ବିଜୟା ଦଶମୀରେ ବଙ୍ଗୀୟ ମହିଳାଙ୍କ ସିନ୍ଦୁର ଖେଳ ଓ ଭସାଣି ଉତ୍ସବ
ସମ୍ବଲପୁର, ୧୬ ଅକ୍ଟୋବର (ହି.ସ.)- ସମ୍ବଲପୁରର ବିଭିନ୍ନ ଶକ୍ତି ପୀଠରେ ଦଶହରାର ଶେଷପର୍ବ ଭାବେ ବିଜୟା ଦଶମୀ ପୂଜା ଅନୁଷ
ବିଜୟା ଦଶମୀରେ ବଙ୍ଗୀୟ ମହିଳାଙ୍କ ସିନ୍ଦୁର ଖେଳ ଓ ଭସାଣି ଉତ୍ସବ


ସମ୍ବଲପୁର, ୧୬ ଅକ୍ଟୋବର (ହି.ସ.)- ସମ୍ବଲପୁରର ବିଭିନ୍ନ ଶକ୍ତି ପୀଠରେ ଦଶହରାର ଶେଷପର୍ବ ଭାବେ ବିଜୟା ଦଶମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମ୍ବଲପୁରର କାଳିବାଡ଼ି ଓ ବଡ଼ବଜାର ବଙ୍ଗାଳୀ ପଡ଼ାରେ ମହିଳାମାନେ ଏକତ୍ରିତ ହୋଇ ବଙ୍ଗୀୟ ପରମ୍ପରା ଅନୁଯାୟୀ ସିନ୍ଦୁର ଖେଳ ଖେଳିଥିଲେ । ଏହାବାଦ୍ ମାଙ୍କୁ ମେଲାଣୀ ଦେଇଥିଲେ । ବର୍ଷକରେ ଥରେ ମା ଧରାବତରଣ କରି ପୁଣି ବିଦାୟ ନେଉଥିବା ସମୟରେ ଏହି ସିନ୍ଦୁର ଖେଳ ଅନୁଷ୍ଠିତ ହେବାର ପରମ୍ପରା ରହିଛି ।

ପ୍ରତ୍ୟେକ ବର୍ଷ ବିଜୟା ଦଶମୀ ତିଥିରେ ସଧବା ମହିଳା ମାନେ ମା ଦୁର୍ଗାଙ୍କୁ ସିନ୍ଦୁର ଲଗାଇ ନିଜ କନ୍ୟା ଭାବେ ବିଦାୟ ଦେଇ ପୁଣି ଆସନ୍ତା ବର୍ଷ ଶୀଘ୍ର ଆସିବାକୁ କାମନା କରନ୍ତି । ଏହି ଅବସରରେ ସଧବା ମହିଳା ବିଶେଷ କରି ବଙ୍ଗୀୟ ମହିଳାମାନେ ମା ଦୁର୍ଗାଙ୍କ ସହ ପରସ୍ପରକୁ ସିନ୍ଦୁର ଲଗାଇ ନିଜ ଘର ପରିବାରର ସୁଖ ସମୃଦ୍ଧି ତଥା ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସିନ୍ଦୁର ଖେଳ ଖେଳି ଥାଆନ୍ତି । ତେବେ ବର୍ତ୍ତମାନ ଏହା କେବଳ ବଙ୍ଗୀୟ ମହିଳାଙ୍କ ମଧ୍ୟରେ ସିମିତ ହୋଇ ରହିନାହିଁ । ଏଥିରେ ସାମିଲ ହୋଇ ଓଡ଼ିଆ ମହିଳାମାନେ ମଧ୍ୟ ବଙ୍ଗୀୟ ମହିଳାଙ୍କ ସହ ତାଳଦେଇ ମାଙ୍କୁ ସିନ୍ଦୁର ଲଗାଇ ପରସ୍ପର ସହ ସିନ୍ଦୁରଖେଳ ଖେଳୁଥିବା ଦେଖିବାକୁ ମିଳିଛି । ଯାହା ବେଶ ଉପଭୋଗ୍ୟ ହୋଇଥାଏ । ଚଳିତ ବର୍ଷ ମା ବିଦାୟ ନେବାର ସମୟ ଆସିଥିବାରୁ ନିଜ ଝିଅ ଶାଶୁ ଘରକୁ ଯିବା ସମୟରେ ବଙ୍ଗୀୟ ପରମ୍ପରା ଅନୁଯାୟୀ ଯେଉଁ ରୀତିନୀତିରେ ବିଦାୟ ଦିଆଯାଇଥାଏ, ଏଠାରେ ସେହିଭଳି ସମସ୍ତ ରୀତିନୀତି ଅବଲମ୍ବନ କରାଯାଇ ସିନ୍ଦୁର ଲଗାଇ କନ୍ୟା ବେଶରେ ସଜ୍ଜିତ କରି ମା ଦୁର୍ଗାଙ୍କୁ ବିଦାୟ ଦିଆଯାଇଥିଲା । ସମ୍ବଲପୁର କାଳିବାଡ଼ି ଓ ବଡ଼ବଜାରର ବଙ୍ଗାଳୀପଡାରେ ପ୍ରତ୍ୟେକ ବର୍ଷ ବଙ୍ଗୀୟ ପରିବାର ପକ୍ଷରୁ ଦୁର୍ଗାପୂଜା ଅବସରରେ ଦଶମୀ ତିଥିରେ ଏହି ସିନ୍ଦୁର ଖେଳର ଆୟୋଜନ କରି ମାଙ୍କୁ ବିଦାୟ ଦେଇଥାଆନ୍ତି । ଅର୍ଥାତ୍ ଦଶମୀ ତିଥିରେ ମାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ପରମ୍ପରାକୁ ବଜାୟ ରଖି ଉଭୟ ସ୍ଥାନରେ କୋଭିଡ୍ କଟକଣା ହେତୁ ଅତ୍ୟନ୍ତ ନିରାଡ଼ମ୍ବର ଭାବେ ଭସାଣି ଉତ୍ସବ ପାଳିତ ହୋଇଥିଲା । ସିମିତ ସଂଖ୍ୟକ ସଦସ୍ୟଙ୍କ ସହ ବିନା ଶୋଭାଯାତ୍ରାରେ ମହାନଦୀର ବାଲିବନ୍ଧା ଘାଟରେ ମାଙ୍କୁ ମେଲାଣି ଦିଆଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ


 rajesh pande