ଭଦ୍ରକ, ୬ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଂଚାୟତ ଅଧୀନ ତଳଦୁମୁକା ଗ୍ରାମର ଧନେଶ୍ୱର ଖିଲାର (୩୯) ନାମକ ଜଣେ ଦିବ୍ୟାଙ୍ଗ ଓ ହରସିଂହପୁର ପଂଚାୟତ ତଳସାହି ଗ୍ରାମର ରବିନ୍ଦ୍ର ଦାସ (୫୮) ନାମକ ଜଣେ ବୃଦ୍ଧ ପୋଖରୀରେ ପଡ଼ି ମୃତ୍ୟୁବରଣ କରିଥିବା ଜଣାଯାଇଛି । ପ୍ରକାଶ ଯେ ତଳଦୁମୁକା ଗ୍ରାମର ଦିବ୍ୟାଙ୍ଗ ଧନେଶ୍ୱର ଖିଲାର ମଙ୍ଗଳବାର ଅପରାହ୍ଣରେ ବିଲରୁ ଫେରି ଗ୍ରାମରେ ଥିବା ଏକ ଦଳଭର୍ତି ପୋଖରୀରେ ଧୁଆଧୋଇ ହେଉଥିବା ସମୟରେ କୌଣସି କାରଣରୁ ତାଙ୍କର ଗୋଡ଼ ଖସି ଯାଇଥିଲା । ଫଳରେ ସେ ପୋଖରୀରେ ପଡ଼ି ଯାଇଥିଲେ । ଖୋଜାଖୋଜି କରିବା ପରେ ପୋଖରୀ କୂଳରେ ତାଙ୍କ ଗାମୁଛାଟି ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ପରେ ପୋଖରୀରେ ଖୋଜାଖୋଜି କରିବା ସହିତ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ବୁଧବାର ସକାଳେ ଗ୍ରାମବାସୀ ଏବଂ ଦମକଳ ବାହିନୀ ପୋଖରୀରୁ ଧନେଶ୍ୱରଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ । ଏ ସମ୍ପର୍କରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇ ପଠାଇଥିବା ଜଣାଯାଇଛି । ସେହିପରି ହରସିହପୁର ତଳସାହି ଗ୍ରାମର ରବିନ୍ଦ୍ର ଦାସ ନାମକ ଜଣେ ବୃଦ୍ଧ ବିଲରୁ କାମ କରି ବୁଧବାର ମଧ୍ୟାହ୍ନ ସମୟରେ ଫେରି ଗ୍ରାମରେ ଥିବା ଯତି ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଗୋଡ଼ ଖସି ଯିବାରୁ ସେ ପୋଖରୀରେ ପଡ଼ି ଯାଇଥିଲେ । ଗ୍ରାମବାସୀ ଖୋଜା ଖୋଜି କରି ପୋଖରୀରୁ ରବିନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତିହିଡ଼ି ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପାଠାଇଥିବା ଜଣାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ