ଭବାନିପାଟଣା, ୧୮ ସେପ୍ଟେମ୍ବର (ହି.ସ.)- ଆଜି ଅପର।ହ୍ନ ୩ଟା ସମୟରେ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଭବାନୀପାଟଣା ଠାରେ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉତ୍ସାହ ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ତଥା ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ରୂପେଶ କୁମାର ହୋତା, ସଦସ୍ୟ ସଦସ୍ୟା ଗଣ ସଞ୍ଜୟ କୁମାର, ଭାରତ ଭୁଷଣ ପଣ୍ଡା, ବସନ୍ତ କୁମାରୀ ପଟ୍ଟନାୟକ ଓ ଅଶୋକ ରଞ୍ଜନ ଚୌଧୁରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟା ସ୍ଵର୍ଣ୍ଣଲତା ମହାନ୍ତି, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ରୂପ ସିଂହ ରାଉତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
ସଭାକାର୍ଯ୍ୟ ପରିଚାଳନା କରିଥିଲେ ବାଲ ଗୋପାଲ ସେବା ନିକେତନ ଅନୁଷ୍ଠାନର ମୁଖ୍ୟ ହେମନ୍ତ ମୁଣ୍ଡ ଏବଂ ଶିଶୁ ସୁରକ୍ଷା କାର୍ଯ୍ୟାଳୟ ର ଅଂଶୁମାନ ବାବୁ। ଏହି କାର୍ଯ୍ୟକ୍ରମଟିକୁ ଶିକ୍ଷା ବିଭାଗର ଶାରିରୀକ ଶିକ୍ଷା ଶିକ୍ଷକ ବୃନ୍ଦ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା, ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ତଥା ଭବାନୀପାଟଣା ସହରର କ୍ୟାରମ ଓ ଚେସ ର ବିଶିଷ୍ଟ ବିଚାରକ ମଣ୍ଡଳୀ ଏହାକୁ ପୁଙ୍କହାନୂପୁଙ୍ଖ ଭାବରେ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କ ମଧ୍ୟରେ ବାଳିକା ଓ ବାଳକ ବର୍ଗରେ ଲମ୍ବ ଡିଆଁ, ଉଚ୍ଚ ଡିଆଁ, ୨୦୦ ମିଟର ଓ ୧୦୦ ମିଟର ଦୌଡ, ଫୁଟବଲ, କ୍ୟାରମ, ଚେସ ଭଳି ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ଆଜି ସକାଳ ୭ଟା ସମୟରେ ଉଦ୍ଘାଟିତ ହୋଇ ଅପରାହ୍ନ ୩ଟା ରେ ଉଦଯାପିତ ହୋଇଥିଲା। ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ସମସ୍ତ ବିଭାଗରେ ପ୍ରଥମ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ତଥା ଦଳମାନେ ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଉତ୍ସାହ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ଚୟନ ହୋଇଛନ୍ତି ଏବଂ ସେମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣିବା ପାଇଁ ଆଶାବାଦୀ ଅଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ