କେନ୍ଦ୍ରାପଡ଼ା, ୨୩ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଏବଂ ପଛୁଆ ବର୍ଗ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଜିଲ୍ଲାର ୮ଗୋଟି ଆଶ୍ରମ ବିଦ୍ୟାଳୟର ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନଙ୍କ ଯୋଗଦାନରେ ଜିଲ୍ଲାସ୍ତରୀୟ ‘ସର୍ଗୀଫୁଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଷୟରେ ଦିଗଦର୍ଶନ ଦେବାସହ ଜନଜାତି ଛାତ୍ରଛାତ୍ରୀମାନଙ୍କ ପାରମ୍ପରିକ ସାଂସ୍କୃତିକ ଉତ୍ସବ, ନୃତ୍ୟ, ସଙ୍ଗୀତ, ନାଟକ, ପାଇକ ଆଖଡ଼ା, ଘୋଡ଼ାନାଚ, ବାଉଁଶରାଣି, ବାଘନାଚ, ସମ୍ବଲପୁରୀ ନୃତ୍ୟ ପ୍ରଭୃତି ମାଧ୍ୟମରେ ସେମାନଙ୍କ ଅନ୍ତନିର୍ହିତ ଗୁଣର ବିକାଶ କରିବା ପାଇଁ ଏକ ପ୍ରକୃଷ୍ଟ କାର୍ଯ୍ୟକ୍ରମ ବୋଲି ମତ ରଖିଥିଲେ। ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ ବୋଲି ମନ୍ତବ୍ୟ ଦେବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଜିଲ୍ଲା କଲ୍ୟାଣ ଅଧିକାରୀ ଗୁରୁଚରଣ ମଲିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ପୂର୍ବତନ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ମୁଖ୍ୟବକ୍ତା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ରଶ୍ମି ମଞ୍ଜରୀ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ତିଖିରୀ ସରପଂଚ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବାବେଳେ କାର୍ଯ୍ୟକ୍ରମ ସର୍ଗୀଫୁଲରେ ଅଂଶଗ୍ରହଣ କରି ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟସ୍ତରରେ ଅଂଶଗ୍ରହଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି