ଆବଶ୍ୟକ ହେଲେ ଦିଲ୍ଲୀ ଏମସ୍ ଏୟାର ଲିଫ୍ଟ ହେବେ ନାବାଳିକା
ଭୁବନେଶ୍ୱର, ୧୯ ଜୁଲାଇ (ହି.ସ)- ପୁରୀ ଜିଲ୍ଲାରେ ବଳଙ୍ଗାରେ ନାବାଳିକା ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମରେ ବିବୃତି ରଖିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ପୁରୀ ଜିଲ୍ଲାର ବଳଙ୍ଗା ଠାରେ ଗୋଟିଏ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କ ଦେହରେ କିଛି ଦୁର୍ବୃତ ନିଆଁ ଲଗାଇ ଦେଇଛନ୍ତି। ଏ ଘଟଣାରେ ପୋଲିସ୍ ଆମୂଳଚୂଳ ତଦନ୍ତ ଜାରି ରଖିଛି। ସମ୍ପୃକ୍ତ ପୀଡିତା ବର୍ତମାନ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସିତ ହେଉଛନ୍ତି। ପୀଡିତାଙ୍କ ଜୀବନ ରକ୍ଷା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି। ରାଜ୍ୟ ସରକାର ସମ୍ପୃକ୍ତ ପୀଡିତାଙ୍କୁ ଏୟାରଲିଫ୍ଟ କରି ଦିଲ୍ଲୀ ଏମ୍ସରେ ଚିକିତ୍ସା କରିବା ପାଇଁ ପ୍ରସ୍ତୁତ ଅଛନ୍ତି।
ପୀଡିତାଙ୍କ ସ୍ୱାସ୍ଥ୍ୟ ପରିସ୍ଥିତି ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗ ଏବଂ ସିଏମ୍ଓ ଏମ୍ସ କର୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ପରିସ୍ଥିତି ସମ୍ପର୍କରେ ଖବର ରଖାଯାଉଛି। ଯଦି ତାଙ୍କୁ ଏୟାରଲିଫ୍ଟ କରିବା ପାଇଁ ପରିସ୍ଥିତି ଅନୁକୂଳ ହୁଏ ଏବଂ ଏଥିପାଇଁ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ଅନୁମୋଦନ ଦିଅନ୍ତି, ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଦିଲ୍ଲୀ ନେବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ।
ଏହି ଘଟଣାରେ ଅପରାଧୀ ଯେଉଁଠାରେ ଥିଲେ ବି ନିଶ୍ଚିତ ଭାବରେ ଧରା ପଡ଼ିବେ । ପୋଲିସ ଟିମ୍ ଅପରେସନ ମୋଡରେ ଅଛନ୍ତି। ଆଇନ ଅନୁଯାୟୀ ଅପରାଧୀଙ୍କୁ କଠୋରରୁ କଠୋରତମ ଦଣ୍ଡ ପ୍ରଦାନ କରାଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା