ଯକ୍ଷ୍ମା ରୋଗୀଙ୍କୁ ସହାୟତା ରାଶି ନମିଳିବା ନେଇ ଅସନ୍ତୋଷ
ଭଦ୍ରକ, ୬ ଅଗଷ୍ଟ (ହି.ସ.) - ସରକାରଙ୍କ ପକ୍ଷରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ମାଧ୍ୟମରେ ଯକ୍ଷ୍ମା ରୋଗୀମାନଙ୍କୁ ସୁଷମ ଖାଦ୍ୟ ଖାଇବା ପାଇଁ ୧ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଉଛି । ଯକ୍ଷ୍ମା ରୋଗୀମାନେ ସାଧାରଣତଃ ଦୁର୍ବଳ ହୋଇଥିବାରୁ ସେମାନଙ୍କୁ ସୁଷମ ଖାଦ୍ୟ ପାଇଁ ସରକାର ଏହି ସହାୟତା ରା
ଯକ୍ଷ୍ମା ରୋଗୀଙ୍କୁ ସହାୟତା ରାଶି ନମିଳିବା ନେଇ ଅସନ୍ତୋଷ


ଭଦ୍ରକ, ୬ ଅଗଷ୍ଟ (ହି.ସ.) - ସରକାରଙ୍କ ପକ୍ଷରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ମାଧ୍ୟମରେ ଯକ୍ଷ୍ମା ରୋଗୀମାନଙ୍କୁ ସୁଷମ ଖାଦ୍ୟ ଖାଇବା ପାଇଁ ୧ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଉଛି । ଯକ୍ଷ୍ମା ରୋଗୀମାନେ ସାଧାରଣତଃ ଦୁର୍ବଳ ହୋଇଥିବାରୁ ସେମାନଙ୍କୁ ସୁଷମ ଖାଦ୍ୟ ପାଇଁ ସରକାର ଏହି ସହାୟତା ରାଶି ପ୍ରଦାନ କରୁଛନ୍ତି । ମାତ୍ର ଭଦ୍ରକ ଜିଲା ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଯକ୍ଷ୍ମା ବିଭାଗ ଅଧୀନରେ ଥିବା ଯକ୍ଷ୍ମା ରୋଗୀମାନଙ୍କୁ ୪ମାସ ଧରି ସହାୟତା ରାଶି ମିଳିନାହିଁ । ଯେଉଁଥିପାଇଁ ରୋଗୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସେମାନେ ସହାୟତା ରାଶି ପାଇବା ପାଇଁ ବାରମ୍ବାର ଡାକ୍ତରଖାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି । ବୁଧବାର ଓରଡ଼ା ଗ୍ରାମର ରାମଚନ୍ଦ୍ର ମଳିକ, ବୋଡ଼କ ଗ୍ରାମର ମାଳତୀ ସାମଲ, ସାନ ଓରାଳି ଗ୍ରାମର ଅମୂଲ୍ୟ ମଳିକ ପ୍ରମୁଖ ଯକ୍ଷ୍ମା ରୋଗୀ ଡାକ୍ତରଖାନାର ଯକ୍ଷ୍ମା ବିଭାଗକୁ ସହାୟତା ରାଶି ନପାଇବା ନେଇ ବୁଝିବାକୁ ଆସିଥିଲେ । କିଛି ରୋଗୀଙ୍କ ବ୍ୟାଙ୍କ ଜମା ଖାତାକୁ ୪ମାସ ହେବ ସହାୟତା ରାଶି ଯାଇନାହିଁ । ଯେଉଁଥିପାଇଁ ସେମାନେ ସୁଷମ ଖାଦ୍ୟ ଖାଇବାରୁ ବଂଚିତ ହୋଇଛନ୍ତି । ତିହିଡ଼ି ସ୍ୱାସ୍ଥ୍ୟକେନ୍ଦ୍ର ଯକ୍ଷ୍ମା ବିଭାଗ ଅଧୀନରେ ୬୫ଜଣ ଯକ୍ଷ୍ମା ରୋଗୀ ଚିକିତ୍ସାଧୀନ ଅଛନ୍ତି । ଯକ୍ଷ୍ମା ରୋଗୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ମାତ୍ର ରୋଗୀମାନେ ଔଷଧ ଖାଇବା ପରେ ସେମାନଙ୍କର ପାଶ୍ୱର୍ ପ୍ରତିକ୍ରିୟା ନହେବା ପାଇଁ ସୁଷମ ଖାଦ୍ୟ ଖାଇବାକୁ ସରକାରଙ୍କ ଠାରୁ ସହାୟତା ରାଶି ଯୋଗାଇ ଦିଆଯାଉଛି । ଯେଉଁ ରୋଗୀମାନେ ସହାୟତା ରାଶି ପାଇ ପାରୁନାହାନ୍ତି ସେମାନେ ସୁଷମ ଖାଦ୍ୟ ଖାଇ ପାରୁନାହାନ୍ତି । ଯାହାଫଳରେ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେଉଛି । ତୁରନ୍ତ ସେମାନଙ୍କୁ ସହାୟତା ରାଶି ପ୍ରଦାନ କରିବାକୁ ଦାବି କରାଯାଇଛି । ତେବେ ସ୍ୱାସ୍ଥ୍ୟକେନ୍ଦ୍ର ଯକ୍ଷ୍ମା ନିରୀକ୍ଷକ ବୀରେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବିଭିନ୍ନ କାରଣ ପାଇଁ କିଛି ରୋଗୀ ସହାୟତା ରାଶି ପାଇ ପାରୁନାହାନ୍ତି । ସେମାନଙ୍କୁ ସହାୟତା ରାଶି ଯୋଗାଇ ଦିଆଯିବା ଦିଗରେ ପଦକ୍ଷେପ ନିଆଯାଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande