ସମ୍ବଲପୁରରେ ନିରାଡ଼ମ୍ବର ଭାବେ ମାଙ୍କ ଭସାଣି
ସମ୍ବଲପୁର, ୧୬ ଅକ୍ଟୋବର (ହି.ସ.)- ଗତକାଲି ସାରଦୀୟ ଦୁର୍ଗାପୂଜା ବା ଦଶହରାର ଶେଷପର୍ବ ଭାବେ ମାଙ୍କ ବିଭିନ୍ନ ପୂଜାପିଠ
ସମ୍ବଲପୁରରେ ନିରାଡ଼ମ୍ବର ଭାବେ ମାଙ୍କ ଭସାଣି 


ସମ୍ବଲପୁର, ୧୬ ଅକ୍ଟୋବର (ହି.ସ.)- ଗତକାଲି ସାରଦୀୟ ଦୁର୍ଗାପୂଜା ବା ଦଶହରାର ଶେଷପର୍ବ ଭାବେ ମାଙ୍କ ବିଭିନ୍ନ ପୂଜାପିଠ ଓ ମଣ୍ଡପରେ ଦଶମୀ ପୂଜା ଅନୁଷ୍ଠିତ ହୋଇଥିଲା । ଏହାବାଦ୍ କେତେକ ମଣ୍ଡପରେ ଭସାଣି ଅନୁଷ୍ଠିତ ହୋଇଥିବା ବେଳେ ଅବଶିଷ୍ଟ ମଣ୍ଡପରେ ଆଜି ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି । ମାଙ୍କ ଆରାଧନା ପାଇଁ ଦିର୍ଘ ୯ ଦିନ ଧରି ଘଣ୍ଟ, ଘଣ୍ଟା, ଶଙ୍ଖ ଆଦିରେ ଦୁଲୁକି ଉଠୁଥିବା ବିଭିନ୍ନ ପୂଜା ମଣ୍ଡପରେ ଏକ ପ୍ରକାର ଶାନ୍ତ ହୋଇପଡ଼ିଛି ବାତାବରଣ । କୋଭିଡ୍ କଟକଣା ମଧ୍ୟରେ ଚଳିତ ବର୍ଷ ମାଙ୍କ ପୂଜା ଅନୁଷ୍ଠିତ ହୋଇଥିବା ବେଳେ, ପରଦା ପଛରେ ଦୀର୍ଘ ୯ ଦିନ ଧରି ବିଭିନ୍ନ ବେଶରେ ମା ପୂଜା ପାଇଥିଲେ । ଖୁବ ଅଳ୍ପ ସମୟ ପାଇଁ ସିମିତ ସଂଖ୍ୟକ ଭକ୍ତଙ୍କୁ ମା ଦର୍ଶନ ଦେଇଥିଲେ । ଦଶମୀ ତିଥିରେ ମାଙ୍କୁ ମହିସାମର୍ଦ୍ଦିନୀ ବେଶରେ ସଜ୍ଜିତ କରାଯାଇଥିଲା । କେତେକ ସ୍ଥାନରେ ଦଶମୀ ତିଥିରେ ମାଙ୍କୁ ମେଲାଣୀ ଦିଆଯାଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଆଜି ମାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି । ସକାଳେ ଉପଚାର ପୂଜା ସହ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଏହା ବ୍ୟତୀତ ପରମ୍ପରା ଅନୁଯାୟୀ ବିସର୍ଜନ, ହୋମ, ଯଜ୍ଞ ଆଦି ପୂଜା ଅନୁଷ୍ଠିତ ହୋଇଥିଲା । ପୂଜାଶେଷରେ ମାଙ୍କ ମୂର୍ତ୍ତି ବିସର୍ଜନ କରାଯାଇଥିଲା । ସମ୍ବଲପୁର ମହାନଦୀର ବାଲିବନ୍ଧା ଘାଟ ଏବଂ ହରଡ଼ଜୋରରେ ମାଙ୍କ ମୂର୍ତ୍ତିକୁ ଗୋଟିଏ ପରେ ଗୋଟିଏ ବିସର୍ଜନ କରାଯାଉଥିବା ପରିଲକ୍ଷିତ ହୋଇଥିଲା । ପୂଜା କମିଟିର ସୀମିତ ସଂଖ୍ୟକ ସଦସ୍ୟଙ୍କ ସହ ପୂଜକ ବିନା ଶୋଭାଯାତ୍ରାରେ ଅତ୍ୟନ୍ତ ନିରାଡ଼ମ୍ବର ଭାବେ ମାଙ୍କୁ ମେଲାଣୀ ଦେଇଥିଲେ ।

ସମ୍ବଲପୁର ସହରର ଧନୁପାଲି, ଗୋବିନ୍ଦତୋଲା, ଅଇଁଠାପାଲି, ଢୁକୁପଡ଼ା, ଠାକୁରପଡ଼ାର, ବଡ଼ବଜାର, କୁଞ୍ଜଲପଡ଼ା, ଜିଲ୍ଲାସ୍କୁଲ ଛକ, ଲକ୍ଷ୍ମୀଟକିଜ ଛକ, ଫାଟକ ଆଦି ବିଭିନ୍ନ ସ୍ଥାନରେ ଆଜି ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ


 rajesh pande