
ନୂଆଦିଲ୍ଲୀ, 12 ମାର୍ଚ୍ଚ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ କୃଷି
କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ନୀତି ନିର୍ମାଣ, ନିଷ୍ପତ୍ତି ଗ୍ରହଣ
ଓ ନେତୃତ୍ୱ ପଦବୀରେ ସେମାନଙ୍କୁ ଅଧିକ ସୁଯୋଗ ମିଳିବା ଉଚିତ। ମହିଳାମାନଙ୍କର ବ୍ୟାପକ ଭାଗିଦାରି
କୃଷି କ୍ଷେତ୍ରରେ ଲିଙ୍ଗ ସମାବେଶୀ ଉନ୍ନତିକୁ ବଢ଼ାଇବ।
ରାଷ୍ଟ୍ରପତି ଗୁରୁବାର ଏଠାରେ “ଗ୍ଲୋବାଲ କନଫରେନ୍ସ ଅନ ଦ ରୋଲ ଅଫ୍
ୱିମେନ୍ ଇନ୍ ଏଗ୍ରି-ଫୁଡ୍ ସିଷ୍ଟମ୍ସ (ଜିସିଡବ୍ଲୁଏଏସ-2026)” ର ଉଦ୍ଘାଟନ ଅଧିବେଶନକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି
ଯେ ମହିଳାମାନେ ରୋପଣ, ଅମଳ,
ପ୍ରସ୍ତୁତିକରଣ ଓ
ଫସଲକୁ ବଜାରକୁ ପହଞ୍ଚାଇବା ସହିତ କୃଷିର ପ୍ରାୟ ସମସ୍ତ କାର୍ଯ୍ୟରେ ମୁଖ୍ୟ ଭୂମିକା ନିଅନ୍ତି।
ଏହା ସହିତ ସେମାନେ ମତ୍ସ୍ୟଚାଷ,
ମଧୁମକ୍ଷୀ ପାଳନ, ପଶୁପାଳନ, ବନଜାତ ପଦାର୍ଥର
ବ୍ୟବହାର ଓ କୃଷି ଆଧାରିତ ଉଦ୍ୟମ ଚାଲନାରେ ମଧ୍ୟ ଲଗାତାର ଅବଦାନ ଦେଉଛନ୍ତି। ମହିଳାମାନେ କୃଷି
ଅର୍ଥନୀତିକୁ ଶକ୍ତିଶାଳୀ କରିବାରେ ଅମୂଲ୍ୟ ଅବଦାନ ଦେଇଥାନ୍ତି।
ସେ କହିଛନ୍ତି ଯେ ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟମାନଙ୍କରେ ସମୁଦାୟ
ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ଓ ଅନ୍ୟ ବିଶ୍ୱବିଦ୍ୟାଳୟମାନେ ୬୦ ପ୍ରତିଶତରୁ
ଅଧିକ ଛାତ୍ରୀ ଅଛନ୍ତି ଏବଂ ସେମାନେ ଶିକ୍ଷାଗତ କ୍ଷେତ୍ରରେ ମଧ୍ୟ ଉତ୍କୃଷ୍ଟ ପରିଣାମ
ଦେଖାଉଛନ୍ତି। ଏହି ପରିସ୍ଥିତିରେ ସରକାର, ସମାଜ ଓ କୃଷି କ୍ଷେତ୍ର ସହିତ ସଂପୃକ୍ତ ସମସ୍ତ ହିତଧାରୀଙ୍କ ଦାୟିତ୍ୱ
ହେଉଛି ଯେ ଏହି ପ୍ରତିଭାଶାଳୀ ଛାତ୍ରୀମାନଙ୍କୁ ପ୍ରୋତ୍ସାହନ ଓ ସହଯୋଗ ଦିଆଯାଉ, ଯାହାଦ୍ୱାରା
ସେମାନେ କୃଷି ଓ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ନେତୃତ୍ୱ ନେଇପାରିବେ।
ରାଷ୍ଟ୍ରପତି କହିଛନ୍ତି ଯେ ମାତୃତ୍ୱରେ ନେତୃତ୍ୱର ଭାବନା ନିହିତ ଥାଏ, କିନ୍ତୁ ପ୍ରାୟତଃ
ଏହାକୁ ଘର ମଧ୍ୟରେ ସୀମିତ ଭାବେ ଦେଖାଯାଏ। ଏହି ଧାରଣାକୁ ପରିବର୍ତ୍ତନ କରି ମହିଳାମାନଙ୍କୁ
କୃଷି କ୍ଷେତ୍ରରେ ନେତୃତ୍ୱ ଦେବା ପାଇଁ ଆଗକୁ ଆଣିବା ଆବଶ୍ୟକ। ସେ କହିଛନ୍ତି ଯେ ଜାତିସଂଘ ୨୦୨୬
ବର୍ଷକୁ “ଇଣ୍ଟରନ୍ୟାସନାଲ୍ ୟେର ଅଫ୍ ଦ ୱୁମେନ୍ ଫାର୍ମର” ଭାବେ ଘୋଷଣା କରିଛି। ଏହାର ଉଦ୍ଦେଶ୍ୟ
କୃଷି-ଖାଦ୍ୟ ମୂଲ୍ୟ ଶୃଙ୍ଖଳାରେ ଲିଙ୍ଗ ଭିତ୍ତିକ ଅନ୍ତରକୁ କମାଇବା ଏବଂ ମହିଳାମାନଙ୍କର
ନେତୃତ୍ୱ ଭୂମିକାକୁ ବଢ଼ାଇବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା