
ଜୟପୁର, ୧୪ ନଭେମ୍ବର (ହି.ସ.)- ଏମ୍.ଏସ୍. ସ୍ୱାମୀନାଥନ୍ ଗବେଷଣା ପ୍ରତିଷ୍ଠାନ, ଜୟପୁର ଦ୍ୱାରା ‘ଜନଜାତିୟ ଗୌରବ ବର୍ଷ’
ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ହୋଇଛି l ଏମ୍.ଏସ୍. ସ୍ୱାମୀନାଥନ୍ ଗବେଷଣା ପ୍ରତିଷ୍ଠାନ, ଜୟପୁର ଦ୍ୱାରା ‘ଜନଜାତିୟ ଗୌରବ ବର୍ଷ’ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୁନ୍ଦ୍ରା, ବୈପାରିଗୁଡା, କୋରାପୁଟ, ପୋଟାଙ୍ଗି ଓ ଦଶମନ୍ତପୁର ବ୍ଲକର ୧୦୦ ଜଣରୁ ଅଧିକ ଜନଜାତି ଚାଷୀ ଉତ୍ସାହର ସହିତ ଯୋଗଦେଇଥିଲେ। ସେମାନେ ନିଜର ସମୃଦ୍ଧ ସଂସ୍କୃତି, ପାରମ୍ପରିକ ଜ୍ଞାନ ଓ ପରମ୍ପରାକୁ ସୁରକ୍ଷିତ ରଖି ବାୟୋ–ହ୍ୟାପିନେସ୍ ଲକ୍ଷ୍ୟକୁ ସାଧନ କରିବାର ଆବଶ୍ୟକତାକୁ ଉଲ୍ଲେଖ କଲେ। ଅଂଶଗ୍ରାହୀମାନେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନ, ସଂଘର୍ଷ ଓ ଜନଜାତି ସମାଜ ପାଇଁ ତାଙ୍କର ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବରେ ଜୟପୁର ଉପ ଜିଲ୍ଲାପାଳ ଅକବରମ ସସ୍ୟା ରେଡ଼ୀ ଯୋଗଦେଲେ। ସେ ସହିଦ ଲକ୍ଷ୍ମଣ ନାୟକଙ୍କ ଅମର ତ୍ୟାଗକୁ ସ୍ମରଣ କରି, ଭଗବାନ ବିରସା ମୁଣ୍ଡାଙ୍କ ସାହସ ଓ ନେତୃତ୍ୱ ସହ ଯୋଡ଼ି ଦେଲେ। ସେ ଜନଜାତି ସମୁଦାୟକୁ ନିଜର ସଂସ୍କୃତି ଓ ପରମ୍ପରା ପ୍ରତି ଗର୍ବିତ ହେବାକୁ ଆହ୍ୱାନ କରି, ପ୍ରତ୍ୟେକ ଜନଜାତି ବ୍ୟକ୍ତି ଏହି ଅଞ୍ଚଳର ପରିଚୟ ଓ ଶକ୍ତିର ଅବିଭାଜ୍ୟ ଅଂଶ ବୋଲି ଉଲ୍ଲେଖ କରିଥିଲେ।
କାର୍ଯ୍ୟକ୍ରମରେ ଏମ୍.ଏସ୍. ସ୍ୱାମୀନାଥନ୍ ଗବେଷଣା ପ୍ରତିଷ୍ଠାନ, ଜୟପୁର ନିର୍ଦ୍ଦେଶକ ପ୍ରଶାନ୍ତ ପରିଡା ଅଧକ୍ଷତା କରିଥିଲେ ଓ ଏମ୍.ଏସ୍. ସ୍ୱାମୀନାଥନ୍ ଗବେଷଣା ପ୍ରତିଷ୍ଠାନ, ଜୟପୁର ବୈଜ୍ଞାନିକ କାର୍ତ୍ତିକ ଚରଣ ଲେଙ୍କା ଉପସ୍ଥିତ ଥିଲେ । ବକ୍ତାମାନେ କହିଥିଲେ ଯେ, କୋରାପୁଟର ଜନଜାତି ସଂସ୍କୃତି ଓ ପରମ୍ପରା କୃଷି ଓ ପ୍ରାକୃତିକ ସମ୍ପଦ ସହ ଗଭୀର ଭାବରେ ଜଡ଼ିତ। ବିଭିନ୍ନ ଅଞ୍ଚଳର ଚାଷୀମାନେ ନିଜର ବୀଜ, ପାରମ୍ପରିକ ପ୍ରଥା ଓ ସଂସ୍କୃତିକୁ ସୁରକ୍ଷା କରିବାରେ ଅନବରତ ପ୍ରୟାସ ପାଇଁ ସମ୍ମାନିତ ହୋଇଥିଲେ ।
ଶେଷରେ, ଡ଼ଃ. କାର୍ତ୍ତିକ ଚରଣ ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ଜଣାଇ, ପ୍ରଫେସର ଏମ୍.ଏସ୍. ସ୍ୱାମୀନାଥନଙ୍କ ଦୃଷ୍ଟିକୋଣ ଓ ଜନଜାତି ସମାଜର ସମଗ୍ର ବିକାଶ ପାଇଁ ତାଙ୍କର ଅସାଧାରଣ ପ୍ରୟାସକୁ ସ୍ମରଣ କରିଥିଲେ । ସେ କୋରାପୁଟକୁ ବିଶ୍ୱ କୃଷି ଐତିହ୍ୟ ସ୍ଥଳୀ ଭାବେ ଘୋଷଣା କରାଇବାରେ ତାଙ୍କର ଅବଦାନକୁ ମଧ୍ୟ ଉଲ୍ଲେଖ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି