ମା ମାଣିକେଶ୍ବରୀଙ୍କ ଛତର ବିଜୟା ଦଶମୀ ଓ ଦଶହରା ଦୁର୍ଗା ପୂଜା ଉପରେ ପ୍ରସ୍ତୁତି ବୈଠକ
ଭବାନୀପାଟଣା, ୨୬ ସେପ୍ଟେମ୍ବର (ହି.ସ.)- କଳାହାଣ୍ଡି ଜିଲ୍ଲା ଜିଲ୍ଲାପାଳ ଡଃ. ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ
ମା ମାଣିକେଶ୍ବରୀଙ୍କ ଛତର ବିଜୟା ଦଶମୀ ଓ ଦଶହରା ଦୁର୍ଗା ପୂଜା ଉପରେ ପ୍ରସ୍ତୁତି ବୈଠକ 


ଭବାନୀପାଟଣା, ୨୬ ସେପ୍ଟେମ୍ବର (ହି.ସ.)- କଳାହାଣ୍ଡି ଜିଲ୍ଲା ଜିଲ୍ଲାପାଳ ଡଃ. ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ମା ମାଣିକେଶ୍ବରୀଙ୍କ ଛତର ଓ ଦଶହରା ଦୁର୍ଗା ପୂଜା ପାଳନ ସମ୍ବନ୍ଧୀୟ ଏକ ବୈଠକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ ପଟେଲ ଏଜେଣ୍ତା ଅନୁସାରେ ବୈଠକର ପରିଚାଳନା କରିଥିଲେ । ଜିଲ୍ଲାପାଳ ଡଃ. ଗାଭାଲି ଚଳିତ ବର୍ଷ ମଧ୍ୟ ଗତବର୍ଷ ଭଳି କୋଭିଡ୍ କଟକଣା ମଧ୍ୟରେ ଦଶହରା ପର୍ବ ପାଳନ କରିବା ନେଇ ସମସ୍ତଙ୍କ ଉପସ୍ଥିତିରେ ମତାମତ ଲୋଡିଥିଲେ । ସର୍ବସମ୍ମତି କ୍ରମେ ସୀମିତ ସେବାୟତ ମନ୍ଦିର କର୍ତ୍ତୃପକ୍ଷ ପୋଲିସ ପ୍ରଶାସନ ଅଧିକାରୀ ଅଧିକୃତ ସଭ୍ୟଙ୍କ ଗ୍ରହଣରେ ମା ମାଣିକେଶ୍ଵରୀ ଛତର ବିଜୟା ଯାତ୍ରା ୧୩/୧୦/୨୦୨୧ ଦିନ ସକାଳ ୬ଟା ସମୟରେ ଜେନାଖାଲ ଠାରୁ ପୂଜାର୍ଚ୍ଚନା ସାରି ମନ୍ଦିର ଅଭିମୁଖେ ସକାଳ ୭.୩୦ ମିନିଟରେ ମନ୍ଦିରକୁ ପ୍ରବେଶ କରିବେ । ଜନସମାଗମ ଓ ଦର୍ଶନ ନିମନ୍ତେ ଭକ୍ତଙ୍କୁ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଛି ।

ମାଙ୍କ ଛତ୍ରଯାତ୍ରା ପାଇଁ ଜେନାଖାଲ ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ମରାମତି, ସଫେଇ ବ୍ଳିଚିଂ ପ୍ରୟୋଗ, ଆମ୍ବୁଲାନ୍ସ ସେବା ବ୍ୟବସ୍ଥା ସହ ଛତ୍ରଯାତ୍ରାରେ ସାମିଲ ସମସ୍ତଙ୍କୁ କୋଭିଡ୍ ପରୀକ୍ଷା ପୋଲିସ କର୍ଡନ ଓ ଶାନ୍ତିଶୃଙ୍ଖଳା, ପିଇବା ପାଣି ବ୍ୟବସ୍ଥା, ପରିମଳ, ବିଦ୍ୟୁତ ସରବରାହ, ଛତର ଯାତ୍ରାର ସିଧାପ୍ରସାରଣ, ଅବକାରୀ ବିଭାଗ ଦ୍ବାରା ମଦ ଦୋକାନ ବନ୍ଦ ନେଇ କଟକଣା କରିବାକୁ ଘୋଷଣା କରିଥିଲେ । ଏନେଇ ଜିଲ୍ଲାର ସମସ୍ତ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ଜଣାଇଥିଲେ । ସମସ୍ତ ବିଭାଗ ଅଧିକାରୀ ମାନଙ୍କୁ ସହଯୋଗ ଓ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହି ବୈଠକରେ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ମୁଣ୍ତ, ପୂର୍ବତନ ନଗରପାଳ ଚିତରଞ୍ଜନ ମଣ୍ତଳ, ସାମ୍ବାଦିକ ବିଜୟ କୁମାର ଦ୍ବିବେଦୀ, ସାମନ୍ତ ଖମାରୀ, ସତ୍ୟ ନାରାୟଣ ମହାପାତ୍ର, ମହାରାଜ ପ୍ରତିନିଧି ଅଶୋକ ନେଗୀ, ଉତ୍ସବ ସାହୁ, ସୁବ୍ରତ ବହିଦାର, ଶିଶି ଭୁଷଣ ଚୈାଧୁରୀ, ଶ୍ରୀ ଗାନ୍ଧୀ ପ୍ରମୁଖ ଛତ୍ରଯାତ୍ରକୁ କି ଭଳି ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରାଯିବ ତା ଉପରେ ନିଜସ୍ୱ ମତାମତ ଦେଇଥିଲେ ।

ସେହିଭଳି ଦୁର୍ଗାପୂଜା ସମଗ୍ର କଳାହାଣ୍ଡି ଜିଲ୍ଲାରେ କୋଭିଡ୍ କଟକଣା ମଧ୍ୟରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଦୁର୍ଗାପୂଜା ପାଇଁ ପୂଜା କମିଟି ଜିଲ୍ଲାପାଳ କିମ୍ବା ପ୍ରାଧିକୃତ ଅଧିକାରୀଙ୍କ ଠାରୁ ଅନୁମତି ସହ ମଣ୍ତପର ତିନିପାର୍ଶ୍ବ ବନ୍ଦ ଓ ଗୋଟିଏ ପାର୍ଶ୍ବ ଖୋଲା ମଣ୍ତପରେ ପୂଜା ପାଇବାକୁ ଥିବା ମୂର୍ତ୍ତିର ଉଚ୍ଚତା ୪ ଫୁଟ କିମ୍ବା ତା ଠାରୁ କମ୍ ରହିବା ଦରକାର, ପୂଜା ମଣ୍ତପରେ ଏକ ସମୟରେ କର୍ତ୍ତା, ପୂଜକ ଓ ସେବାୟତଙ୍କୁ ମିଶାଇ ସର୍ବାଧିକ ସାତ ଜଣ ରହିବେ, କୌଣସି ଭକ୍ତ ମଣ୍ତପରେ ଦର୍ଶନ କରିପାରିବେ ନାହିଁ । ମଣ୍ତପର ଖୋଲା ପାର୍ଶ୍ବରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ବାରଣ, ଭସାଣି ଶୋଭାଯାତ୍ରା ଓ ରୋଷଣୀ ମାଇକ, ସାଉଣ୍ଡ ସମ୍ପୂର୍ଣ୍ଣ ଭାବରେ ବାରଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି କଟକଣା ମଧ୍ୟରେ ଦଶହରା ପାଳନ କରିବାକୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମାଇକ୍ ଦ୍ବାରା ବ୍ୟାପକ ପ୍ରଚାର ନେଇ ତହସିଲଦାର, ବିଡ଼ିଓଙ୍କୁ ଚିଠି ପ୍ରେରଣ ପାଇଁ କୁହାଯାଇଥିଲା ।

ବୈଠକରେ ଏସପି ଡଃ. ଶ୍ରବଣା ବିବେକ ଏମ୍, ଅତିରିକ୍ତ ଜିଲ୍ଲାପାଳ ଶରତ ଶ୍ରୀଚନ୍ଦନ, ଉପଜିଲ୍ଲାପାଳ ବିଶ୍ବଜିତ ଦାସ, ଏସ.ଡି.ପି.ଓ. ସଦର ସୁନାରାମ ହେମ୍ବ୍ରମ, ଆଇ.ଆଇ.ସି. ଦୀପକ ଧାରୁଆ, ତହସିଲଦାର ଉପେନ୍ଦ୍ର ଲୁହା, ସହକାରୀ ଜିଲ୍ଲାପାଳ (ଜୁଡିସିଆଲ) ସୁଦିପ୍ତ ନାଏକ, ବିଡ଼ିଓ ରିତା କୁମାର, ସି.ଡି.ଏମ.ଓ. ପ୍ରତାପ କୁମାର ବେହେରା, ଡି.ଆଇ.ପି.ଆର.ଓ. ମନୋଜ ଉପାଧ୍ୟାୟଙ୍କ ସହ ଶାନ୍ତି କମିଟି ସଭ୍ୟ, ନିମନ୍ତ୍ରିତ ଅତିଥି ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଜୟକୃଷ୍ଣ\ପ୍ରଦୀପ୍ତ


 rajesh pande