ବାରିପଦା, ୨୦ ଜୁଲାଇ (ହି.ସ.)- ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡ଼ିଗଲା ଦ୍ରୁତଗାମୀ କାର୍। ଚାଳକ ମୃତ। ମୃତକ ଜଣକ ହେଲେ ବିଜେଡି ନେତ୍ରୀ ଛବି ମାହାଲିଙ୍କ ସ୍ୱାମୀ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ସନତ ପଟ୍ଟନାୟକଙ୍କ ପୁଅ ତଥା ବାରିପଦା ଶ୍ରୀମା ମହିଳା ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ ରାଜଦୀପ ପଟ୍ଟନାୟକ। ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ପଦ୍ମନାଭପୁର ଟୋଲଗେଟରେ ରବିବାର ସକାଳେ ଏକ ଦ୍ରୁତଗାମୀ କାର ଭାରସାମ୍ୟ ହରାଇ ଟୋଲଗେଟର ୩ ନମ୍ବର ବୁଥ ଉପରକୁ ମାଡିଯିବା କାରଣରୁ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ l ତେବେ ବାରିପଦା ଡାକ୍ତରଖାନାରେ ଗୁରୁତରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l
ପ୍ରାପ୍ତ ସୂଚନାରୁ ଜଣାପଡିଛି, ବାରିପଦା ପୌର ପରିଷଦର ଭଞ୍ଜପୁର ୱାଲିଗଞ୍ଜ ଅଞ୍ଚଳ ତଥା ଶ୍ରୀମା ମହିଳା ମହାବିଦ୍ୟାଳୟର ଅଧ୍ୟାପକ ରାଜଦୀପ ପଟ୍ଟନାୟକ ଅଜୟ ନାଏକଙ୍କ ସହିତ ଓଡି -୧୧ଏମ -୬୭୧୬ ନମ୍ବର ବିଶିଷ୍ଟ ଏକ କାରରେ ଦ୍ରୁତଗତିରେ ଭୁବନେଶ୍ୱରରୁ ନିଜ ଘର ବାରିପଦାକୁ ଫେରିବା ସମୟରେ ୧୮ ନମ୍ବର ଜାତୀୟ ରାଜପଥର ବୈଶିଙ୍ଗା ଥାନା ଅଧୀନ ପଦ୍ମନାଭପୁର ଟୋଲଗେଟ ଠାରେ କାରଟି ନିୟନ୍ତ୍ରଣ ହରାଇ ଗେଟର ତିନିନମ୍ବର ବୁଥ ଉପରକୁ ମାଡ଼ି ଯାଇଥିଲା l କାର ଚାଳକ ରାଜଦୀପ ପଟ୍ଟନାୟକ ଗୁରୁତର ଆହତ ହୋଇଥିବା ବେଳେ ଅଜୟ ନାଏକ ସାମାନ୍ୟ ଆହତ ହୋଇଥିଲେ l ଦୁର୍ଘଟଣା ସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ତେବେ ରାଜଦୀପଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖାରପ ହେବାରୁ ତାଙ୍କୁ ବାରିପଦା ପି ଆର ଏମ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ଏବଂ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବାର ସୂଚନା ମିଳିଛି । ଖବରପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ ସହାୟତାରେ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିଛି l ପ୍ରକାଶ ଥାଉକି, ସ୍ବର୍ଗତଃ ପଟ୍ଟନାୟକ ଏକାଧାରରେ ଜଣେ ସମାଜ ସୁଧାରକ, ଶିକ୍ଷାବିତ ରହିଥିଲେ । ସେ ପ୍ରଥମେ ଦିଲ୍ଲୀ ଟାଇମ୍ସ ଅଫ ଇଣ୍ଡିଆରେ ସବ-ଏଡିଟର ଭାବେ କାର୍ଯ୍ୟ କରିଥିଲେ । ଏହାପରେ ଏନଡି ଟିଭି କାର୍ଯ୍ୟାଳୟରେ ବ୍ଲକ ଦାୟିତ୍ୱ ସମ୍ଭାଳି ଥିଲେ । ଶେଷରେ ପାରିବାରିକ କାରଣରୁ ନିଜର ଜନ୍ମ ମାଟି ବାରିପଦାକୁ ଫେରି ଶ୍ରୀମା ମହିଳା ମହାବିଦ୍ୟାଳୟରେ ଇଂରାଜୀ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ସ୍ବର୍ଗତଃ ପଟ୍ଟନାୟକ ସମାଜରେ ଜାତି ପ୍ରଥାକୁ ଘୋର ବିରୋଧ କରୁଥିଲେ ଏବଂ ନିଜେ ଅନୁସୂଚିତ ଜନଜାତି ସମ୍ପ୍ରଦାୟରୁ ଜଣେ ଉଚ୍ଚ ଶିକ୍ଷିତା ଯୁବତୀଙ୍କୁ ଧର୍ମପତ୍ନୀ ଭାବେ ହିନ୍ଦୁ ଧର୍ମର ବୈଦିକ ରୀତିନୀତି ଅନୁସାରେ ଗ୍ରହଣ କରିଥିଲେ । ତାଙ୍କର ଏକ କନ୍ୟା ସନ୍ତାନ ରହିଛନ୍ତି । ଭୁବନେଶ୍ୱରରେ ଧର୍ମପତ୍ନୀ ଓ କନ୍ୟା ରହୁଥିବା ବେଳେ ସ୍ବର୍ଗତଃ ପଟ୍ଟନାୟକ ସେମାନଙ୍କୁ ଭେଟି ଫେରିବା ବାଟରେ ସଡ଼କ ଦୁର୍ଘଟଣା କାରଣରୁ ପ୍ରାଣ ହରାଇଥିଲେ । ଆଜି ବାରିପଦାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ