ଭୁବନ, ୧୯ ଜୁଲାଇ (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନରେ ଦ୍ଵିତୀୟ ଦଶହରା ଓ ଗଣପର୍ବର ମାନ୍ୟତା ପାଇଥିବା ପ୍ରସିଦ୍ଧ ଗଣେଶ ପୂଜାରେ ଚଳିତ ବର୍ଷ ପ୍ରଭୁ ଶ୍ରୀରାମ ଲାଲାଙ୍କ ଅବିକଳ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ଶୋଭା ପାଇବ । ରୟାଲିୟନ୍ସ କ୍ଲବ ୨୦୧୨ ବ୍ୟାଚ ର ବାର ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନ ହାଇସ୍କୁଲ ପଡିଆରେ କାଠ, ବାଉଁଶ ଏବଂ ପ୍ଲାଏ ରେ ଅବିକଳ ଶ୍ରୀରାମ ମନ୍ଦିର ନିର୍ମାଣ କରାଯିବ । ଏଥିପାଇଁ ଶନିବାର ସକାଳ ଶୁଭ ମୁହୂର୍ତ୍ତରେ କ୍ଲବ ସଭାପତି ପିଣ୍ଟୁ ଦାସଙ୍କ ପୌରହିତ୍ୟରେ ଭୂମି ପୂଜନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନିର୍ମଳ ଚନ୍ଦ୍ର ପୋଥାଳ, ଲିଙ୍ଗରାଜ ସାହୁ, ସିଲୁ ନାୟକ, ଗୁଲସନ୍ କୁମାର ରାଉତ, ରାଜେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଗତ ବର୍ଷ ଗଣେଶ ପୂଜାରେ ଡ଼ାଜଲିଙ୍ଗ କ୍ଲବ ତରଫରୁ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ମନ୍ଦିର ନିର୍ମାଣ ଓ ମହାପ୍ରଭୁଙ୍କ ଗଜାନନ ବେଶ କରାଯାଇଥିଲା । ଯାହାକି ସାରା ରାଜ୍ୟରେ ଚର୍ଚ୍ଚିତ ହୋଇଥିଲା । ଚଳିତ ବର୍ଷ ମଧ୍ୟ ଅଯୋଧ୍ୟା ଶ୍ରୀରାମ ମନ୍ଦିର ରାଜ୍ୟରେ ଚର୍ଚ୍ଚା ହେବ ବୋଲି ରୟାଲିୟନ୍ସ କ୍ଲବ ସଦସ୍ୟ ଆଶା ରଖିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ