ଧର୍ମଶାଳା,୧୯ଜୁଲାଇ(ହି.ସ.) - ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତ ଅଂଚଳରୁ ଜଣେ ନାବାଳିକା ଅପହରଣ କରିନେବା ଘଟଣାରେ ଜଣେ ଯୁବକକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଯୁବକ ଜଣକ ହେଲେ ବନ୍ଧଡିହ ପଂଚାୟତ ଅନ୍ତର୍ଗତ କିଆଁବାରିଆସାହି ଗ୍ରାମର ଦୂର୍ଗା ଚରଣ ମଳିକଙ୍କ ପୁଅ ସନ୍ତୋଷ(୩୬) ବୋଲି ଜଣାପଡିଛି । ପୋଲିସ ସନ୍ତୋଷକୁ ବ୍ରହ୍ମପୁର ଅଂଚଳରୁ ଗିରଫ କରିଥିବା ବେଳେ ନାବାଳିକାକୁ ଉଦ୍ଧାର କରି ପରିବାରଙ୍କୁ ଜିମା ଦେଇଥିବା ଜଣାପଡିଛି ।
ସୂଚନା ମୁତାବକ, ବ୍ରହ୍ମବରଦା ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତ ଅଂଚଳରୁ ଜଣେ ନାବାଳିକାକୁ ପ୍ରଲୋଭନ ଦେଖାଇ କିଆଁବାରିଆସାହି ଗ୍ରାମର ସନ୍ତୋଷ ତାଙ୍କ ଚଳିତ ମାସ ୧୬ ତାରିଖ ଦିନ ଉଠାଇ ନେଇଥିଲା । ଏନେଇ ନାବାଳିକାର ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଏତଲାକୁ ଆଧାର କରି ପୋଲିସ ମୋବାଇଲ ଫୋନକୁ ଟ୍ରାକ୍ କରି ଉଭୟଙ୍କୁ ବ୍ରହ୍ମପୁର ଅଂଚଳରୁ ଠାବ କରିଥିଲା । ସନ୍ତୋଷ ପୂର୍ବରୁ ବିବାହିତ । ତାର ତିନୋଟି ସନ୍ତାନ ଥିବା ଜଣାପଡିଛି । ସନ୍ତୋଷ କିଛି ଦିନ ହେବ ତାର ଶଶୁର ଘର ମଙ୍ଗରାଜପୁର ଅଂଚଳରେ ରହି ଆସୁଥିଲା ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ