ପୁରୀ, ୧୮ ସେପ୍ଟେମ୍ବର (ହି.ସ.)- ଅକ୍ଟୋବର ୨ ତାରିଖରେ ପୁରୀ ଜିଲ୍ଲାସ୍ତରୀୟ ଗାନ୍ଧିଜୀଙ୍କ ୧୫୬ ତମ ଓ ଶାସ୍ତ୍ରୀଜୀଙ୍କ ୧୨୧ ତମ ଜୟନ୍ତୀ ପାଳିତ ହେବ । ଏହାକୁ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିବା ସହ ଦୁଇ ମହାପୁରୁଷଙ୍କ ଜୟନ୍ତୀକୁ ସୁଚାରୁରୂପେ ଓ ଶୃଙ୍ଖଳିତ ଭାବେ ପାଳନ କରିବାକୁ ଯେଉଁ ବିଭାଗକୁ ଯେଉଁ ଦାୟିତ୍ୱ ଦିଆଯାଉଛି ତାହାକୁ ନିଷ୍ଠାର ସହ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ । ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଗଲା ଯେ, ଗାନ୍ଧୀ ଜୟନ୍ତୀ ଦିନ ଅର୍ଥାତ ଅକ୍ଟୋବର ୨ ତାରିଖ ଦିନ ପ୍ରତ୍ୟୁଷ ୪ଟା ୩୦ ରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହର ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ପରିବେଷଣ କରାଯିବ। ସକାଳ ୭ଟା ୩୦ରେ ଗାନ୍ଧୀଘାଟ ଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ପରେ ପରେ ସଦଭାବନା ସଭାଗୃହ ଠାରେ ସର୍ବଧର୍ମ ପ୍ରାର୍ଥନା ସଭା ଓ ଜୟନ୍ତୀ ସଭା ଅନୁଷ୍ଠିତ ହେବ। ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯିବା ସହ ମିଷ୍ଟାନ୍ନ ବଣ୍ଟନ କରାଯିବ । ପୌରପାଳିକା ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ସଫା କରିବା ସହ ଉତ୍ସବ ସ୍ଥଳକୁ ସଫା ସୁତୁରା କରିବା, ୱ୍ବାଟକୋ ପକ୍ଷରୁ ପାନୀୟ ଜଳର ବ୍ୟବସ୍ଥା କରିବା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଫୁଲ, ଧୂପ, ଦୀପ, ନିମନ୍ତ୍ରଣ ପତ୍ର, ସାର୍ଟିଫିକେଟ, ଫଟୋ ଉତ୍ତୋଳନ, ଜଳଯୋଗ, ପୁରସ୍କାର ପାଇଁ ଟ୍ରଫି ଇତ୍ୟାଦି ବ୍ୟବସ୍ଥା କରାଯିବ।
ବୈଠକରେ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଅତିରିକ୍ତ ଶିକ୍ଷା ଅଧିକାରୀ ଦ୍ବୀତିକାନ୍ତ ପ୍ରଧାନ, ସର୍ବୋଦୟ ମେଳା ସମିତିର ସମ୍ପାଦକ ଶିବ ପ୍ରସାଦ ମିଶ୍ର, ୱ୍ବାଟକୋ ଅଧିକାରୀ କମଳାକାନ୍ତ ବେହେରା, ସମାଜ କଲ୍ୟାଣ ର ସେକ୍ସନ ଅଫିସର ଡି.ପି.ମହାନ୍ତି ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ପ୍ରାରମ୍ଭରେ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ