ପୁରୀ, ୬ ଅଗଷ୍ଟ (ହି.ସ.) - ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍ ୧୯୫୫ ରେ ସଂଶୋଧନ ପାଇଁ ରାଜ୍ୟ ଆଇନ୍ ବିଭାଗ ନିକଟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଧିବଦ୍ଧ ପ୍ରସ୍ତାବ ଦାଖଲ ହୋଇଛି । ଶ୍ରୀମନ୍ଦିର ଭିତରେ ତଥା ପରିସର ଉପରେ ମୋବାଇଲ ଫଟୋ, ଭିଡିଓ ଉତୋଳନ କିମ୍ବା ଡ୍ରୋନ ବ୍ୟବହାର ନେଇ ନିଷେଧାଦେଶ ଏବଂ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସଂଶୋଧନ ପ୍ରସ୍ତାବ ରହିଛି । ଏନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଇନ୍ ବିଭାଗକୁ ପତ୍ର ଲେଖି ଜଣାଇଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ର ଧାରା ୩୦ -ଏ ର ଉପଧାରା ୬ ରୁ ୯ ପର୍ଯ୍ୟନ୍ତ ସଂଶୋଧନ ପାଇଁ ପ୍ରସ୍ତାବ ରହିଛି କ୍ଷ ପ୍ରସ୍ତାବ ଅନୁସାରେ, ଶ୍ରୀମନ୍ଦିର ଭିତର ଫଟୋ କିମ୍ବ ଭିଡିଓ ଉତୋଳନ ପାଇଁ ମୋବାଇଲ ତଥା କୌଣସି ଇଲେକ୍ଟ୍ରୋନିକ ଜିନିଷ ନେବା ପାଇଁ ୩ ବର୍ଷ କାରାଦଣ୍ଡ କିମ୍ବା କୋଡିଏ ହଜାର ଟଙ୍କା ଫାଇନ କିମ୍ବା ଉଭୟ ବ୍ୟବସ୍ଥା ରହିପାରେ । ସେହିପରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭକ୍ତଙ୍କ ଧାର୍ମିକ ଭାବନାକୁ ଆହତ କରୁଥିବା ଭଳି ଭିଡିଓଚିତ୍ର କିମ୍ବା ମହାପ୍ରଭୁଙ୍କ ପ୍ରତିଛବି ଆଦି ସୋସିଆଲ ମିଡ଼ିଆ ଏବଂ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପ୍ରସାରଣ କରିବା, ଏହା ପ୍ରସ୍ତୁତ କରିବା କିମ୍ବା ପ୍ରସାରଣ କରିବା ପାଇଁ ସାତବର୍ଷ ବର୍ଷ ଜେଲ ତଥା ଜାମିନ୍ ବିହୀନ ହେବା ସହ ପଚାଶ ହାଜର ଫାଇନ ବ୍ୟବସ୍ଥା ପାଇଁ ପ୍ରସ୍ତାବ ରହିଛି । ଏଥିସହ ଶ୍ରୀମନ୍ଦିର ତଥା ଏହାର ପରିସର ଉପରେ ବିନା ଅନୁମତିରେ ଡ୍ରୋନ ବ୍ୟବହାର ପାଇଁ ସମାନ ଦଣ୍ଡ ଭାବେ ସାତବର୍ଷ ବର୍ଷ ଜେଲ ତଥା ପଚାଶ ହଜାର ଟଙ୍କା ଯାଏଁ ଫାଇନ୍ ପ୍ରସ୍ତାବ ରହିଛି । ସଂଶୋଧନ ନେଇ ଆବଶ୍ୟକ ପଦକ୍ଷେପ ତୁରନ୍ତ ଗ୍ରହଣ କରିବାକୁ ଆଇନ୍ ବିଭାଗକୁ ମୁଖ୍ୟ ପ୍ରଶାସକ ନିବେଦନ କରିଛନ୍ତି ଏବଂ ଏହା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବିସ୍ତୃତ ଆଲୋଚନା ହୋଇ ଅବଗତ କରାଯିବ ବୋଲି କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ