କୋରେଇ, ୧୮ ସେପ୍ଟେମ୍ବର (ହି.ସ.)- ରାସ୍ତାରେ ପାଇଥିବା ଏକ ପର୍ସକୁ ଉପଯୁକ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରି ସ୍ଥାନୀୟ ଅଂଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି ପାଣିକୋଇଲିର ଯୁବ ସାମ୍ବାଦିକ ବିକାଶ କୁମାର ମଲ୍ଲିକ । ଶ୍ରୀ ମଲ୍ଲିକ ଆଜି ଭୋରରୁ ପାଣିକୋଇଲିରୁ –ସଠିପୁର ଯାଉଥିବା ବେଳେ ରାସ୍ତା ଉପରୁ ଏକ ପର୍ସ ପାଇଥିଲେ । ଉକ୍ତ ପର୍ସରେ କିଛି ଟଙ୍କା ସହିତ ଡ଼୍ରାଇଭିଙ୍ଗ ଲାଇସେନ୍ସ, ଆଧାରକାର୍ଡ଼ ସହିତ ବହୁ ଗୁରୁତ୍ୱପୁର୍ଣ କାଗଜ ପତ୍ର ଥିଲା । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଂଚଳର ଶଙ୍ଖୋ ଗ୍ରାମର ସନ୍ତୋଷ କୁମାର ସାହୁ ପାଣିକୋଇଲି ଦେଇ ଭଦ୍ରକ ଯାଉଥିବା ବେଳେ ତାଙ୍କର ପର୍ସଟି ରାସ୍ତାରେ ଖସି ପଡ଼ିଥିଲା । ପରେ ଶ୍ରୀ ମଲ୍ଲିକ ଉକ୍ତ ପର୍ସଟିକୁ ପାଇବା ପରେ ପର୍ସରେ ଥିବା ଆଧାର କାର୍ଡ଼ରେ ଉଲ୍ଲେଖ ଥିବା ନମ୍ବର ଅନୁସାରେ ଉକ୍ତ ବ୍ୟକ୍ତିଙ୍କୁ ଯୋଗାଯୋଗ କରି ତାଙ୍କୁ ପାଣିକୋଇଲି ଆସି ଉକ୍ତ ପର୍ସଟିକୁ ନେଇଯିବାକୁ ଅନୁରୋଧ କରିଥିଲେ ।
ଆଜି ସକାଳୁ ସନ୍ତୋଷ ପାଣିକୋଇଲିରେ ପହଂଚିବା ପରେ ପ୍ରେସ କ୍ଲବ ସଭାପତି ବରିଷ୍ଠ ସାମ୍ବାଦିକ ସୁବାସ ଧଳ, ତାରିଣୀ କୁମାର ପଟ୍ଟନାୟକ, ପ୍ରଦୀପ ମାଝୀଙ୍କ ଉପସ୍ଥିତିରେ ଶ୍ରୀ ମଲ୍ଲିକ ସନ୍ତୋଷଙ୍କୁ ଉକ୍ତ ପର୍ସଟିକୁ ହସ୍ତାନ୍ତର କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ