ଧର୍ମଶାଳା,୧୯ ଜୁଲାଇ(ହି.ସ.) - ଶିଶୁ ମନସ୍ତତ୍ୱ ଆଧାରିତ ଓ ଶିଶୁ ମନଲାଖି ଅସଲି ଠୋସ୍ ଅନୁଭବର ସାହିତ୍ୟ ହିଁ ଶିଶୁ ସାହିତ୍ୟ ବୋଲି ଆଜି ଯାଜପୁର ଜିଲା ଶାଖା ଉତ୍କଳ ସାହିତ୍ୟ ସମାଜର ବନ୍ଧୁ ମିଳନ ଅବସରରେ କବିତାପାଠୋତ୍ସବ ଓ ସମ୍ବର୍ଦ୍ଧନା ପର୍ବରେ ବକ୍ତାମାନେ ଆଲୋଚନା ପ୍ରସଙ୍ଗରେ ମତବ୍ୟକ୍ତ କରିଥିଲେ । ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅରେଇକଣା ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ଉତ୍କଳ ସାହିତ୍ୟ ସମାଜର ଆବାହକ ଡ. ରୁଦ୍ରନାରାୟଣ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ସାହିତ୍ୟ ସୃଜନୀ କ୍ଲବ ସହଯୋଗରେ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିଲା । ଏହି ବିଶେଷ ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଡ. ସୂର୍ଯ୍ୟମଣୀ ଖୁଂଟିଆ,ଗୋକର୍ଣ୍ଣିକା ସାହିତ୍ୟ ସମାଜର ସଭାପତି ଡ. ରମାକାନ୍ତ ଜେନା ଓ ଧର୍ମଶାଳା ସାହିତ୍ୟ ସମାଜ ସମ୍ପାଦକ ଡ. ପ୍ରଶାନ୍ତ କୁମାର ସ୍ୱାଇଁ ଅତିଥିଭାବେ ଯୋଗ ଦେଇ ସାହିତ୍ୟ ସମ୍ପର୍କୀତ ବିସ୍ତୃତ ଆଲୋଚନା କରିଥିଲେ । ଚଳିତ ବର୍ଷ କେନ୍ଦ୍ର ବାଲ୍ ସାହିତ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ବିଶିଷ୍ଟ ସାହିତ୍ୟିକାର ଡ. ରାଜକିଶୋର ପାଢୀଙ୍କୁ ଉତ୍କଳ ସାହିତ୍ୟ ସମାଜ ଯାଜପୁର ଶାଖା,ଗୋକର୍ଣ୍ଣିକା ସାହିତ୍ୟ ସମାଜ ଓ ଅରେଇକଣା ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଅତିଥିମାନେ ସ୍ମାରକୀ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ସଂଯୋଜିକା ସଂଯୁକ୍ତା ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଏହି ଅବସରରେ ଗଣେଶ୍ୱର ବେହେରାଙ୍କ ସଂଯୋଜନାରେ ବିଦ୍ୟାଳୟର ୧୫ଜଣ ଛାତ୍ରଛାତ୍ରୀଙ୍କ ସମତେ ଅଧ୍ୟାପକ ତୁହିନାଂଶୁ ରଥ,ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ,ଗାୟତ୍ରୀ ମିଶ୍ର,ପ୍ରଣତିପ୍ରୀତି ନନ୍ଦା ନାୟକ,ଅକ୍ଷୟ ବାରିକ,ଜିତେନ୍ଦ୍ର ବେହେରା,ପ୍ରହଲ୍ଲାଦ ପଣ୍ଡା,ରାମଚନ୍ଦ୍ର ଦାସ,ଖଗେଶ୍ୱର ସାହୁ,ପ୍ରଭାତ ମଲ୍ଲିକ,ବୈଦନାଥ ପଣ୍ଡା,ସୁବାସ ଚନ୍ଦ୍ର ମହାପାତ୍ର,ଯୁଗଳ କିଶୋର ଦାସ,ବନସ୍ମିତା ପଣ୍ଡା ଓ ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ସ୍ୱରଚିତ କବିତାପାଠ କରିଥିଲେ । ଶେଷରେ ବ୍ୟଙ୍ଗ କବି ବାଇଧର ମାଝି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷାକର୍ମୀ ଓ ସାହିତ୍ୟ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ