୀ ଦାୟିତ୍ୱ ତୁଲାଇ ଥିବା ବେଳେ ଲାଇନରେ ଶୁଭମ ପାତ୍ର ଓ ଉତ୍କଳମଣି ବେହେରା ସହାୟତା କରିଥିଲେ l ଚତୁର୍ଥ ରେଫରୀ ଥିଲେ ଅରୁଣ ନାୟକ l ସେହିପରି ଦ୍ୱିତୀୟ ଖେଳରେ ଚକ୍ରଧର ଚାଟlର ରେଫରୀ ଦାୟିତ୍ୱ ତୁଲାଇ ଥିବା ବେଳେ ଲାଇନରେ ରତ୍ନାକର ସୋରେନ ଓ ଜଗନ୍ନାଥ କହ୍ନର ସହାୟତା କରିଥିଲେ l ଚତୁର୍ଥ ରେଫରୀ ଥିଲେ ରାଇ ମୋହନ ମୁର୍ମୁ l ଫୁଟବଲ ଆସୋସିଏସନ ଅଫ ଓଡିଶା ପକ୍ଷରୁ ଫାଓର ଯୁଗ୍ମ ସମ୍ପାଦକ ବିଶ୍ୱ ରଞ୍ଜନ ଘଡେଇ କେନ୍ଦୁଝର ଜୋନ ପାଇଁ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ବେଳେ ସଞ୍ଜୟ କୁମାର ନାଏକ, କରୁଣାକର ବେହେରା ଓ ସନ୍ତୋଷ ମହାରଣା ଚୟନକର୍ତ୍ତା ଭାବେ ସୁରେଶ କୁମାର ଦାଶ ମ୍ୟାଚ କମିଶନର ଦାୟିତ୍ୱ ନିର୍ବାହ କରିଥିଲେ l ଏହି ପ୍ରତିଯୋଗିତାରେ ଭାଷ୍ୟକାର ପ୍ରେମାନନ୍ଦ ମହାନ୍ତ ଧାରବିବରଣୀ ପ୍ରଦାନ କରିବା ସହ ଉପସ୍ଥିତ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA