ମାଲକାନଗିରି , 19 ଜୁଲାଇ (ହି.ସ.) ଡିପ୍ ଫେକ ଜାଲ୍ରେ ଦିବ୍ୟାଙ୍ଗ ଯୁବତୀ। ୨ ବର୍ଷ ଧରି ଭାଇରାଲ ଫୋଟୋ ଭିଡିଓ ଯନ୍ତ୍ରଣାରେ ଜଣେ ଦିବ୍ୟାଙ୍ଗ ଶିକ୍ଷିତ ଯୁବତୀ । ଘର ପରିବାରରେ ହଟହଟା ହୋଇ ସାହସ ଜୁଟାଇ ଥାନାକୁ ଗଲେ ଯୁବତୀ। ତେବେ ମାମଲା ରୁଜୁ ହୋଇ ସାଢେ ୭ ମାସ ବିତି ଯାଇଥିଲେ ହେଁ ପୁଲିସ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ I ଇତି ମଧ୍ୟରେ ପୀଡ଼ିତା ଝିଅ ସହ ପୀଡ଼ିତାଙ୍କ ପରିବାରର ସମସ୍ତ ମହିଳା, ଝିଅଙ୍କ ଏଡିଟ୍ କରାଯାଥିବା ଫୋଟୋ ଭିଡିଓ ଭାଇରାଲ କରି ଚାଲିଛି ଅଭିଯୁକ୍ତ ଯୁବକ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ସଦର ଥାନା ଅଞ୍ଚଳର ଏହି ଘଟଣା | କୋରୁକୋଣ୍ଡା ସଦର ଥାନା ଅଞ୍ଚଳର ଜଣେ ୬୫ ପ୍ରତିଶତ ଦିବ୍ୟାଙ୍ଗ ଝିଅଙ୍କ ସହ ଫୋନ ଯୋଗେ ସମ୍ପର୍କ ସ୍ଥାପନ କରିଥିଲା କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ମଦନପୁର ଗାଁର ଜଣେ ଯୁବକ | ଯୁବକଙ୍କ ନାଁ ଶ୍ରୀକାନ୍ତ ଜେନା ଓରଫ ସିପୁନ ଜେନା ବୋଲି ପୀଡ଼ିତା କହୁଛନ୍ତି। ଯୁବତୀଙ୍କୁ ଏଡିଟେଡ୍ ଅଶ୍ଳୀଳ ଫୋଟୋ ଭାଇରଲ କରିବା ଧମକ ଦେଇ ତାଙ୍କୁ ଦେଖା କରିବାକୁ ବାଧ୍ୟ କରୁଥିଲେ ଅଭିଯୁକ୍ତ | ତେବେ ଯୁବତୀ ବାରଣ କରିବାରୁ ତାଙ୍କର ଗୋଟିଏ ପରେ ଗୋଟିଏ ଫଟୋ ଭିଡିଓ ଭାଇରାଲ କରିବାକୁ ଲାଗିଥିଲା ଅଭିଯୁକ୍ତ। ବାରମ୍ବାର ଫୋନ ବଦଳାଇ ପରିବାର ଲୋକଙ୍କୁ ଧମକଚମକ ଦେବା ସହ ପରିବାର ସଦସ୍ୟାଙ୍କ ଫୋଟୋ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ କରି ଚାଲିଛି ଅଭିଯୁକ୍ତ । ତେବେ ଏହି ଘଟଣାକୁ ନେଇ ଗତ ଜାନୁଆରୀ ୨ ତାରିଖରେ ପୀଡ଼ିତା ମାଲକାନଗିରି ସଦର ଥାନା ରେ ମାମଲା ରୁଜୁ କରିଥିଲେ। ବିଏନଏସର ଧାରା ୩୫୧(୨) (୪), ୬୬(ଇ), ୬୭, ୬୭ (ଏ)ରେ ମାମଲା ରୁଜୁ ହୋଇଥିଲା | ହେଲେ ସାଢେ ୭ ମାସଧରି ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ ତାହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖୋଦ ମାଲକାନଗିରି ସଦର ଥାନା ଅଧିକାରୀ ହିମାଂଶୁ ଶେଖର ବାରିକ ଏହି ଘଟଣାର ତଦନ୍ତ ଭାର ନେଇ ଥିବା ବେଳେ ପୁଲିସ କିନ୍ତୁ ଏ ଯାଏଁ ନିରବ ଥିବା ଅଭିଯୋଗ ହୋଇଛି। ତେବେ ଏ ନେଇ କୋରୁକୋଣ୍ଡା ଥାନା ଅଧିକାରୀଙ୍କୁ ପଚାରିବାରୁ ସେ ପ୍ରକାଶ କରିଛନ୍ତି ଯେ, ଅଭିଯୁକ୍ତ ଜଣଙ୍କ ବାରମ୍ବାର ଫୋନ ଓ ସିମ ବଦଳେଇବାରୁ ତାଙ୍କୁ ଧରିବା ପାଇଁ ଏକ ଟିମ ଗଠନ କରାଯାଇଛି I ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଆମେ ଉଦ୍ୟମ ଜାରି ରଖୁଛୁ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ