ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ, ସରକାରୀ ବସ୍ ଚଳାଚଳ ବନ୍ଦ
ମାଲକାନଗିରି, ୨ ଡିସେମ୍ବର (ହି.ସ.)- ପ୍ରତି ବର୍ଷ ପରି ଆଜି ଠାରୁ ମାଓବାଦୀ ମାନେ ପିଏଲଜିଏ ସପ୍ତାହ ପାଳନ ଆରମ୍ଭ କରିଛନ
ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ, ସରକାରୀ ବସ୍ ଚଳାଚଳ ବନ୍ଦ


ମାଲକାନଗିରି, ୨ ଡିସେମ୍ବର (ହି.ସ.)- ପ୍ରତି ବର୍ଷ ପରି ଆଜି ଠାରୁ ମାଓବାଦୀ ମାନେ ପିଏଲଜିଏ ସପ୍ତାହ ପାଳନ ଆରମ୍ଭ କରିଛନ୍ତି । ଡିସେମ୍ବର ୨ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରିବା ଲାଗି ମାଓବାଦୀ ମାନେ ଆହ୍ୱାନ ଦେଇଛନ୍ତି । ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ପୋଷ୍ଟର ଏବଂ ବ୍ୟାନର ମାରି ପିଏଲଜିଏ ସପ୍ତାହ ପାଳନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ପିଏଲଜିଏ ସପ୍ତାହକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ମାଲକାନଗିରି ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରି ଗମନାଗମନ ଉପରେ ତୀକ୍ଷ୍ନ ନଜର ରଖିଛି । ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ବିଏସଏଫ,ଏସଓଜି, ଡିଭିଏଫ ଯବାନମାନେ ଜୋରଦାର କୁମ୍ବିଂ ଅପରେସନ ଜାରୀ ରଖିଛନ୍ତି । ସୀମାରେ ଅଚିହ୍ନା ଲୋକଙ୍କର ଯାନବାହାନ ଯାଞ୍ଚ୍ କରାଯାଉଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ବିଭାଗର ଗୁଇନ୍ଦା ସଂସ୍ଥାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାଓବାଦୀ ପିଏଲଜିଏ ସପ୍ତାହ ପାଳନ ସମୟରେ ଯେକୌଣସି ହିଂସାକାଣ୍ଡର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ତେଣୁ ଦୁର୍ଗମ ଅଞ୍ଚଳରେ ଲୋକମାନେ ଭୟ ଓ ଆତଙ୍କରେ ରହିଥିବା ଦେଖିବାକୁ ମିଳିଛି । ମାଓବାଦୀଙ୍କୁ ନଡରି ଯାନବାହାନ ନିର୍ଭୟରେ ମାଲକାନଗିରିର ଯେ କୌଣସି ସ୍ଥାନକୁ ଚାଳନା ଅବ୍ୟାହତ ରଖିବା ପାଇଁ ପୋଲିସ ଜନସାଧାରଣଙ୍କୁ ଆହ୍ବାନ କରିଛି ।

ସୂଚନାଯୋଗ୍ୟ ଯେ, ପିଏଲଜିଏ ସପ୍ତାହ ପାଳନ ଯୋଗୁଁ ମାଲକାନଗିରି ଜିଲ୍ଲାକୁ ସରକାରୀ ବସ୍ ଗୁଡିକର ଯାତାୟତକୁ ବାତିଲ୍ କରି ଦିଆଯାଇଛି । ଅନ୍ୟଦିଗରେ ପୁଲିସ ସ୍ୱାଭିମାନ ଅଂଚଳରେ ନକ୍ସଲଙ୍କୁ ଦମନ କରିବା ପାଇଁ ବିଏସଏଫ କ୍ୟାମ୍ପଗୁଡିକ ପ୍ରତିଷ୍ଠା କରୁଛି । ସ୍ୱାଭିମାନ ଅଂଚଳର ୭ଟି ସ୍ଥାନରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ଆହୁରି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ନେଇ ଆଲୋଚନା ଚାଲିଥିବା ଜଣାପଡିଛି । ସ୍ୱାଭିମାନ ଅଂଚଳରେ ମାଓବାଦୀଙ୍କୁ ଦମନ କରିବା ନେଇ ପୁଲିସର ଲଗାତାର ସଫଳତାରେ ମାଓବାଦୀ ହିଂସାତ୍ମକ ହୋଇପଡିଛନ୍ତି। ସେମାନଙ୍କ ଗତିବିଧି ଉପରେ ରୋକ୍ ଲଗାଇବାରେ ସୁରକ୍ଷାକର୍ମୀ ଦିନରାତି ଏକ କରିଦେଇଛନ୍ତି । ଜାନବାଇ ଠାରୁ ଆରମ୍ଭ କରି ଗୋରାସେତୁ ପର୍ଯ୍ୟନ୍ତ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ଏହି ଅଂଚଳରେ ମାଓବାଦୀଙ୍କ ଗତିବିଧି ଏକ ପ୍ରକାର ଠପ୍ ହୋଇଯାଇଛି ।

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ପ୍ରଦୀପ୍ତ


 rajesh pande