କନ୍ଧମାଳ, ୨୭ ଫେବୃଆରୀ(ହି.ସ.) – କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍ ପରିସରରେ ଗୁରୁବାର ପୂର୍ବାହ୍ନରେ ୨ ଦିନିଆ ପୁଞ୍ଜି ବିନିଯୋଗ କର୍ମଶାଳା ଶୁଭ ଉଦ୍ଘାଟନ ହୋଇଯାଇଛି। କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଏହାକୁ ଉଦ୍?ଘାଟନ କରିଥିବା ବେଳେ ଅନ୍ୟତମ ଅତିଥିଙ୍କ ମଧ୍ୟରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ, ଜିଲାପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବାଲିଗୁଡ଼ା ଉପଜିଲାପାଳ ଡଃ ରୀନା ପ୍ରଧାନ, ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା ବିବରଣୀ ପଠନ କରି ଦାରିଙ୍ଗବାଡ଼ିର ପର୍ଯ୍ୟଟନ କ୍ଷେତ୍ର ସହ ଜୈବିକ ପଦ୍ଧତିରେ କରାଯାଉଥିବା ଚାଷ ହଳଦୀ, ଅଦା, କଫି, ପନିପରିବା ଆଦି ସମ୍ପର୍କରେ ଉପସ୍ଥିତ ପୁଞ୍ଜି ନିବେଶକାରୀ ଓ ନିମନ୍ତ୍ରିତ ଅତିଥିଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରିଥିଲେ। ଦାରିଙ୍ଗବାଡ଼ିର ବିକାଶ ତଥା ଅଂଚଳବାସୀଙ୍କ ଜୀବନଜୀବିକା ସ୍ୱାବଲମ୍ବୀ କରିବା ପାଇଁ କୃଷି, ପର୍ଯ୍ୟଟନକ୍ଷେତ୍ର ସମେତ ସରକାରୀ-ଶିଳ୍ପ ସଂଳାପ, ବିଭିନ୍ନ କ୍ଷେତ୍ରରେ ଆତିଥ୍ୟ ବ୍ୟବସ୍ଥା, ବିଭିନ୍ନ ବ୍ୟବସାୟିକ କ୍ଷେତ୍ରରେ ହିତାଧିକାରୀ ନେଟୱାର୍କିଂ ସୁଯୋଗ,ଏଗ୍ରୋ-ଟୁରିଜିମ୍ରେ ଅର୍ଥ ବିନିଯୋଗ ଓ ଏହାର ଫାଇଦା, ବିନିଯୋଗ ଜୋନ୍ଟୁର୍ ଏବଂ କନ୍ଧମାଳରେ ଅମଳ ହେଉଥିବା ବିଭିନ୍ନ ସାମଗ୍ରୀ ତଥା ହଳଦୀ, ତେନ୍ତୁଳି, ଷ୍ଟ୍ରବେରୀ, କଫି, ମାଣ୍ଡିଆ, ଆମ୍ବ, ଲିଚୁ, ପଣସ, ଆଦିରୁ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରଗୁଡ଼ିକରେ କିଭଳି ଅର୍ଥ ବିନିଯୋଗ କରି ପୁଞ୍ଜି ନିବେଶକାରୀଙ୍କ ଜରିଆରେ କନ୍ଧମାଳର ବିକାଶ କରାଯାଇପାରିବ ଏଥିପାଇଁ ନିବେଶକାରୀଙ୍କୁ ଜଳ, ଜଙ୍ଗଲ, ଜମି ଆବଶ୍ୟକ ଭିତିଭୂମି ଯୋଗାଇଦେବାକୁ ସରକାର ଯୋଜନା କରିଥିବା କୁହାଯାଇଥିଲା। ଏହି କାର୍ଯ୍ୟକ୍ରମ ଶୁକ୍ରବାର ଉଦ୍ଯାପିତ ହେବ। କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି, ପୁଞ୍ଜିନିବେଶକାରୀମାନେ ଉପସ୍ଥିତ ରହିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ