ଭୁବନେଶ୍ୱର,୦୬ ଅଗଷ୍ଟ (ହି.ସ.)- ବନ୍ୟା ନିୟନ୍ତ୍ରଣ ପାଇଁ ବଡ଼ ପଦକ୍ଷେପ ନେବେ ରାଜ୍ୟ ସରକାର । ଏ ନେଇ ଗତକାଲି ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଝାଡ଼ଖଣ୍ଡରେ ବନ୍ଧ ଅସମ୍ପୂର୍ଣ୍ଣ ଥିବାରୁ ବଳକା ପାଣି ଓଡ଼ିଶାକୁ ଆସୁଛି। ଫଳରେ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ବିନା ବର୍ଷାରେ ମଧ୍ୟ ବନ୍ୟା ହେଉଛି । ତେଣୁ ଏହି ସମସ୍ୟା ସମାଧାନ ଲାଗି ଝାଡ଼ଖଣ୍ଡ ସହ ଆଲୋଚନା କରିବାକୁ ଜଳସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ଝାଡ଼ଖଣ୍ଡ ପାଣି ଯୋଗୁଁ ବନ୍ୟା ନହେବା ପାଇଁ କେନ୍ଦ୍ର ଜଳ ଆୟୋଗଙ୍କ ମଧ୍ୟ ଏ ବାବଦରେ ଅବଗତ କରିବେ ରାଜ୍ୟ ସରକାର। ଏହାସହ ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଅଂଚଳରେ ଭୂମି ଲେଭେଲ ଏବଂ ସି ଲେଭେଲ ସମାନ ହୋଇଯାଉଛି । ତେଣୁ ପାଣି ସହଜରେ ଡିସଚାର୍ଜ ହୋଇପାରୁନାହିଁ। ମୁଖ୍ୟତଃ ବୈତରଣୀ ନଦୀର ବନ୍ୟା ଜଳ ଡ୍ରେଜିଂ ହୋଇପାରିବ କି, ସେ ନେଇ ବିଶେଷଜ୍ଞ ମାନଙ୍କ ପରାମର୍ଶ ନେବାକୁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ। ଏହାସହ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ ଆଦି ନଦୀରେ ସ୍ପିଲ୍ ୱେ କରି ଜଳ ସଂରକ୍ଷଣ ପାଇଁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ଆଗରୁ ମହାନଦୀ ଆମ ପାଇଁ ବନ୍ୟାର କାରଣ ହେଉଥିଲା । ଏବେ ବୁଢ଼ାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଆଦି ନଦୀରେ ମଧ୍ୟ ବନ୍ୟା ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା