ଭଦ୍ରକ, ୨୩ ନଭେମ୍ବର (ହି.ସ.) - ଭାରତ ଭୂଖଣ୍ଡ ତଥା ଉତ୍କଳ ପ୍ରଦେଶରେ ଭଦ୍ରକ ଭୂମି ଅନନ୍ୟ। ଭାରତର ସ୍ୱାଧୀନତା ସଂଗ୍ରାମରେ ଏହି ମାଟିର ମଣିଷ ଯୋଗଦେଇ ଯେପରି ଅଦମ୍ୟ ସାହସ ପ୍ରଦର୍ଶନ କରି ବଳିଦାନ ଦେଇଛନ୍ତି ?ସେପରି ଏହି ମାଟି ସଂସ୍କୃତି, ସାହିତ୍ୟ, ଐତିହ୍ୟର ଗୌରବ ଗୀତିକା ଗାଉଛି। ଏହି ମାଟିର ମଣିଷ ଉତ୍କଳ କେଶରୀ ହରେକୃଷ୍ଣ ମହତାବ ନୂତନ ଓଡ଼ିଶା ଗଠନରେ ଯେପରି ନେତୃତ୍ୱ ନେଇଥିଲେ ସେପରି ଏହି ମାଟିର ଅମର କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ରଚନା ବନ୍ଦେ ଉତ୍କଳ ଜନନୀ....ଆମ ରାଜ୍ୟର ଜାତୀୟ ସଂଗୀତ ହୋଇ ଆମ ମାଟିର ଅସ୍ମିତାକୁ ଉର୍ଦ୍ଧ୍ୱକୁ ତୋଳି ଧରିଛି ବୋଲି ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ଦ୍ୱାଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଉଦ୍ଘାଟନ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।ଇଂ. ଅଭୟ ସୂତାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହକୁ ଭଦ୍ରକର ବିଧାୟକ ସିତାଂଶୁ ଶେଖର ମ?ହାପାତ୍ର ଉଦଘାଟନ କରିଥିଲେ ଏବଂ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟ ବକ୍ତା, ଶିକ୍ଷାବିତ ଗଗନ ବିହାରୀ ରାଉତ, ରୋଟାରିୟାନ ଶିଶିର କୁମାର ମିଶ୍ର, ଅଧ୍ୟାପକ ଶେଖ୍ ନାଶିର ବକ୍ସ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମହୋତ୍ସବ ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ,ନାଟ୍ୟଶ୍ରୀ ନିର୍ମଳ ରାଉତ ଅତିଥି ପରିଚୟ, ମହୋତ୍ସବ ଓ ପୁସ୍ତକ ମେଳାର ସମ୍ପାଦକ ରବିନାରାୟଣ ଖିଲାର ସମ୍ପାଦକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଜାନକୀ ପାଢୀ ଅତିଥି ମାନଙ୍କୁ ମଞ୍ଚ ନିମନ୍ତ୍ରଣ କରିଥିବାବେଳେ ଶଶିକଳା ମିଶ୍ର ,ଦିପ୍ତୀମୟୀ ସାହୁ ମନୋରମା ରାୟ , ମମତା ଦାଶ ସ୍ୱାଗତ ସଂଗୀତ ପରିବେଷଣ , ଡା. ଅନିଲ ଦାଶ ,କଳ୍ପନା ଜେନା , ଅଞ୍ଜନା ମିଶ୍ର, ସଂଯୁକ୍ତା ବଳ,ଚୈତାଳି ଖିଲାର,ଅଞ୍ଜୁବାଳା ରାଉତ, ପ୍ରମୁଖ ମଞ୍ଚ ଓ ମହୋତ୍ସବ ପରିଚାଳନା କରିଥିଲେ ଓ ସୁମିତ୍ରା ପାଣି ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ