ପୁରୀ, ୨୩ ନଭେମ୍ବର (ହି.ସ.)- ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଆଜି ଶ୍ରୀମନ୍ଦିରରେ ପୋଢୁଆଁ ହୋଇଛନ୍ତି ଶ୍ରୀଜୀଉମାନେ । ଓଡ଼ିଆ ପଞ୍ଜିକା ଅନୁସାରେ, ମାର୍ଗଶୀର ମାସକୁ ବର୍ଷର ଆଦ୍ୟମାସ ବା ପ୍ରଥମ ମାସ ଭାବରେ ଗଣନା କରାଯାଏ । ସେଥପାଇଁ ‘ମାର୍ଗଶିର’ ମାସକୁ ‘ଅଗ୍ରହାୟଣ ମାସ’ ବୋଲି କୁହାଯାଇଥାଏ । ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ । ଏହାର ଅନ୍ୟ ନାମ ପୋଢୁଆଁ ଅଷ୍ଟମୀ । ଏହିଦିନ ସମଗ୍ର ଓଡ଼ିଶାର ପ୍ରତ୍ୟେକ ପରିବାରରେ ଜ୍ୟେଷ୍ଠ ସନ୍ତାନଙ୍କୁ ପୋଢୁଆଁ କରାଯାଏ । ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘ ନିରାମୟ ଜୀବନ ପାଇଁ ସ୍ୱତନ୍ତ୍ର ପୂଜାବିଧି ଅନୁଷ୍ଠିତ ହୋଇଥାଏ । ସାଧାରଣତଃ ଏହି ଦିନ ପ୍ରାତଃ କାଳରେ ଘରର ଜ୍ୟେଷ୍ଠ ପୁତ୍ର ବା କନ୍ୟା ସ୍ନାନାନ୍ତେ ନବବସ୍ତ୍ର ପରିଧାନ କରନ୍ତି ଓ ମା ମାନେ ତାଙ୍କୁ ବନ୍ଦାପନା କରନ୍ତି ।
ଏହି ଅବସରରେ ପଚଂ ପଲ୍ଲବ ଓ ପଚଂ ଶସ୍ୟରେ ବରୁଣପୂଜା କରାଯାଇଥାଏ । ଏଣ୍ଡୁରୀ ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ରଜପର୍ବରେ ଯେପରି ପୋଡ଼ପିଠା, ଅନନ୍ତ ବ୍ରତରେ ଲଡୁ କାକରା, ବଡ଼ଓଷାରେ ମଣ୍ଡାପିଠା, ଚିତାଲାଗି ଅମାବାସ୍ୟାରେ ଚିତୋଉପିଠା, ମକର ସଂକ୍ରାନ୍ତିରେ ମକରଚାଉଳ, ଧନୁ ସଂକ୍ରାନ୍ତରେ ଧନୁମୁଆଁ, ମହାବିଷୁବ ସଂକ୍ରାନ୍ତିରେ ଛତୁ ଓ ପଣା, ଶାମ୍ବ ଦଶମୀରେ ବୁଢ଼ାଚକୁଳି ପ୍ରଭୃତି ଓଡ଼ିଆ ଘରର ଗୋଟିଏ ଗୋଟିଏ ବିଶେଷତ୍ୱ, ସେହିପରି ପ୍ରଥମାଷ୍ଟମୀର ବିଶେଷତ୍ୱ ହେଉଛି ଏଣ୍ଡୁରୀ ପିଠା, ଛେନା, ଗୁଡ଼ ଓ ନଡ଼ିଆରେ ପ୍ରସ୍ତୁତ ପୁର ଦିଆଯାଇ ଉଆପକ୍ଷିଆ ଚାଉଳ ଓ ବିରିରେ ଏଣ୍ଡୁରୀ ପିଠା ତିଆରି କରାଯାଏ । ଏହି ସୁସ୍ୱାଦୁ ପିଠାପାଇଁ ହଳଦୀପତ୍ର ବ୍ୟବହାର କରାଯାଏ । ଏଥିପାଇଁ ଏହି ପିଠା ଅତ୍ୟନ୍ତ ସୁସ୍ୱାଦୁ ହେବା ସହ ରୁଚିକର ଓ ସୁବାସିତ ହୋଇଥାଏ । ପ୍ରଥମାଷ୍ଟମୀ ପର୍ବଟି ରଜ ଓ କୁମାରପୂର୍ଣ୍ଣିମା ପରି ଓଡ଼ିଶାର ନିଜସ୍ୱ ପର୍ବ । ଓଡ଼ିଶା ବ୍ୟତୀତ କିମ୍ବା ଓଡ଼ିଆ ଘରକୁ ଛାଡ଼ିଦେଲେ ଅନ୍ୟ କେଉଁଠାରେ ଏହି ପର୍ବ ଏଭଳି ଭାବରେ ପାଳିତ ହେବା ଦେଖାଯାଏ ନାହିଁ । ଓଡ଼ିଶାର ଏହା ଏକ ସ୍ୱତନ୍ତ୍ର ସାମାଜିକ ଓ ପରମ୍ପରା ପ୍ରଚଳିତ ପାରିବାରିକ ପର୍ବ । ଏହି ଦିନ ମାମୁଁମାନେ ନୂଆବସ୍ତ୍ର, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ମାନ ସାଙ୍ଗରେ ଆଣି ଭଣଜା ଭାଣେଜୀମାନଙ୍କୁ ପଢୁଆଁ କରିବାର ପରମ୍ପରା ରହିଛି । ଏଥିପାଇଁ ମାମୁଁଙ୍କୁ ‘ଅଷ୍ଟମୀ ବନ୍ଧୁ’ କୁହାଯାଏ ।
କେବଳ ଓଡ଼ିଶାର ଘରେ ଘରେ ନୁହେଁ ଶ୍ରୀମନ୍ଦିରରେ ମଧ୍ୟ ପ୍ରଥମାଷ୍ଟମୀ ପର୍ବ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଆଦିଦେବ ବଡ଼ଠାକୁର । ତାଙ୍କଠାରୁ ବଡ଼ କେହି ନାହିଁ । ଆଜି ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ତିନି ବାଡ଼ରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା । ଏହା ପରେ ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ନୂଆଲୁଗା ଲାଗି କରିଥିଲେ । ଏହାପରେ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକ ତିନି ବାଡ଼ିରେ ଚନ୍ଦନ ଲାଗି କରିଥିଲେ । ଚନ୍ଦନଲାଗି ବଢ଼ିବବା ପରେ ଠାକୁରମାନଙ୍କୁ ବେଶ କରାଯାଇଥିଲା । ଏହି ବେଶରେ ଛଅମୂର୍ତିଙ୍କୁ ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଇଥିଲା । ଶ୍ରୀ ବିଗ୍ରହମାନଙ୍କ ଠାରେ କର୍ପୂର ଲାଗିକରି ପୁଷ୍ପାଳକମାନେ ସିଂହାସନରୁ ଓହ୍ଲାଇ ଆସିଲାପରେ ସୁଦୁସୁଆର ପୂଜା କରିବା ଉତାରୁ ତିନି ବାଡ଼ରେ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକ ବରୁଣପୂଜା କରିଥିଲେ । ମଧ୍ୟାହ୍ନ ଧୂପ ଉଠିବା ପରେ ତିନି ବାଡ଼ରେ ମଙ୍ଗଳାର୍ପଣ ବଢ଼ି ଫୁଲପରିଆ, ଖଦି ଓ ଛେଦା ପ୍ରସାଦ ଲାଗିସରି ବନ୍ଦାପନା କରାଯାଇଥିଲା । ସ୍ୱତନ୍ତ୍ରଭାବେ ପ୍ରସ୍ତୁତ ଏଣ୍ଡୁରୀ ପିଠା ସହିତ ନାଡ଼ୀ, ଧଉଳା, ଖଇରଚୂଳ, ସାନ ଆରିସା, ସରପୁଳି ପିଠା ଓ ଘିନାଡ଼ୀ, କାନ୍ତ କାକରା, ଗଜା, ବଡ଼ ଡ଼ାଳିମ୍ବ,ଓରିଆ, ମୁଗ, ଖିରୀ ଇତ୍ୟାଦି ମହାପ୍ରଭୁଙ୍କ ନିକଟରେ ଭୋଗ କରାଯାଇଥିଲା । ପ୍ରଥମାଷ୍ଟମୀ ପର୍ବଟି ମହାପ୍ରଭୁଙ୍କ ‘ମାନବୀୟ ଲୀଳା’ର ଅନ୍ୟ ଏକ ଉଦାହରଣ । ପରିବାରର ଜ୍ୟେଷ୍ଠସନ୍ତାନ ପରି ସମଗ୍ର ବିଶ୍ୱର ଜ୍ୟେଷ୍ଠ ହିସାବରେ ବଡ଼ଠାକୁରଙ୍କୁ ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ଦିନ ପଢୁଆଁ କରାଯିବା ନୀତିକୁ ଯେଉଁ ଭକ୍ତଗଣ ଚର୍ମଚକ୍ଷୁରେ ଦର୍ଶନ କରନ୍ତି, ସେମାନଙ୍କର ସମସ୍ତ ପାପତାପ ଖଣ୍ଡିତ ହୋଇ ବୈକୁଣ୍ଠପ୍ରାପ୍ତି ସୁଗମ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ