ଗୁରୁତର ଯୁବକଙ୍କୁ ନୂଆ ଜୀବନ ଦେଲା ସୁନ୍ଦରଗଡ଼ ମେଡ଼ିକାଲ୍ କଲେଜ
ଭୁବନେଶ୍ୱର, ୧୯ ଜୁଲାଇ (ହି.ସ)- ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ ସର୍ଜରୀ ବିଭାଗଙ୍କ ସମୟୋଚିତ ଓ ସଠିକ୍ ଚିକିତ୍ସା ହେତୁ ଜଣେ ଅତି ଗୁରୁତର ରୋଗୀ ନୂଆ ଜୀବନ ପାଇଛନ୍ତି । ଏହି ବିଭାଗର ତୁରନ୍ତ ଓ ଉଚ୍ଚମାନର ସେବା ପାଇଁ ରୋଗୀଙ୍କର ପରିବାର ବର୍ଗ ଅପରେସନ କରିଥିବା ଟିମ୍ , ଡାକ୍ତର, ଷ୍ଟ
ଗୁରୁତର ଯୁବକଙ୍କୁ ନୂଆ ଜୀବନ ଦେଲା ସୁନ୍ଦରଗଡ଼ ମେଡ଼ିକାଲ୍ କଲେଜ


ଭୁବନେଶ୍ୱର, ୧୯ ଜୁଲାଇ (ହି.ସ)- ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ ସର୍ଜରୀ ବିଭାଗଙ୍କ ସମୟୋଚିତ ଓ ସଠିକ୍ ଚିକିତ୍ସା ହେତୁ ଜଣେ ଅତି ଗୁରୁତର ରୋଗୀ ନୂଆ ଜୀବନ ପାଇଛନ୍ତି । ଏହି ବିଭାଗର ତୁରନ୍ତ ଓ ଉଚ୍ଚମାନର ସେବା ପାଇଁ ରୋଗୀଙ୍କର ପରିବାର ବର୍ଗ ଅପରେସନ କରିଥିବା ଟିମ୍ , ଡାକ୍ତର, ଷ୍ଟାଫ୍‌, ଏବଂ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ଚଳିତ ମାସ ୧୬ ତାରିଖ ଦିନ ପ୍ରାୟ ରାତି ୯ ଟା ସମୟରେ କିଞ୍ଜିରିକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଖାପାଖି ଅଞ୍ଚଳରେ ଜଣେ ୪୦ ବର୍ଷ ବୟସ୍କ ପୁରୁଷ ଲୋକଙ୍କ ତଳିପେଟରେ ଛୁରୀ ଦ୍ୱାରା ଗଭୀର ଆଘାତ ହୋଇଥିଲା। ତାଙ୍କୁ ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଡ଼ମିଶନ କରାଯାଇଥିଲା । ଆବଶ୍ୟକୀୟ ଚିକିତ୍ସା ପରେ ରୋଗୀଙ୍କର ତଳିପେଟରେ କ୍ଷତ ଗୁରୁତର ଥିବାରୁ ତାଙ୍କୁ ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲକୁ ଅଣାଯାଇଥିଲା। ପେଟରେ କ୍ଷତ ହୋଇ ଅନ୍ତନଳୀର କିଛି ଅଂଶ ବାହାରି ଆସିଥିଲା । ୧୭ ତାରିଖ ଦିନ ସେ ମେଡିକାଲ କଲେଜ ହସ୍ପିଟାଲ ଆଶୁ ଚିକିତ୍ସା କେନ୍ଦ୍ରରେ ଆଡ଼ମିଶନ ହୋଇଥିଲେ । ସେଠାରେ ଆବଶ୍ୟକୀୟ ଚିକିତ୍ସା ସହ ରୋଗୀଙ୍କୁ ସ୍ୱାଭାବିକ କଲାପରେ ୱାର୍ଡକୁ ପଠାଯାଇଥିଲା । ସଂଗେସଂଗେ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା କରାଯାଇ ସେହି ଦିନ ତାଙ୍କର ଅପରେସନ ନିମନ୍ତେ ଯୋଜନା କରାଯାଇଥିଲା ।

କର୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ତୁରନ୍ତ ବିଶେଷଜ୍ଞ ସର୍ଜରୀ ଟିମ୍ ଗଠନ କରାଯାଇଥିଲା । ଆସୋସିଏଟ ପ୍ରଫେସର ଡ଼ା. ରବି ନାରାୟଣ ଗୁରୁ, ସହକାରୀ ପ୍ରଫେସର ଡ଼ା. ଅରବିନ୍ଦ ଝା, ବରିଷ୍ଠ ଆବାସିକ ଡାକ୍ତର ଅଭିଜିତ, ନିଶେତକ ଡ଼ା. ମିନାକ୍ଷୀ ପାଣ୍ଡେ ଆଦି ପ୍ରମୁଖ ଟିମ୍ ରେ ସାମିଲ ହୋଇଥିଲେ । ପ୍ରଫେସର ପି.କେ ଦଳେଇ ଏବଂ ଅତିରିକ୍ତ ଅଧ୍ୟକ୍ଷ ଲକ୍ଷ୍ମୀଧର ପାଢୀଙ୍କ ଯୁଗ୍ମ ତତ୍ୱାବଧାନରେ ସମୁଦାୟ ସର୍ଜରୀ ପ୍ଲାନ୍ ପ୍ରସ୍ତୁତ ହୋଇଥିଲା ।

ସେହି ୧୭ ତାରିଖ ଦିନ ରୋଗୀଙ୍କର ଅପରେସନ କରାଗଲା । ଅପରେସନ ପ୍ରକ୍ରିୟା ପ୍ରାୟ ୨ ଘଣ୍ଟା ଧରି ଚାଲିଲା ।ଅପରେସନ ପରେ ରୋଗୀ ନୂଆ ଜୀବନ ପାଇଲେ । ବର୍ତମାନ ରୋଗୀ ୱାର୍ଡରେ ଅଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଡାକ୍ତରମାନେ ପୂର୍ଣ୍ଣ ଦୃଷ୍ଟି ରଖିଛନ୍ତି । ତାଙ୍କର ଶାରୀରିକ ଅବସ୍ଥାରେ ଭଲ ଉନ୍ନତି ଘଟୁଛି ବୋଲି ଚିକିତ୍ସା କରୁଥିବା ଡ଼ାକ୍ତର କହିଛନ୍ତି ।ମେଡିକାଲ କଲେଜର ଅତିରିକ୍ତ ଅଧ୍ୟକ୍ଷ ପ୍ରଫେସର ପାଢ଼ୀ କହିଛନ୍ତି ଯେ ''ବର୍ତମାନର ଆରୋଗ୍ୟ ହାର ବଜାୟ ରଖିଲେ ପ୍ରାୟ ୭ ଦିନ ମଧ୍ୟରେ ରୋଗୀଙ୍କୁ ହସପିଟାଲରୁ ଡିସଚାର୍ଜ କରାଯିବ ଏବଂ ଡିସଚାର୍ଜର ୭ ଦିନ ପରେ ତାଙ୍କ ଅବସ୍ଥାରେ ପୁନଃ ନିରୀକ୍ଷଣ କରାଯିବ । ଆଗାମୀ ୧୫ ଦିନ ମଧ୍ୟରେ ସେ ସୁସ୍ଥତା ଲାଭ କରିବେ ବୋଲି ଆମେ ଆଶା କରୁଛୁ'' ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande