ବଲାଙ୍ଗିର, 21 ନଭେମ୍ବର (ହି.ସ.)- ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର ମହିମୁଣ୍ଡା ଷ୍ଟାଡିୟମ ଠାରେ ୱାସିଡିଏ ଦ୍ୱାରା ଶିଶୁ ମହୋତ୍ସବ ପତାଙ୍ଗୀ ୨୦୨୪ ଗତକାଲି ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବର ଉଦଘାଟନ ପର୍ବରେ ପୁଇଁନ୍ତଲା, ଶିଶୁ ମଙ୍ଗଳ ସମିତି ମେମ୍ବର ଲିନା ବାବୁ, ମହୀମୁଣ୍ଡା ଚିକିତ୍ସା ଅଧିକାରୀ ଡ. ସମାପିକା ଆଚାର୍ଯ୍ୟ, ଶିଶୁ ବିକାଶ ଓ ସୁରକ୍ଷା ଅଧିକାରୀ ସୁଷମା ତ୍ରିପାଠି, ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନା ଓ ମହିମୁଣ୍ଡା ସରପଂଚ ରଂଜିତା ଭୋଇ, ପିଅର ଲିଡର ଓସମିନ ଓ ପୁଷ୍ପରାଜ ଆଦି ଅତିଥି ଭାବେ ଯୋଗ ଦେଇଥିଲେ । ଉଦ୍ଯାପନୀ ସଭାପତି ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଷୟିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ର ମନ୍ତ୍ରୀ ମାନ୍ୟବର ଡା. ମୁକେଶ ମହାଲିଙ୍ଗ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଲକ୍ଷ୍ମଣ ବାଗ କଣ୍ଟାବାଞ୍ଜି ବିଧାୟକ ଓ ନବୀନ ଜୈନ ଟିଟିଲାଗଡ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ । ୱାଇସିଡିଏ ର ପ୍ରକଳ୍ପ ନିର୍ଦ୍ଦେଶକ ଅରୁଣ କୁମାର ପ୍ରଧାନ, ପିଅର ଲିଡର ସମ୍ବିତ ଓ ଟ୍ୱିଙ୍କିଲ ଯୋଗଦେଇ ଶିଶୁମାନଙ୍କୁ ପ୍ରେରଣାଦାୟୀ ଉପଦେଶ ଦେବା ସହିତ ସମାଜରେ ଶିଶୁ ଅଧିକାର, ଗଣାତ୍ମକ ଶିକ୍ଷା ତଥା ସେମାନଙ୍କର ସାମଗ୍ରିକ ବିକାଶ କିପରି ଭାବେ ସୁନିଶ୍ଚିତ କରାଯାଇପାରିବ ଓ ସେଥିପାଇଁ ଆମ ସମସ୍ତଙ୍କୁ ମିଶି ପ୍ରୟାସ କରିବା ପାଇଁ ପଡିବ ବୋଲି ଆହ୍ୱାନ ଦେଇଥିଲେ । ଶିଶୁମାନଙ୍କ ପାଇଁ ଏକ ଏକ ସ୍ୱାସ୍ଥ୍ୟ ମେଳାର ଆୟୋଜନ କରାଯାଇଥିଲା । ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଗ୍ରାମାଂଚଳରେ ନାନା ପ୍ରତିଯୋଗିତାମାନ କରି ସେଥିରେ କୃତି ଶିଶୁମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।
ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ୱାଇସିଡିଏ ର କର୍ମକର୍ତ୍ତା ଶୁଭ୍ରତା ଜେନା, ରୁପମ ମହାପାତ୍ର, ଆନନ୍ଦିନି ରଥ, ଜ୍ୟୋତି କୁମାର ରଥ, ଗଣେଶ କୁମାର ସାହୁ ଓ ରୁସାଲି ଦେବୀ ନେତୃତ୍ୱ ନେଇଥିଲେ ଓ ଅନ୍ୟାନ୍ୟ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ