ଶିମଲା, 6 ଅଗଷ୍ଟ (ହି.ସ.)-ହିମାଚଳ ପ୍ରଦେଶରେ ମୂଷଳଧାରରେ
ବର୍ଷା ଯୋଗୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ଗତରାତି ଠାରୁ
ଚାଲିଥିବା ପ୍ରବଳ ବର୍ଷା ଫଳରେ ଅନେକ ସ୍ଥାନରେ ପାହାଡ଼ ଧସିବା (ଭୂସ୍ଖଳନ) ଏବଂ ବନ୍ୟା ସମସ୍ୟା
ସୃଷ୍ଟି ହୋଇଛି। ଲୋକଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି କିଛି ଜିଲ୍ଲାରେ ସ୍କୁଲ,
କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ
କରିବାକୁ ଘୋଷଣା କରାଯାଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ୧୨ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ
ବର୍ଷା ନେଇ ‘ୟେଲୋ ଆଲର୍ଟ’
ଜାରି କରିଛି ଏବଂ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ
କରିଛି।
ବର୍ଷାର ସବୁଠାରୁ ଅଧିକ
ପ୍ରଭାବ ସୋଲନ, ଶିମଲା,
ମଣ୍ଡି, କୁଲ୍ଲୁ ଏବଂ ସିରମୌର ଜିଲ୍ଲାରେ ଦେଖିବାକୁ ମିଳିଛି। ସିରମୌର ଏବଂ ସୋଲନ ଜିଲ୍ଲାର ସମସ୍ତ
ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବା ନିର୍ଦ୍ଦେଶ ଜାରି କରାଯାଇଛି। ଏହି ସହିତ,
ଶିମଲା ଜିଲ୍ଲାର ଠିୟୋଗ୍,
ଚୌପାଲ, ରାମପୁର, ସୁନ୍ନି,
ଜୁବ୍ବଳ, ଡୋଡ଼ରା କ୍ୱାର ଏବଂ କୁମାରସେନ,
କୁଲ୍ଲୁ ଜିଲ୍ଲାର ଆନି ଏବଂ ନିରମଣ୍ଡ ଓ ମଣ୍ଡି
ଜିଲ୍ଲାର ସୁନ୍ଦରନଗର ଉପମଣ୍ଡଳରେ ମଧ୍ୟ ଆଜି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି।
ଲଗାଣ ବର୍ଷା ଫଳରେ ରାଜ୍ୟରେ
ଅନେକ ସଡ଼କ ଓ ଜାତୀୟ ରାଜପଥ ବନ୍ଦ ହୋଇଯାଇଛି। ରାଜ୍ୟ ଜରୁରୀକାଳୀନ ପରିଚାଳନ କେନ୍ଦ୍ର ଅନୁସାରେ,
ବୁଧବାର ସକାଳ ପର୍ଯ୍ୟନ୍ତ ଚାରିଟି ରାଷ୍ଟ୍ରୀୟ ରାଜପଥ
ଏବଂ ୬୧୩ଟି ସଡ଼କ ଭୂସ୍ଖଳନର କାରଣରୁ ବନ୍ଦ ହୋଇଯାଇଛି। ଏଥିରେ ସବୁଠାରୁ ଅଧିକ ୩୭୫ଟି ସଡ଼କ
ମଣ୍ଡି ଜିଲ୍ଲାରେ ବାଧାଗ୍ରସ୍ତ ହୋଇଛି। ଏହାଛଡ଼ା କୁଲ୍ଲୁରେ ୮୯,
ସିରମୌରରେ ୩୮, ସୋଲନରେ ୨୯, କାଙ୍ଗଡାରେ ୨୩,
ଶିମଲାରେ ୨୨ ଏବଂ ଚମ୍ବାରେ ୧୮ଟି ସଡ଼କ ବନ୍ଦ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା