ଭଦ୍ରକ, ୬ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବୋଡ଼କ ପଂଚାୟତର ହଟନଗର-ଓରାଳି ରାସ୍ତାଟି ପାଣିରେ ବୁଡ଼ି ରହିଛି । ଯାହାଫଳରେ ଓରାଳି ହଟନଗର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଓରାଳି ଗ୍ରାମର ୩ଶହ ପରିବାର ଜଳବନ୍ଦୀରେ ରହିଛନ୍ତି । ହଟନଗର ଠାରେ ଥିବା ରେବନଦୀରେ ସୁରକ୍ଷା ପ୍ରାଚୀର ନିର୍ମାଣ ଅଧାପନ୍ତରିଆ ହୋଇ ପଡ଼ି ରହିଛି । ସୁରକ୍ଷା ପ୍ରାଚୀର ନିର୍ମାଣ କରୁଥିବା ଠିକାଦାର ନିର୍ମାଣ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି । ଏହି ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ସାଳନ୍ଦୀ ଜଳସେଚନ ବିଭାଗ ପକ୍ଷରୁ ୨କୋଟି ୧୦ଲକ୍ଷ ଟଙ୍କା ମଂଜୁର ହୋଇ ନିର୍ମାଣ କାର୍ଯ୍ୟ ଚାଲିଥିଲା । ମାତ୍ର ଠିକାଦାର ନିର୍ମାଣ କାର୍ଯ୍ୟକୁ ଅଧାରୁ ଛାଡ଼ି ଦେଇଥିବାରୁ ଓରାଳି-ହଟନଗର ରାସ୍ତା ପାଣିରେ ବୁଡ଼ି ରହିଛି । ବର୍ଷାଦିନ ପୂର୍ବରୁ ସରକାରଙ୍କ ଠାରୁ ଅନୁଦାନ ଯୋଗାଇ ଦିଆଯାଇ ସୁରକ୍ଷା ପ୍ରାଚୀର ନିର୍ମାଣ କରାଯାଉଥିଲା । ମାତ୍ର ଠିକାଦାରଙ୍କ ଅବହେଳା ପାଇଁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ । ଯେଉଁଥିପାଇଁ ନଦୀରେ ବନ୍ୟା ଆସି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଓରାଳି-ହଟନଗର ରାସ୍ତାଟି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ଯାଇଛି । ଯାହାଫଳରେ ଓରାଳି ଗ୍ରାମର ୨ହଜାର ଲୋକ ରାସ୍ତାରେ ଯାତାୟତ କରି ନପାରି ପାଣି ଘେରରେ ରହିଛନ୍ତି । ସ୍କୁଲ ପିଲାମାନେ ମଧ୍ୟ ରାସ୍ତାରେ ଯାଇ ପାରୁନାହାନ୍ତି । ନଦୀରେ କୁମ୍ଭୀର ଭୟ ଥିବାରୁ ଲୋକମାନେ ଆତଂକିତ ଅବସ୍ଥାରେ ରହିଛନ୍ତି । ରାସ୍ତାଟି ପାଣିରେ ବୁଡ଼ି ରହିଥିବାରୁ ଓରାଳି ଗ୍ରାମକୁ କୌଣସି ଜରୁରୀ କାଳୀନ ଗାଡ଼ି ଯାଇ ପାରୁନାହିଁ । ଓରାଳି ଗ୍ରାମରେ ଅଗ୍ନିକାଣ୍ଠ ଘଟିଲେ କିମ୍ବା କୌଣସି ଲୋକ ଗୁରୁତର ଅସୁସ୍ଥ ହେଲେ ସେମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା କଷ୍ଟସାଧ୍ୟ ହୋଇ ପଡ଼ିଛି । ତୁରନ୍ତ ସୁରକ୍ଷା ପ୍ରାଚୀର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ସହିତ ରାସ୍ତା ନିର୍ମାଣ କରାଯିବାକୁ ଦାବି କରାଯାଇଛି । ତେବେ ଏ ସମ୍ପର୍କରେ ଗ୍ରାମ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ କୃତିବାସ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଯାଇଛି, ଅନୁଦାନ ଆସିଲେ ରାସ୍ତା ନିର୍ମାଣ ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ