କେନ୍ଦ୍ରାପଡ଼ା, ୦୬ ଅଗଷ୍ଟ(ହି.ସ.) – ନିଖିଳ ଓଡିଶା ୬୬୨ ଅନୁଦାନ ପ୍ରାପ୍ତ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର କେନ୍ଦ୍ରାପଡା ଜିଲ୍ଲା ଶାଖାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର କେନ୍ଦ୍ରାପଡା ଜିଲ୍ଲପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଦୀର୍ଘ ବର୍ଷ ହେଲା ଏହି ବର୍ଗର କଲେଜ ଅଧ୍ୟାପକ/ଅଧ୍ୟାପିକା ଓ ଅନ୍ୟ କର୍ମଚାରୀ ମାନେ +୨ ଓ +୩ କଲେଜ ମାନଙ୍କରେ କାର୍ଯ୍ୟ କରି ଆସୁଥିବା ବେଳେ ରାଜ୍ୟ ସରକାର ବ୍ଲକ ଗ୍ରାଣ୍ଟ ମାଧ୍ୟମରେ ସେମାନଙ୍କୁ ଅଳ୍ପ କିଛି ପାରିଶ୍ରମିକ ଦେଇ ଆସୁଛନ୍ତି । ମାତ୍ର ଏହି କର୍ମଚାରୀମାନେ ଅବସର ନେବାପରେ କୈାଣସି ଅବସରକଳୀନ ପେନଶନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ନଥିବାରୁ ଦୁସ୍ଥ ପରିସ୍ଥିତିରେ ଜୀବିକା ନିର୍ବାହ କରୁଛନ୍ତି । ଏ ବିଷୟରେ ମୁଖ୍ୟମନ୍ତ୍ରୀ ବିଚାର କରି ଏହି ବର୍ଗର କଲେଜ ଅଧ୍ୟାପକ/ଅଧ୍ୟାପିକା ଓ ଅନ୍ୟ କର୍ମଚାରୀ ମାନଙ୍କ ପ୍ରତି ଅବସର କାଳୀନ ପେନଶନ ଲାଗୁ କରିବା ପାଇଁ ଦାବି କରାଯାଇଛି । ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ବସନ୍ତ କୁମାର ମିଶ୍ର, ରସାନନ୍ଦ ମହାନ୍ତି, ବିକାଶ ଚନ୍ଦ୍ର ଦାସ, ଭଗବତୀ ରାଉତ, ପୁଷ୍ପିତା ବିଶ୍ୱାଳ, କିନୁ ଚରଣ ପ୍ରଧାନ, ରବିନ୍ଦ୍ର କୁମାର ରାଉତ, ବିଭୂତି ବଳ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି